କଳାବେଠିଆ ବା କଳାପିଠିଆ

ପୂର୍ବେ ପୁରୀର ବଡ଼ଦାଣ୍ଡ ଆଜିପରି ଶକ୍ତ ଓ ସମତଳ ନଥିଲା। ତାହା କାଦୁଅପଙ୍କରେ ପରିପୂର୍ଣ୍ଣ ଥିଲା। ପୁଣି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ସେତେବେଳେ ରଥଟଣାରେ ଯେଉଁ ସେବକଙ୍କର ଯୋଗଦାନ ସର୍ବାଧିକ ରହୁଥିଲା- ସେମାନେ ହେଉଛନ୍ତି କଳାବେଠିଆ ସେବକ। ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ- ଏମାନେ କୃଷ୍ଣବର୍ଣ୍ଣ ଥିବାରୁ ଏବଂ ଅନାବୃତ ଦେହରେ ରଥଟାଣିବା ବେଳେ ଏମାନଙ୍କର କଳାପିଠି ଦେଖାଯାଉଥିବାରୁ, ସେମାନଙ୍କର ନାମ ‘କଳାବେଠିଆ’ ବା ‘କଳାପିଠିଆ’ ହୋଇଛି। ରଥ ଟାଣିବା ସହିତ, ରଥଚକ ମାଟି ବା ବାଲିରେ ପୋତିହେଲେ ଏମାନେ ତାହାକୁ ଉଠାଇବା କାମ କରୁଥିବା ଜଣାଯାଏ। କିନ୍ତୁ ଏବେ ଆଉ ଏ ସେବା ନାହିଁ। କିନ୍ତୁ ପୂର୍ବ ବ୍ୟବସ୍ଥା ଦୃଷ୍ଟିରୁ ଏମାନଙ୍କୁ ରଥ-ଛତିଶା ନିଯୋଗର ନିମ୍ନ କ୍ରମରେ ସ୍ଥାନିତ କରାଯାଇପାରିବ।

୩୪. କଳାବେଠିଆ ବା କଳାପିଠିଆ:
‘କର୍ମାଙ୍ଗୀ ମାଦଳା’ର କ୍ରମ-୮୧ରେ, ଡାହୁକ ସେବା ସହିତ ଏହି ସେବକଙ୍କୁ ସମନ୍ଵିତ କରି ଉପସ୍ଥାପିତ କରାଯାଇଛି। ସେଥିରୁ ସୂଚିତ ଯେ ଡାହୁକ ଯେପରି ଭାବରେ ରଥ ଚଳାଇବାକୁ କହିବେ, ଏହି ସେବକ ସେପରି ଭାବରେ ରଥ ଚଳାଇବେ।

‘କର୍ମାଙ୍ଗୀ ମାଦଳା’ର ବର୍ଣ୍ଣନା ଅନୁସାରେ- ଏମାନେ ‘‘ପରମେଶ୍ୱରଙ୍କ ବେଠିଆ’’। ‘‘ଭୂଇଁ ବର୍ତ୍ତନ ଭୋଗି ରଥ ଟାଣିବେ। ସକଳ ପ୍ରକାର ବେଠି ଆଦି କରିବେ।’’

ଏହା ବ୍ୟତୀତ, ‘କର୍ମାଙ୍ଗୀ ମାଦଳା’ର ବର୍ଣ୍ଣନାମତେ, ଏମାନେ ଡାକରା ମାତ୍ରେ ହାଜର ହେବେ ଏବଂ ସକଳପ୍ରକାରର ବାହାର କାମ (ବେଠି) କରିବେ। ପରମଦେବତା ମହାଶ୍ରମ (ଗଜପତି ମହାରାଜା)ଙ୍କ ଠାରେ ଖଟଣିରେ ନିଯୁକ୍ତ ହେବେ।

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୯୪ରେ ଏହି ସେବାର ନିୟମ ଓ ସେବା ବିବରଣୀ ଲିପିବଦ୍ଧ ହୋଇଛି। ଉଲ୍ଲେଖ ଅଛି, ‘‘ଏମାନେ ହେରାପଞ୍ଚମୀ ବାସି ଦିନ ଗୁଣ୍ଡିଚା ପଦାରେ ତିନି ରଥ ଦକ୍ଷିଣମୋଡ଼ କରନ୍ତି ଏବଂ ବିଜେ ବା ବାହୁଡ଼ାରେ ରଥଟଣାରେ ଲୋକ ଅଭାବ ହୋଇ ଅଧିକା ଲୋକ ଦରକାର ପଡ଼ିଲେ ଏମାନେ ଆସି କାମ କରିବେ।’’

କିନ୍ତୁ ଏବେ ଏ ସେବା ଆଉ ନଥିବାରୁ, ଗୁଣ୍ଡିଚା ମନ୍ଦିରଠାରେ ରଥର ଦକ୍ଷିଣ ମୋଡ଼ ମୁଖ୍ୟତଃ ପୋଲିସ କର୍ମଚାରୀ କରୁଛନ୍ତି।

ସ୍ୱତ୍ଵଲିପିର ସୂଚନା ଅନୁସାରେ, ପୂର୍ବରୁ କଳାବେଠିଆମାନେ ଏହି ସେବାପାଇଁ ଜମିପାଇ ପ୍ରଜା ହୋଇ ରହିଥିଲେ। ଏମାନେ ବଟଗାଁ ଓ ସମଗରା- ଏ ଦୁଇ ମୌଜାର ପ୍ରଜା ଥିଲେ। ଶ୍ରୀଜଗନ୍ନାଥଙ୍କ ଚାରମାଳ ପଟା ଆଦି ବୋହିବା ସହିତ ଆବଶ୍ୟକମତେ ବେଠିଆ ଯୋଗାଉଥିଲେ। କପିଳେଶ୍ୱରପୁର ଓ ମଙ୍ଗରାଜପୁରର ପ୍ରଜା ମଧ୍ୟ ଆବଶ୍ୟକମତେ ଆସି କାମ କରୁଥିଲେ।

ଶ୍ରୀ ସଦାଶିବ ରଥଶର୍ମା ତାଙ୍କ ରଥସେବା ବିବରଣୀର କ୍ରମ-୪୧ରେ ଏହାଙ୍କ ସଂପର୍କରେ ଲେଖିଛନ୍ତି- ‘‘ରଥପାଇଁ ଅନ୍ଧାରି, ବ୍ରହ୍ମଗିରି, କାଳିକାବାଡ଼ି ପ୍ରଭୃତି ଗ୍ରାମରୁ ଆସି ରଥ ଘେର କରୁଥିଲେ। ଏବେ ପୋଲିସ ଭାଇମାନେ କରୁଛନ୍ତି।’’

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ନିମନ୍ତେ ନିଯୁକ୍ତ ଏହି ସେବକ ‘‘ଶବର ଜାତି ବିଶେଷ’’। କିନ୍ତୁ ‘ଅନାମ-୧୯’ରେ ମୁଦ୍ରିତ କର୍ମାଙ୍ଗୀରେ ରାଜଗୁରୁଙ୍କ ବିବରଣୀର ଯେଉଁ ପ୍ରାସଙ୍ଗିକ ସୂଚନା ଦିଆଯାଇଛି, ତାହା ଅନୁସାରେ ‘‘ବେଶ୍ୟା ପରିବାରେ ଜନ୍ମ ଭଟ୍ଟନାମା ସେବକ ଗୋଷ୍ଠୀର ଏହା ପାରମ୍ପରିକ ସେବା’’ ଥିଲା ଏବଂ ଏ ସେବା ‘‘ଓଝା ମହାରଣାଙ୍କ ନିଯୋଗ ସହ ସଂଶ୍ଳିଷ୍ଟ’’ରହିଥିଲା।

ରାମ ଦାସ ବିରଚିତ ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥର ‘ନୀଳାମ୍ବର ଦାସ ସମ୍ବାଦ’ରେ ଏହି ‘କଳାବେଠିଆ’ ବା ‘କଳାପିଠିଆ’ ପ୍ରସଙ୍ଗର ସୁନ୍ଦର ବର୍ଣ୍ଣନା ଅଛି। ତାହା ହେଉଛି-
କଳାପିଠିଆ ଅପ୍ରମିତ
ରଥ ଦଉଡ଼ି ଧରି ହସ୍ତ।
ଅତି ଆନନ୍ଦେ ଓଟାରନ୍ତି
ରଥ ଲଭଇ ଦିବ୍ୟ ଗତି।

ଏହି କଳାବେଠିଆମାନଙ୍କୁ ଉତ୍ସାହିତ କରି ରଥଟଣା କାର୍ଯ୍ୟକୁ ତ୍ଵରାନ୍ଵିତ କରିବାର ପ୍ରୟୋଜନରୁ ଡାହୁକ-ବୋଲି ପରମ୍ପରାର ଉତ୍ପତ୍ତି ହୋଇଥାଇପାରେ ବୋଲି ମଧ୍ୟ ‘ପୁରୀ ବୋଲି’ ପୁସ୍ତକରେ ଶ୍ରୀମନ୍ଦିରର ଦେଉଳ ପୁରୋହିତ ସେବକ ତଥା ଗବେଷକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର କହିଛନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର