ଆଢ଼ତ ଜଗିଆ ଓ ଖୁରୁପିଆ

0 41

‘କର୍ମାଙ୍ଗୀ ମାଦଳା’ ବା ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ନଥିଲେ ମଧ୍ୟ, ପୂର୍ବେ ରଥଟଣା ସହିତ ସଂପୃକ୍ତ ସେବା ଭାବରେ ‘ଖୁରୁପିଆ’ ଓ ‘ଆଢ଼ତ ଜଗିଆ’ ନାମରେ ଦୁଇଟି ସେବା ପ୍ରଚଳିତ ଥିଲା। ‘ରଥ- ଛତିଶା ନିଯୋଗ’ ମଧ୍ୟରେ ଅନେକେ ଏହାକୁ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ, ଏବେ ଏ ସେବା ଆଉ ନାହିଁ। ଏହା ସତ୍ତେ୍ଵ ଏହାକୁ ରଥ-ଛତିଶା ନିଯୋଗରେ ନିମ୍ନମତେ ସୂଚିବଦ୍ଧ କରାଯାଇପାରିବ।

୩୫: ଖୁରୁପିଆ: ପୂର୍ବେ ରଥଦାଣ୍ଡ ଆଜିପରି ଶକ୍ତ ଓ ସମତଳ ନଥାଇ ଆବୁଡ଼ା ଖାବୁଡ଼ା ମାଟିରାସ୍ତା ଥିଲା। ତେଣୁ ରଥ ଚାଲିବାବେଳେ ଅକେକ ସମୟରେ ରଥଚକ ମାଟିରେ ଦବି ଯାଉଥିଲା ବା କୌଣସି ସ୍ଥାନରେ ଖାଲ ଖମା ଆଦିରେ ପଡ଼ି ଚକ ଠିକ୍‌ ଭାବରେ ନ ଗଡ଼ି ଅଟକି ଯିବାର ଆଶଙ୍କା ରହୁଥିଲା। ସେଥିପାଇଁ ଆବଶ୍ୟକ ସ୍ଥଳେ, ମାଟି ସଫା କରିବା ପାଇଁ କିମ୍ବା ମାଟି ପକାଇ ରଥଦାଣ୍ଡକୁ ସମତୁଲ କରିବାପାଇଁ ଖୁରୁପିଆ ସେବକ ନିଯୁକ୍ତ ରହୁଥିଲେ। କିନ୍ତୁ ଏବେ ଏହାର ପ୍ରୟୋଜନ ଆଉ ନାହିଁ।

ସେହିପରି ରଥର ସ୍ୱଚ୍ଛନ୍ଦ ଗତି ନିମନ୍ତେ ସଜାଗ ରହୁଥିଲେ ‘ଆଢ଼ତ ଜଗିଆ’ମାନେ।

୩୬. ଆଢ଼ତ ଜଗିଆ: ରଥ ଦାଣ୍ଡରେ ରଥ ଚକ ଗଡ଼ିବାବେଳେ, ରଥର କୌଣସି ଅଙ୍ଗ ହାନି ହେଲେ, ତାହାକୁ ତୁରନ୍ତ ମରାମତି କରିବାପାଇଁ ଯେଉଁ ସେବକ ପ୍ରସ୍ତୁତ ହୋଇ ରହୁଥିଲେ, ସେମାନେ ଥିଲେ ଆଢ଼ତ ଜଗିଆ। ଏ ସେବା ବି ଏବେ ଆଉ ନାହିଁ। ଏବେ ରଥନିର୍ମାଣକାରୀ ମହାରଣା ବା ବିଶ୍ୱକର୍ମା ସେବକମାନେ ହିଁ ରଥର ଅଙ୍ଗହାନି ସ୍ଥଳେ ତାହାର ମରାମତି କାମ କରୁଛନ୍ତି। ସେମାନଙ୍କ ସହିତ ପ୍ରୟୋଜନ ସ୍ଥଳେ ସହଯୋଗ କରୁଛନ୍ତି ଭୋଇ ସେବକମାନେ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୂର୍ବେ ରଥର ସ୍ୱଚ୍ଛନ୍ଦ ଚଳନପାଇଁ ‘ତେଲଦିଆ କମାଣି’ ନାମରେ ଏକ ସେବାର ମଧ୍ୟ ପ୍ରଚଳନ ଥିଲା। ଏହି ସେବକଙ୍କୁ କେତେକ ବିବରଣୀରେ ‘ତେଲଦିଆ କମାର’ ବୋଲି ମଧ୍ୟ କୁହାଯାଇଛି। ଚକର ଅଖରେ ଶୁଦ୍ଧ ରାଶିତେଲ ଦେଇ, ଚକ ଯେପରି ଠିକ୍‌ ଭାବରେ ଗଡ଼େ ତାହାର ବ୍ୟବସ୍ଥା କରିବା ଥିଲା ଏହି ସେବକଙ୍କରଦାୟିତ୍ଵ। କିନ୍ତୁ ଏହି ସେବା ଏବେ ଆଉ ନାହିଁ। ଭୋଇ ସେବକଙ୍କ ସହଯୋଗରେ ମହାରଣା ବା ବିଶ୍ୱକର୍ମା ସେବକ ସେହି କାମ କରୁଛନ୍ତି।

ଏହିପରି ଭାବରେ କାଳକ୍ରମେ ବହୁ ସେବାର ପରିବର୍ତ୍ତନ ବା ବିଲୋପ ଘଟିଛି। ସେଥିପାଇଁ ‘ରଥ-ଛତିଶା ନିଯୋଗ’ ବୋଲି କୁହାଯାଉଥିବା ସେବା ଓ ସେବକଙ୍କ ତାଲିକାର ବିଭିନ୍ନ ବିବରଣୀରେ ତାଳମେଳ ନଥିବା ପରିଲକ୍ଷିତ ହୋଇଥାଏ।

ଉଦାହରଣ ସ୍ୱରୂପ, ଏବେ ମୁଖ୍ୟତଃ ୧. ଓଝା ମହାରଣା, ୨. ବଢ଼େଇ ମହାରଣା, ୩. ରଥ ଭୋଇ, ୪. ଦରଜି, ୫. ତାମରା ବିଶୋଇ, ୬. ରୂପକାର ଓ ୭. ଚିତ୍ରକାର- ଏହି ସପ୍ତସେବକ ହିଁ ସପ୍ତରଥକାର ଭାବରେ କାମ କରୁଛନ୍ତି। ସେଇମାନଙ୍କ ଅଧୀନରେ ହିଁ ସଂପୃକ୍ତ କାମର ବିବିଧ ବିଭାଗ ରହିଛି।

ଏହା ସତ୍ତେ୍ଵ କେତେକ ସୂଚୀରେ ସପ୍ତରଥକାର ଭାବରେ ୧. ଗୁଣାକାର, ୨. ମୁଖ୍ୟ ରଥକାର, ୩. ଲୌହକାର, ୪. ଛେକାକାର, ୫. ରୂପକାର, ୬. ଚିତ୍ରକାର ଓ ୭. ସୂତିକାରଙ୍କର ଉଲ୍ଲେଖ କରାଯାଇଛି। ସେଥିରେ କୁହାଯାଇଛି, ୧. ଗୁଣାକାର- ରଥର ମୁଖ୍ୟ ସ୍ଥପତି। ସେ ରଥର ପ୍ରତ୍ୟେକ ଅଂଶର ମାପ ନିର୍ଦ୍ଧାରଣ କରନ୍ତି। ୨. ମୁଖ୍ୟରଥକାର- ରଥର ମୁଖ୍ୟ ଅଂଶଗୁଡ଼ିକର ନିର୍ମାଣକାରୀ, ୩. ଲୌହକାର- ରଥ ନିର୍ମାଣପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଏବଂ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣକାରୀ, ୪. ଛେକାକାର- ରଥକାଠକୁ କ୍ରମାନ୍ଵୟରେ ଛେକମାରି, ନିର୍ମାଣ ସମୟରେ ଯୋଗାଣକାରୀ, ୫. ରୂପକାର- ରଥର ପାର୍ଶ୍ୱବିଗ୍ରହମାନଙ୍କ ସମେତ ସାରଥି ଓ ଅଶ୍ୱମାନଙ୍କର ନିର୍ମାଣକାରୀ, ୬. ଚିତ୍ରକାର- ରଥର ସମସ୍ତ ଚିତ୍ରଅଙ୍କନକାରୀ ଏବଂ ୭. ସୂତିକାର- ରଥର ସମସ୍ତ ସୀବନ ବା ଦରଜିକାମକାରୀ।

କିନ୍ତୁ ପ୍ରକୃତ ପକ୍ଷେ ରଥର ପାର୍ଶ୍ୱଦେବତାମାନେ କେବଳ ନବକଳେବର ବର୍ଷରେ ହିଁ ନୂତନ ଭାବରେ ନିର୍ମିତ ହୁଅନ୍ତି। ପ୍ରତିବର୍ଷ ନିର୍ମିତ ହୁଅନ୍ତି ନାହିଁ। ତେବେ ଓଝା, ବଢ଼େଇ, ଭୋଇ, ଦରଜି, ତାମରା, ରୂପକାର ଓ ଚିତ୍ରକାର ହିଁ ପ୍ରକୃତରେ ସପ୍ତ ରଥକାର।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.