୩୬ କି ୪୧ ନୁହେଁ, ରଥକାର ସେଇ ସାତ

‘ରଥ ସପ୍ତକାର’ ସୂଚୀ ପରି, ‘ରଥ-ଛତିଶା ନିଯୋଗ’ ସୂଚୀ ମଧ୍ୟ ବିଭିନ୍ନ ବିବରଣୀରେ ଭିନ୍ନ ଭିନ୍ନ। ସଦାଶିବ ରଥଶର୍ମାଙ୍କ ସୂଚୀରେ ଏହା ୪୧ ହୋଇଥିବା ବେଳେ, ଅନ୍ୟ କେତେକ ସୂଚୀରେ ୩୬ଟି ସେବାର ବିବରଣୀ ଦିଆଯାଇ, ଅନ୍ୟ କେତେକକୁ ସୂଚୀର ବାହାରେ ଉଲ୍ଲେଖ କରାଯାଇଛି।

ଏହି ବିବରଣୀରେ (ରଥକଥା- ୧୭ରୁ ୪୧) ମଧ୍ୟ ୩୬ଟି ସେବାକୁ ସୂଚୀଭୁକ୍ତ କରି ଅନ୍ୟ କେତୋଟିକୁ ସୂଚୀ ବାହାରେ ରଖାଯାଇଛି। କାରଣ ପ୍ରକୃତରେ ଏହି ରଥସେବା ୩୬ ନୁହେଁ କି ଏ ନେଇ ନିର୍ଦ୍ଦିଷ୍ଟ ଭାବରେ ରଥ-ଛତିଶା ନିଯୋଗ ନାହିଁ।

ଉଦାହରଣ ସ୍ୱରୂପ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ତାଙ୍କ ‘ରଥ ନିର୍ମାଣର ‘ଚଉଷଠି’ ବିନ୍ଧାଣି’ ବିବରଣୀ ମଧ୍ୟରେ ଯେଉଁ ଛତିଶାନିଯୋଗର ସୂଚୀ ଦେଇଛନ୍ତି, ତାହା ହେଉଛି- ୧. ରଥକାର ନାୟକ, ୨. ତଳ ବଢ଼େଇ, ୩. ଭାଇ ବଢ଼େଇ, ୪. ରୂପଖଞ୍ଜା ବଢ଼େଇ, ୫. ମୁଣ୍ଡିମରା ବଢ଼େଇ, ୬. ତାମ୍ବରା, ୭. କରତିଆ, ୮. ଗରଗରିଆ, ୯. ଦିହୁଡ଼ିଆ, ୧୦. ପିଣ୍ଡିକିଆ, ୧୧. ଜଉଶାଳିଆ, ୧୨. ଖୁଣ୍ଟିଆ, ୧୩. ପହଣ୍ଡିଆ, ୧୪. ଦୋଳିଆ, ୧୫. ଜଗିଆ, ୧୬. ବଡ଼ କାଠିଆ, ୧୭. ରଥଜଗିଆ, ୧୮. ରଥ ଘଣ୍ଟୁଆ, ୧୯. ରଥ ମୁଦୁଲି, ୨୦. ରଥବଜନ୍ତ୍ରୀ, ୨୧. ରଥ ଖରକା, ୨୨. ରଥ ଦଳେଇ, ୨୩. ରଥ ଭୋଇ, ୨୪. ରଥ ନାୟକ, ୨୫. ଚୋପଦାର, ୨୬. ଚିତ୍ରକାର, ୨୭. ଧ୍ୱଜକାର, ୨୮. ଛତ୍ରକାର, ୨୯. ଚକାଅପସାରୀ, ୩୦. ଦରଜୀ, ୩୧. ସୂତୁଲୀ, ୩୨. କମାର, ୩୩. ଦଉଡ଼ିବଳା, ୩୪. ରଥଚାପ ଦଳାଇ, ୩୫. ବଇଠାରୁ ଓ ୩୬. ଡାହୁକ। ଏଥିରୁ ଅନେକ ସେବା ଆବଶ୍ୟକତା ଅଭାବରୁ କାଳକ୍ରମେ ଲୋପପାଇଯାଇଛି। ତେଣୁ ସେ ବାବଦରେ ସେ ‘ଦିହୁଡ଼ିଆ’ ଓ ‘ଖୁଣ୍ଟିଆ’ ସେବକଙ୍କର ଉଲ୍ଲେଖ କରିଛନ୍ତି। ରଥଖଳାରେ ବିଦ୍ୟୁତ୍‌ ଆଲୋକର ବ୍ୟବସ୍ଥା ହେବାପରେ, ଦିହୁଡ଼ି ଦେଖାଇବାର ଆଉ ଆବଶ୍ୟକତା ନାହିଁ। ସେହିପରି ରଥ ନିର୍ମାଣ ସହ ସଂପୃକ୍ତ ଖୁଣ୍ଟିଆ ସେବକ ରଥ ନିର୍ମାଣ ସମୟରେ ଉପସ୍ଥିତ ରହିବାର ଆବଶ୍ୟକତା ଆଉ ନାହିଁ ବୋଲି ସେ ଲେଖିଛନ୍ତି।

କିନ୍ତୁ ଏ ବାବଦରେ ଆଉ ଗୋଟିଏ ଉଦାହରଣ ମଧ୍ୟ ଦିଆଯାଇ ପାରିବ। ତାହା ହେଉଛି ‘ଧ୍ୱଜକାର’। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ତିନିରଥରେ ତିନି ଧ୍ୱଜଦେବତା ଥାଆନ୍ତି ଏବଂ ତିନି ରଥରେ ନିର୍ଦ୍ଦିଷ୍ଟ ରଙ୍ଗର ଧ୍ୱଜା ମଧ୍ୟ ଥାଏ। କିନ୍ତୁ ତିନି ରଥର ଧ୍ୱଜ ଦେବତା ପ୍ରତିବର୍ଷର ରଥପାଇଁ ନୂଆ ଭାବେ ନିର୍ମିତ ହୁଅନ୍ତି ନାହିଁ। ନବକଳେବର ବର୍ଷରେ ହିଁ ନିର୍ମିତ ହୋଇ ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ରହନ୍ତି। କିନ୍ତୁ ତିନି ରଥର ଧ୍ୱଜା ପ୍ରତିବର୍ଷ ନୂଆ ଭାବରେ ନିର୍ମିତ ହୋଇଥାଏ। ଏହି ପତାକା ପାଞ୍ଚରଙ୍ଗ ବିଶିଷ୍ଟ। (ଏ ସଂପର୍କରେ ୨୦୧୭ ବର୍ଷର ‘ରଥକଥା-୩୪’ରେ ବିଶଦ ବିବରଣୀ ପ୍ରଦତ୍ତ ହୋଇଛି।)

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’, ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ଓ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ (ବା ଦର୍ପଦଳନ) ରଥର ଏହି ପତାକାର ପାଞ୍ଚରଙ୍ଗ ହେଉଛି- ଲାଲ, ସବୁଜ, ହଳଦିଆ, କଳା ଓ ଧଳା। ତିନିଟିଯାକ ରଥରେ ପ୍ରାୟ ଦେଢ଼ଫୁଟ ଲମ୍ବର ଏପରି ପାଞ୍ଚରଙ୍ଗର ପତାକା ଗୋଟିଏ କନା ଖୋଳରେ ସିଲେଇ ହୋଇ, ତା’ ଭିତରେ ବାଉଁଶ ନଳି ପୂରାଯାଇ ଖଞ୍ଜା ହୋଇଥାଏ। ସନାତନ ହିନ୍ଦୁଧର୍ମର ପଞ୍ଚଦେବତା ଉପାସନା ପରମ୍ପରାରେ ଏହି ପାଞ୍ଚରଙ୍ଗର ଅଧୀଶ୍ୱର ହେଉଛନ୍ତି ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଓ ସୂର୍ଯ୍ୟ। ଏହି ପଞ୍ଚ ଦେବତାଙ୍କୁ ଆମେ ଗଣ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର କହିଥାଉ। କିନ୍ତୁ ଏହି ଧ୍ୱଜର ନିର୍ମାଣପାଇଁ ସ୍ୱତନ୍ତ୍ର ଧ୍ୱଜକାର ସେବକ ନଥାନ୍ତି। ଦରଜୀ ସେବକ ହିଁ ରଥାବରଣ ଆଦି ସମେତ ତିନି ରଥପାଇଁ ଏହି ଧ୍ୱଜା ପ୍ରସ୍ତୁତ କରିଥାଆନ୍ତି।

ଏଣୁ ପ୍ରକୃତ ପକ୍ଷେ ୩୬ କି ୪୧ ନୁହେଁ, ଓଝା, ବଢ଼େଇ, ଭୋଇ, ଦରଜି, ତାମରା, ରୂପକାର ଓ ଚିତ୍ରକାର- ଏହି ସାତ ସେବକ ହିଁ ସପ୍ତ ରଥକାର।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର