ରଥ-କାଠର ପରିମାଣ ଓ ପ୍ରକାର

ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ତିନିରଥର ନିର୍ମାଣ ପାରମ୍ପରିକ ରୀତିରେ ହେଉଥିଲେ ହେଁ ଏହା ପଛରେ ତତ୍ତ୍ଵ ଯେପରି ଅଛି, ବିଜ୍ଞାନ ମଧ୍ୟ ସେପରି ରହିଛି। ରଥର ବିଭିନ୍ନ ଅଙ୍ଗର ନିର୍ମାଣ ନିମନ୍ତେ ରଥକାଠର ଚୟନ ସଂପୂର୍ଣ ଭାବରେ ବିଜ୍ଞାନ ସମର୍ଥିତ। ଏଥିପାଇଁ କେତେ କାଠ ଆବଶ୍ୟକ ହୁଏ, ବିଭିନ୍ନ ଆଲୋଚକଙ୍କ ବିବରଣୀରେ ତାହାର ସମାନତା ଲକ୍ଷ୍ୟ କରାଯାଏ ନାହିଁ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ୧୯୮୩ ମସିହାରେ ପ୍ରକାଶିତ ‘ରଥ ସଂହିତା’ (The Puri Car Festival Code) ଅନୁସାରେ ତିନି ରଥର ନିର୍ମାଣପାଇଁ ମୋଟ ୧୧୩୯ ଖଣ୍ଡ କାଠ ଆସିଥାଏ। କିନ୍ତୁ ସଂପ୍ରତି ଏହି ସଂଖ୍ୟାରେ ପରିବର୍ତ୍ତନ ଘଟୁଛି। କାରଣ, ଅଣାଯାଉଥିବା କାଠରୁ କିଛି ବ୍ୟବହୃତ ନହେଲେ, ତାହାକୁ ପରବର୍ଷର ରଥନିର୍ମାଣପାଇଁ ଗଚ୍ଛିତ ରଖାଯାଉଛି।

ତେବେ ଶ୍ରୀମନ୍ଦିର ପ୍ରଶାସନ ସୂତ୍ରର ଆଧାରରେ ଡକ୍ଟର ଭାସ୍କର ମିଶ୍ର ତାଙ୍କ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକରେ ରଥ ନିର୍ମାଣରେ ଲାଗୁଥିବା କାଠର ନିର୍ଦ୍ଦିଷ୍ଟ ବିବରଣୀ ଦେଇଛନ୍ତି। ସେହି ବିବରଣୀ ଅନୁସାରେ- ପ୍ରତିବର୍ଷର ରଥରେ ତୁମ୍ବ, ପହି (ପଇ), ଦଣ୍ଡା ଓ ଅଖ, ଗୟଳ ଓ ଅରମୁଣ୍ଡିର ନିର୍ମାଣପାଇଁ ବିଭିନ୍ନ ମାପର ୮୮୨ ଖଣ୍ଡ କାଠ ଆବଶ୍ୟକ ହେଉଥିବାବେଳେ ଅନ୍ୟାନ୍ୟ ଅଙ୍ଗପାଇଁ ୨୭୪ ଖଣ୍ଡ କଞ୍ଚାକାଠ ଆବଶ୍ୟକ ହୋଇଥାଏ। ଏହି କାଠର ମୋଟ ସଂଖ୍ୟା ୧୧୫୬।

ସେହି ବିବରଣୀ ଅନୁସାରେ, ତୁମ୍ବପାଇଁ ୬’ x ୯’ ମାପର ୪୨ଖଣ୍ଡ ଓ ପହିପାଇଁ ୬’ x ୧୨’ ମାପର ୫୦ଖଣ୍ଡ ଫାସିକାଠ ଏବଂ ଦଣ୍ଡା ଓ ଅଖପାଇଁ ୩’ x ୪୦’ ମାପର ୫୦ଖଣ୍ଡ ଧଉରା କାଠ ଆବଶ୍ୟକ ହୋଇଥାଏ। ତା’ ସହିତ ଗୟଳପାଇଁ ୩’ x ୪୦’ ମାପର ୩୧୨ଖଣ୍ଡ ଅସନ କାଠ ଏବଂ ଅରମୁଣ୍ଡିପାଇଁ ୩’ x ୧୨’ ମାପର ୪୨୮ଖଣ୍ଡ ଧଉରା ଓ ଅସନ କାଠ ଆବଶ୍ୟକ ହୋଇଥାଏ। ଏହିପରି ୮୮୨ଖଣ୍ଡ କାଠ ଲାଗିଥାଏ। ସେହିପରି ରଥର ଅନ୍ୟାନ୍ୟ ଅଙ୍ଗ ନିମନ୍ତେ ୨.୧/୨’ x ୧୦’ ମାପର କଂସା ଶିମିଳି ପଟା ୪୬ଟି, ୩’ x ୧୦’ ମାପର ପାଳଧୁଆ ପଟା ୮୫ଟି, ୩’ x ୧୦’ ମାପର ମହାନିମ୍ବ ପଟା ୨୦ଟି, ୨.୧/୨’ x ୧୨’ ମାପର ଗମ୍ଭାରି ପଟା ୧ଟି, ୩’ x ୧୦’ ମାପର ମହି (ମଇ) ପଟା ୧୫ଟି, ୩’ x ୧୦’ ମାପର କଦମ୍ବ ପଟା ୪ଟି ୯’ x ୭’ ମାପର କଳଚୁଆ ବହ୍ଲା ୬୦ଟି, ୫’ x ୧୯’ ମାପର ମହି, ଦେବଦାରୁ କିମ୍ବା ପାଳଧୁଆ ପଟା ୪୨ଟି ଏବଂ ୫’ x ୧୦’ ମାପର ଦେବଦାରୁ ପଟା ୧ଟି- ଏହିପରି ମୋଟ ୨୭୪ ଖଣ୍ଡ କଞ୍ଚାକାଠ ଲାଗିଥାଏ।

ଏହିସବୁ ନିର୍ଦ୍ଦିଷ୍ଟ କିସମର କାଠ ବ୍ୟତୀତ ମନ୍ଦର ଓ ନିମ୍ବ ଆଦି କାଠ ମଧ୍ୟ ରଥ ଓ ଅନ୍ୟାନ୍ୟ ନିର୍ମାଣରେ ଉପଯୋଗ ହୋଇଥାଏ। ଉଦ୍ଭିଦ ବିଜ୍ଞାନ ପରିଭାଷାରେ ଏହିସବୁ କାଠର ନିର୍ଦ୍ଦିଷ୍ଟ ନାମ ରହିଛି। ସେସବୁ ହେଲା- ଫାସୀ (Button Tree/Anogeishus Acuminata), ଧଉରା (Axlewood/Anogeishus Latifolia), ଅସନ (Terminalia Tomentosa), ଶିମିଳି (Silk Cotton/Bombax Ceiba), ମନ୍ଦର (Coral Tree/Erythrina Indica), ନିମ (Azadiratsta Indica), ଦେବଦାରୁ (Indian Fir Tree/Polyalihia Longfolia), ଗମ୍ଭାରି (Beech Wood/Gmelina Arborea), ମହି (Indian Ash Tree/Lanea Coromandlica) ଏବଂ କଦମ୍ବ (Kadam/Anthocethalus Cadamba)। ନିର୍ଦ୍ଦିଷ୍ଟ ଗୁଣ, ମାନ ଅନୁସାରେ ଏହିସବୁ କାଠ ଚୟନ କରାଯାଇଥାଏ ଏବଂ ଏହା ଉଦ୍ଭିଦ ବିଜ୍ଞାନ ସମର୍ଥିତ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର