ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା (୩)

0 52

ନାରଦ, ଦେବଳ, ଶୁକ, ବ୍ୟାସ ଓ ପରାଶରଙ୍କ ବ୍ୟତୀତ ନନ୍ଦିଘୋଷ ରଥର ଋଷିପଟାରେ ସ୍ଥାନ ପାଇଥିବା ଶେଷ ତିନି ଋଷି ହେଉଛନ୍ତି- ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

୬. ବଶିଷ୍ଠ: ବ୍ରହ୍ମାଙ୍କର ମାନସପୁତ୍ର ତଥା ଜଣେ ବ୍ରହ୍ମର୍ଷି ଭାବରେ ବଶିଷ୍ଠ ପ୍ରସିଦ୍ଧ। ସେ ଋକ୍‌ବେଦର ସପ୍ତମମଣ୍ଡଳ ଓ ଅନ୍ୟ ବେଦମନ୍ତ୍ରର ଦ୍ରଷ୍ଟା (ରଚୟିତା)। ସେ ଇକ୍ଷ୍ଵାକୁ ବଂଶର କୁଳଗୁରୁ। ସେହି ବଂଶରେ ଦିଲୀପ, ରଘୁ ଓ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ବିଶ୍ୱାମିତ୍ରଙ୍କୁ ମହର୍ଷି କରିବାରେ ତାଙ୍କର ଭୂମିକା ଥିଲା। ସେ ଦାନବୀର ହରିଶ୍ଚନ୍ଦ୍ରଙ୍କର ମଧ୍ୟ କୁଳ ପୁରୋହିତ ଥିଲେ ଏବଂ ରାମଚନ୍ଦ୍ର ଅଯୋଧ୍ୟରେ ରାଜା ହେବା ପରେ ତାଙ୍କର ପରମ ମନ୍ତ୍ରଣାଦାତା ହୋଇଥିଲେ। ସେ ସପ୍ତର୍ଷିଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ପତ୍ନୀ ଅରୁନ୍ଧତୀ ମଧ୍ୟ ତପନିଷ୍ଠା ଓ ପତିନିଷ୍ଠା ଯୋଗୁଁ ତାଙ୍କ ସହିତ ସପ୍ତର୍ଷିମଣ୍ଡଳରେ, ତାଙ୍କ ନିକଟରେ ସ୍ଥାନ ପାଇଛନ୍ତି। ମହାଭାରତ, ରାମାୟଣ ଓ ବିଷ୍ଣୁ ପୁରାଣ ଆଦିରେ ତାଙ୍କ ସୁଗୁଣର ବହୁ ବର୍ଣ୍ଣନା ଅଛି।

୭. ବିଶ୍ୱାମିତ୍ର: ବିଶ୍ୱାମିତ୍ର ଜଣେ ବିଚିତ୍ର ଋଷି। ତାଙ୍କର ଜନ୍ମକାହାଣୀ ମଧ୍ୟ ବିଚିତ୍ର। କାନ୍ୟକୁବ୍ଜର ମହାରାଜା ଗାଧୀଙ୍କ ପୁତ୍ର ସେ। ମହର୍ଷି ଭୃଗୁ ସତ୍ୟବତୀଙ୍କୁ ଓ ତାଙ୍କ ମାତାଙ୍କୁ ସନ୍ତାନବତୀ ହେବାପାଇଁ ଅଲଗା ଅଲଗା ଚରୁ ଦେଇଥିଲେ। କିନ୍ତୁ ସତ୍ୟବତୀଙ୍କ ମାତା ଭୁଲରେ ସତ୍ୟବତୀଙ୍କ ଚରୁ ଖାଇଦେଲେ। ତେଣୁ ବିଶ୍ୱାମିତ୍ର କ୍ଷତ୍ରୀୟ ହେଲେ ମଧ୍ୟ ତାଙ୍କଠାରେ ବ୍ରାହ୍ମଣର ଗୁଣ ଓ କର୍ମ ପ୍ରକାଶ ପାଇଲା। ପ୍ରାଥମିକ ଜୀବନ କ୍ଷତ୍ରିୟ ସୁଲଭ ଗୁଣରେ କଟିବା ପରେ, ସେ ବ୍ରହ୍ମତ୍ଵ ପ୍ରାପ୍ତି ପ୍ରତି ଆଗ୍ରହୀ ହୋଇଥିଲେ। ତାଙ୍କ ବ୍ୟକ୍ତିତ୍ଵର ବୈଚିତ୍ର୍ୟ ହେଉଛି- ସେ ପ୍ରଥମେ ରାଜର୍ଷି, ପରେ ଋଷି ଓ ମହର୍ଷି ଏବଂ ଶେଷରେ ବ୍ରହ୍ମର୍ଷି ହୋଇଥିଲେ। ତାଙ୍କର ତପଶକ୍ତି ଏପରି ଥିଲା ଯେ ତାହାର ବଳରେ ତ୍ରିଶଙ୍କୁଙ୍କ ପାଇଁ ସେ ଏକ ସ୍ୱତନ୍ତ୍ର ସ୍ୱର୍ଗ ସୃଷ୍ଟି କରିଥିଲେ।

ଶ୍ରୀରାମ ଅବତାର ସହିତ ବିଶ୍ୱାମିତ୍ର ଘନିଷ୍ଠ ଭାବରେ ସଂପୃକ୍ତ। ବାଲ୍ୟାବସ୍ଥାରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଅଯୋଧ୍ୟାରୁ ନେଇ ସେ ଋଷିମାନଙ୍କର ଯଜ୍ଞ ରକ୍ଷା କରିଥିଲେ। ଶ୍ରୀରାମଙ୍କୁ ସେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ। ତାଙ୍କର କଲ୍ୟାଣରୁ ଶ୍ରୀରାମ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ। ଏ ଦୃଷ୍ଟିରୁ କଳିଯୁଗର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥରେ ସେ ସ୍ଥାନ ପାଇଛନ୍ତି।

୮. ରୁଦ୍ର: ସୃଷ୍ଟି ରଚନାରେ ସକ୍ରିୟ ଅଂଶଗ୍ରହଣ କରିଥିବା ଜଣେ ଋଷି ହେଉଛନ୍ତି ରୁଦ୍ର। ‘ବିଷ୍ଣୁପୁରାଣ’ ଓ ‘ପଦ୍ମପୁରାଣ’ରେ ଏହାଙ୍କ କାହାଣୀ ଭିନ୍ନ ଭାବରେ ବର୍ଣ୍ଣିିତ ହୋଇଛିା ‘ବିଷ୍ଣୁପୁରାଣ’ ଅନୁସାରେ, ବ୍ରହ୍ମା ପ୍ରଜାସୃଷ୍ଟି କରୁଥିବା ବେଳେ ତାଙ୍କ ଶରୀରରୁ ଗୋଟିଏ ରୋଦନକାରୀ ପୁତ୍ର ଜାତ ହେଲେ। ତେଣୁ ବ୍ରହ୍ମା ତାଙ୍କର ନାମ ଦେଲେ ରୁଦ୍ର। କିନ୍ତୁ ‘ପଦ୍ମପୁରାଣ’ ଅନୁସାରେ, ବ୍ରହ୍ମା ଥରେ କ୍ରୁଦ୍ଧ ହେବାରୁ ତାଙ୍କର ଦୁଇ ଭ୍ରମଧ୍ୟରୁ ରୁଦ୍ରଙ୍କର ଆବିର୍ଭାବ ହୋଇଥିଲା। ତାଙ୍କର ଅଧା ଶରୀର ନାରୀ ଓ ଅଧା ଶରୀର ପୁରୁଷ ଥିଲା। ବ୍ରହ୍ମାଙ୍କ ଆଦେଶରେ ସେ ନିଜ ଶରୀରକୁ ପୁରୁଷ ଓ ନାରୀ ଦୁଇ ଭାଗରେ ବିଭକ୍ତ କରିଦେଲେ ଏବଂ ସେହି ଦୁଇ ଶରୀରକୁ ପୁଣି ଏକାଦଶ ପୁରୁଷ ଓ ଏକାଦଶ ନାରୀରେ ବିଭକ୍ତ କଲେ। ସେହି ନାରୀ ଓ ପୁରୁଷମାନେ ପ୍ରଜା ସୃଷ୍ଟିରେ ବିଶେଷ ଭୂମିକା ନିର୍ବାହ କରିଥିଲେ। ତେବେ ପରେ ବ୍ରହ୍ମାଙ୍କ ଆଦେଶରେ ରୁଦ୍ର ସୃଷ୍ଟି ବିସ୍ତାରରୁ ବିରତ ହୋଇ ଭଗବାନ ବିଷ୍ଣୁଙ୍କ ଆରାଧନାରେ କାଳାତିପାତ କଲେ। ତେଣୁ ଭଗବାନଙ୍କ ଉପାସକ ତଥା ଲୋକ କଲ୍ୟାଣକାରୀ ଋଷି ଭାବରେ ସେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଷ୍ଟଋଷିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.