ରଥର କପୋତାଳି ବା ପାରାଭାଡ଼ି

ହଂସପଟି ଓ ଗାଈପଟା ପରି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ଥାଏ କପୋତାଳି। ଲୋକକଥିତ ଭାଷାରେ ଏହା ‘ପାରାଭାଡ଼ି’।

ରଥର ଋଷିପଟାର ଉପରିଭାଗରେ ଥିବା ପୋଟଳ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଏହା ଦୁଇଭାଗରେ ବିଭକ୍ତ ହୋଇଥାଏ। ତାହାର ମଝିରେ ରହିଥାଏ କପୋତାଳି ବା ପାରାଭାଡ଼ି। ୧୧ ପରସ୍ତ ପୋଟଳ ମଧ୍ୟରେ ପାରାଭାଡ଼ି ରହେ ଏବଂ ସେଥିରେ ଗାନକାରୀ ପକ୍ଷୀଙ୍କ ନିମନ୍ତେ ଆଠଟି ଖୋପ ରହିଥାଏ। ମଝିରେ ପ୍ରତୀକାତ୍ମକ ଭାବରେ ଛଅଟି ପକ୍ଷୀ ସ୍ଥାନ ପାଇଥାଆନ୍ତି। ଏହି ପକ୍ଷୀ କପୋତ ହୋଇଥିବାରୁ ତାହାକୁ କପୋତାଳି ବା ପାରାଭାଡ଼ି କୁହାଯାଏ।

ପ୍ରତି ରଥରେ ଗାନକାରୀ, ସୁକଣ୍ଠପକ୍ଷୀଙ୍କ ପାଇଁ ଆଠଟି ଖୋପ ରହୁଥିବାବେଳେ, କାହିଁକି ଛଅଟି ପକ୍ଷୀ ଚିତ୍ରିତ ହୁଅନ୍ତି, ସେ ସଂପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ମିଳେନାହିଁ। ତେବେ ଏହା ଶିଳ୍ପଶାସ୍ତ୍ର ସମର୍ଥିତ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପକ୍ଷୀ ପରାତ୍ପର ପରମାତ୍ମାଙ୍କର ପ୍ରିୟ। ସେଥିପାଇଁ ଜଗନ୍ନାଥ ଦାସଙ୍କ ଭାଗବତରେ ପରମାତ୍ମାଙ୍କର ବିଶେଷତ୍ଵ ବର୍ଣ୍ଣନା କରି ‘‘ପକ୍ଷୀଏ ଯା’ର ବ୍ୟାକରଣ’’ ବୋଲି କୁହାଯାଇଛି। ପୁଣି ଭକ୍ତିଯୁଗର ବିଭିନ୍ନ ରଚନାରେ ଘଣ୍ଟ, ଘଣ୍ଟା, ମୃଦଙ୍ଗ ଆଦିର ଧ୍ୱନି ପରି ପକ୍ଷୀଙ୍କର କାକଳି ମଧ୍ୟ ପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ବୋଲି କୁହାଯାଇଛି।

ପ୍ରତି ରଥରେ ହଂସ ଓ କପୋତଙ୍କ ବ୍ୟତୀତ ଓଲଟ ଶୁଆ ମଧ୍ୟ ଥାଆନ୍ତି। ପ୍ରତି ରଥର ଦୁଇ ଓଲଟ ଶୁଆଙ୍କର ସ୍ୱତନ୍ତ୍ର ତତ୍ତ୍ଵ ଓ ତାତ୍ପର୍ଯ୍ୟ ମଧ୍ୟ ଅଛି। (ସେ ସଂପର୍କରେ ପରେ ଆଲୋଚନା କରାଯିବ)। ଦୁଇ ଓଲଟ ଶୁଆଙ୍କ ପରି ଛଅ କପୋତପକ୍ଷୀଙ୍କର ମଧ୍ୟ ସ୍ୱତନ୍ତ୍ର ତତ୍ତ୍ଵ ଓ ତାତ୍ପର୍ଯ୍ୟ ଥିବା ଅନୁମାନ କରାଯାଏ।

ପାରା ଏକ କପୋତ ଜାତୀୟ ପକ୍ଷୀ। ଅପାଳିତ ଅବସ୍ଥାରେ ଏମାନେ ଚାଳରେ, ଦେଉଳ ବା ପର୍ବତ ଖୋଲରେ ରହନ୍ତି। ଦେଉଳରେ ରହୁଥିବା ପାରାଙ୍କୁ ‘ଦେଉଳିଆ ପାରା’ କୁହାଯାଇଥାଏ। କିନ୍ତୁ ଆଉ ଏକ ପ୍ରକାରର ପାରା ଅଛନ୍ତି- ଯାହାଙ୍କୁ ‘ଲୋଟଣି ପାରା’ କୁହାଯାଏ। ଆମ ଦେହ ଏକ ଓଲଟବୃକ୍ଷ ଏବଂ ଏଥିରେ ଅବସ୍ଥାନ କରୁଥିବା ଆତ୍ମାପକ୍ଷୀ ସାଂସାରିକ ବନ୍ଧନରେ ଲିପ୍ତ ନହେଲେ ପରମାତ୍ମାଙ୍କୁ ଲାଭ କରେ ବୋଲି କୁହାଯାଇଛି। ସେ ସଂପର୍କରେ ଗୋଟିଏ ଲୋକପ୍ରିୟ ଭଜନ ହେଉଛି- ‘‘ଓଲଟବୃକ୍ଷେ ଖେଳୁଛି ଲୋଟଣି ପାରା… ଅଠାକାଠି ପିଞ୍ଜରାରେ ନପଡ଼େ ଧରା।’’

କିନ୍ତୁ ଏହି ଭଜନର ରଚନାକାଳ ବହୁ ପରବର୍ତ୍ତୀ। ରଥର ବିଧିବ୍ୟବସ୍ଥା ତାହାର ବହୁଶତାବ୍ଦୀ ପୂର୍ବରୁ ପ୍ରଚଳିତ ରହି ଆସିଛି। ବୌଦ୍ଧଜାତକ କାହାଣୀରେ କପୋତପକ୍ଷୀ ଉପାଖ୍ୟାନ ଅଛି। ଭାଗବତରେ ମଧ୍ୟ ଅବଧୂତ କପୋତପକ୍ଷୀକୁ ଗୁରୁ କରିଛନ୍ତି। କପୋତପକ୍ଷୀ ଖାଦ୍ୟ ସଞ୍ଚୟ କରି ରଖେନାହିଁ। ପ୍ରତିଦିନର ଖାଦ୍ୟ ସେହିଦିନ ସଂଗ୍ରହ କରେ। ଏହାକୁ ନେଇ କପୋତ-ବ୍ରତର ବ୍ୟବସ୍ଥା ଆମ ପରମ୍ପରାରେ ରହିଛି। ଉଚ୍ଚସ୍ଥିତିର ସାଧୁ-ସନ୍ନ୍ୟାସୀ ଏହି ସ୍ୱଭାବର। କପୋତବ୍ରତରେ ବ୍ରତୀ, ସେହି ସ୍ୱଭାବର ଅବଲମ୍ବନ ନିଜ ଜୀବନରେ କରେ। ଏହାକୁ କପୋତବୃତ୍ତି ମଧ୍ୟ କୁହାଯାଏ। ତେବେ ପାରା ବା କପୋତପକ୍ଷୀକୁ ନେଇ ରହିଥିବା ପ୍ରତୀକର ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା କୌମାର୍ଯ୍ୟର ଶୁଦ୍ଧତା, ଉତ୍ପାଦକତା ଓ ମାତୃତାନ୍ତ୍ରିକତାର ପ୍ରତୀକ। ଇଜିପ୍‌ଟର ଲୋକ ପରମ୍ପରାରେ ମଧ୍ୟ ଏହା ଦିବ୍ୟ କୌମାର୍ଯ୍ୟ ସହିତ ସଂପୃକ୍ତ। ଗ୍ରୀକ୍‌ର ପ୍ରେମ ଓ ସୌନ୍ଦର୍ଯ୍ୟର ଦେବୀ ଆଫ୍ରୋଡାଇଟ୍‌ ଏବଂ ରୋମ୍‌ର ପ୍ରେମ ଓ ସୌନ୍ଦର୍ଯ୍ୟର ଦେବୀ ଭେନସ୍‌ଙ୍କ ସହିତ ପାରାକୁ ଯୋଡ଼ାଯାଇଛି। ତେବେ ଅନ୍ୟାନ୍ୟ ବହୁ ସଭ୍ୟତା ଓ ସଂସ୍କୃତିରେ ପାରା କୋମଳତା, ଶାନ୍ତି, ସକାରାତ୍ମକତା ଓ ବିବର୍ତ୍ତିିତ ଚେତନାର ପ୍ରତୀକ ରୂପେ ବିବେଚିତ।

କିନ୍ତୁ, ଏତେସବୁ ତତ୍ତ୍ଵକୁ ନଯାଇ ସାଧାରଣ ଭାବରେ ଦେଖିଲେ, ପାରା ଘରର ଉଚ୍ଚଚାଳ ବା ଦେଉଳରେ ରହିବାକୁ ଭଲପାଏ। ରଥ ଏକ ଚଳମାନ ମନ୍ଦିର। ଏକ ଚକ-ମନ୍ଦିର। ତେଣୁ ତାହାର ଶୀର୍ଷ ଭାଗରେ ପାରାଭାଡ଼ି ରହିବା ଏକ ସ୍ୱାଭାବିକତା ଏବଂ ଏହା ଶିଳ୍ପଶାସ୍ତ୍ର ଦ୍ଵାରା ସମର୍ଥିତ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର