ଶ୍ରୀଜଗନ୍ନାଥଙ୍କ ରଥର ଅରପୀଠ ଉପରିଭାଗରେ ଅଙ୍କିତ ହୋଇଥାଏ ହଂସଙ୍କର ଏକ ଧାଡ଼ି। ଏହି ହଂସ, ନିଜନିଜର ଚଞ୍ଚୁରେ ମୃଣାଳ ଧାରଣ କରି ଗୋଟିଏ ଦିଗରେ ଯାତ୍ରା କରୁଥାଆନ୍ତି। ରଥର ପାରମ୍ପରିକ ପରିଭାଷାରେ ଏହାକୁ ‘ହଂସପଟି’ କୁହାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଭାରତୀୟ ପରମ୍ପରାରେ ହଂସର ଏକ ପ୍ରମୁଖ ସ୍ଥାନ ରହିଛି। ବ୍ରହ୍ମାଙ୍କର ରଥ ହଂସଦ୍ଵାରା ଚାଳିତ ହୋଇଥାଏ। ଦେବୀ ସରସ୍ୱତୀଙ୍କର ବାହନ ମରାଳ ବା ହଂସ। ଋଗ୍ବେଦରେ ହଂସ ଅଶ୍ୱିନୀକୁମାର ଦ୍ଵୟଙ୍କର ମଧ୍ୟ ବାହନ। ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଚାପ ମଧ୍ୟ ଯୋଡ଼ିହଂସ ଦ୍ଵାରା ଶୋଭିତ ହୋଇଥାଏ।
ଆମର ନିଃଶ୍ୱାସ ଓ ପ୍ରଶ୍ୱାସ ସହିତ ମଧ୍ୟ ହଂସକୁ ଯୋଡ଼ା ଯାଇଛି। ଆମ ପ୍ରାଣବାୟୁର ଗମନାଗମନ ‘ହଂସ’ ଭାବରେ କଥିତ। କାରଣ ‘ହ’ ବର୍ଣ୍ଣ ପୂରକ ଓ ‘ସ’ ବର୍ଣ୍ଣ ରେଚକ। ଦିନରାତି ପ୍ରତିକ୍ଷଣ ଆମର ପ୍ରାଣବାୟୁର ଗମନାଗମନ ଚାଲିଥାଏ, ତେଣୁ ଏହା ‘ହଂସ’ ‘ହଂସ’ ଜପ କରୁଥାଏ। ଏହା ମାଧ୍ୟମରେ ଆତ୍ମା ଓ ପରମାତ୍ମାଙ୍କର ସଂଯୋଗ ହୁଏ ଏବଂ ଏହାର ବିହୁନେ ଆତ୍ମା ଓ ପରମାତ୍ମାଙ୍କର ବିଚ୍ଛେଦ ଘଟିଥାଏ। ସେଥିପାଇଁ ଏହା ‘ଅଜପା ମନ୍ତ୍ର’ ଭାବରେ କଥିତ। ‘ସୋଽହଂ’ ଅର୍ଥାତ୍ ସେ ବା ପରମାତ୍ମା ଯିଏ ମୁଁ ବା ଜୀବାତ୍ମା ସିଏ- ଏହି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ।
ହଂସର ଆଉ ଏକ ଗୁଣ- ଏହା କ୍ଷୀର ମିଶ୍ରିତ ଜଳରୁ କ୍ଷୀର ଓ ଜଳକୁ ପୃଥକ୍ କରି ଦେଇପାରେ। ତେଣୁ ବିବେକବାନ୍ ବା ବିଷୟ ବିରାଗୀ ସନ୍ନ୍ୟାସୀଙ୍କୁ ‘ପରମହଂସ’ କୁହାଯାଇଥାଏ।
ରଥରେ ଏହି ହଂସପଟି ସ୍ଥାନ ପାଇବା ଶିଳ୍ପଶାସ୍ତ୍ର ସମର୍ଥିତ। ‘ମାନସାର ଶିଳ୍ପଶାସ୍ତ୍ର’ରେ ‘ହଂସ ଲକ୍ଷଣ ବିଧାନ’ ବର୍ଣ୍ଣିିତ ହୋଇଛି। ସେଥିରେ କୁହାଯାଇଛି- ଦେବତା, ବ୍ରାହ୍ମଣ ଓ ରାଜାଙ୍କ ନିବାସ ନିମନ୍ତେ ଉଦ୍ଦିଷ୍ଟ ପ୍ରାସାଦ ବା ହର୍ମ୍ୟର ସମ୍ମୁଖରେ, ତାହାର ‘ଉତ୍ତରୋର୍ଦ୍ଧ୍ୱ’ ଭାଗରେ ହଂସର ଏକ ଶ୍ରେଣୀ ଖୋଦିତ ବା ଅଙ୍କିତ ହେବା ବିଧେୟ। ଏହି ହଂସ ଶୁକ୍ଳବର୍ଣ୍ଣର ଏବଂ ସେମାନଙ୍କର ପାଦ ଈଷତ୍ ରକ୍ତାଭ ଓ ଚଞ୍ଚୁ ସୁବର୍ଣ୍ଣ ବର୍ଣ୍ଣର ହେବା ଆବଶ୍ୟକ।
କଳିଙ୍ଗର ମନ୍ଦିରସ୍ଥାପତ୍ୟରେ ଲତାବଦ୍ଧ ହଂସ ବା ହଂସଲତା ଏବଂ ଚଞ୍ଚୁରେ ମୁକ୍ତାମାଳା ଧାରଣ କରିଥିବା ହଂସପଙ୍କ୍ତି ଖୋଦିତ ହୋଇଥିବା ଦେଖାଯାଏ। ସୌନ୍ଦର୍ଯ୍ୟ ଓ ତତ୍ତ୍ଵ ଉଭୟ ଦୃଷ୍ଟିରୁ ଏହାର ଯଥାର୍ଥତା ରହିଛି। ରଥରେ ହଂସପଟିର ଚିତ୍ରଣ ମଧ୍ୟ ସେହି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ।
କିନ୍ତୁ ରଥରେ ଏହି ହଂସପଟି ଅରପୀଠର ଉପରିଭାଗରେ ଚିତ୍ରିତ ହେଉଥିବାରୁ ଏହାର ବିଶେଷ ତାତ୍ପର୍ଯ୍ୟ ରହିଛି ବୋଲି ତତ୍ତ୍ଵବିତ୍ମାନେ କହିଥାନ୍ତି। ସେମାନଙ୍କ ଅନୁସାରେ, ଏହା ହେଉଛି ସେହି ସ୍ଥାନ- ଯେଉଁଠାରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡିର ପରିସମାପ୍ତି ଘଟିଥାଏ। ଚାରମାଳରେ ଆସି ଏହିଠାରେ ହିଁ ଶ୍ରୀଜଗନ୍ନାଥ ରଥାରୋହଣ କରିଥାଆନ୍ତି। ଏହା ପୁନର୍ବାର ଯୌଗିକ ସାଧନାର ସେହି ତତ୍ତ୍ଵକୁ ପ୍ରତିପାଦିତ କରେ। କାରଣ ହଂସ-ସାଧନା ଦ୍ଵାରା ଆତ୍ମା ଓ ପରମାତ୍ମାଙ୍କର ମିଳନ ଘଟିଥାଏ।
ଏ ସଂପର୍କରେ ଯୋଗସାଧନା ସମ୍ବଳିତ ଗୋଟିଏ ଭଜନରେ ସେଥିପାଇଁ କୁହାଯାଇଛି, ‘‘ବାଇମନ ହୋ ବସି ହଂସକୁ ଖେଳା। / ହଂସ ଉଡ଼ିଗଲେ ବୁଡ଼ିବ ଭେଳା।’’
-ଅସିତ ମହାନ୍ତି