ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ଅଗସ୍ତ୍ୟ, କୃଷ୍ଣ, ମୁଦ୍‌ଗଲ ଓ କଶ୍ୟପ। ତେବେ ଅନ୍ୟ କେତେକ ଆଲୋଚନାରେ ଏହି ଅଷ୍ଟଋଷିଙ୍କ ନାମ ସଂପୂର୍ଣ୍ଣ ଭିନ୍ନ ବୋଲି ଉଲ୍ଲେଖ ଅଛି। ସେହି ଅଷ୍ଟଋଷି ହେଉଛନ୍ତି- ଅପ, ଧ୍ରୁବ, ସୋମ, ଅନଳ, ଅନିଳ, ଧର, ପ୍ରତ୍ୟୁଷ ଓ ପ୍ରଭବ। ଏମାନେ ଅଷ୍ଟବସୁ ବୋଲି ଆଲୋଚକମାନେ ଉଲ୍ଲେଖ କରିଛନ୍ତି।

ତାଳଧ୍ୱଜ ରଥର ଅଷ୍ଟଋଷିଙ୍କ ମଧ୍ୟରୁ ପୁଲହ, ପୁଲସ୍ତ୍ୟ, ଅତ୍ରି ଓ ଅଙ୍ଗିରା ଆକାଶର ଈଶାନ କୋଣରେ ଅବସ୍ଥିତ ସପ୍ତର୍ଷିମଣ୍ଡଳରେ ସ୍ଥାନପାଇଛନ୍ତି। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

୧. ପୁଲହ: ବ୍ରହ୍ମାଙ୍କର ମାନସପୁତ୍ର ସାତ ଋଷିଙ୍କ ମଧ୍ୟରୁ ପୁଲହ ଜଣେ। ବିଭିନ୍ନ ମନ୍ଵନ୍ତରରେ ଯେଉଁ ସାତ ଋଷି ଆବିର୍ଭୂତ ହୋଇ ଧର୍ମରକ୍ଷା ଓ ଲୋକରକ୍ଷା କରିଥାଆନ୍ତି, ପୁଲହ ସେମାନଙ୍କର ଅନ୍ତର୍ଭୁକ୍ତ। ଏ ବ୍ରହ୍ମାଙ୍କ ନାଭିରୁ ଜାତ ହୋଇଥିଲେ। ଏହାଙ୍କର ପତ୍ନୀଙ୍କ ନାମ କ୍ଷମା। କିନ୍ତୁ ଅନ୍ୟ କେତେକ ପୁରାଣରେ ଏହାଙ୍କ ପତ୍ନୀଙ୍କ ନାମ ଗତି ବୋଲି ଉଲ୍ଲେଖ ଅଛି। କ୍ଷମାଙ୍କ ଗର୍ଭରୁ କର୍ଦ୍ଦମ ଋଷି ଓ କର୍ଦ୍ଦମଙ୍କଠାରୁ କପିଳମୁନି ଜାତ ହୋଇ ସାଂଖ୍ୟଦର୍ଶନ ପ୍ରଣୟନ କରିଥିଲେ। ତେବେ ଅନ୍ୟ କେତେକ ପୁରାଣରେ, ପତ୍ନୀ ଗତିଙ୍କଠାରୁ କର୍ମଶ୍ରେଷ୍ଠ, ବରୀୟାନ ଓ ସହିଷ୍ଣୁ ନାମରେ ତାଙ୍କର ତିନିପୁତ୍ର ଜାତ ହୋଇଥିଲେ ବୋଲି ବର୍ଣ୍ଣନା ଅଛି। ଏ ବାମନ ବିଷ୍ଣୁଙ୍କୁ ଅକ୍ଷସୂତ୍ର ପିନ୍ଧାଇଥିଲେ ବୋଲି ମଧ୍ୟ ‘ବିଷ୍ଣୁପୁରାଣ’ରେ ବର୍ଣ୍ଣନା ମିଳେ। ପୁଲହଙ୍କର ଗୋଟିଏ ଆଶ୍ରମ ଥିଲା ଏବଂ ତାହା ଅତ୍ୟନ୍ତ ପବିତ୍ର ଥିଲା। ଭରତ ଓ ଋଷଭ ସେଠାକୁ ଆସି ଶେଷ ଜୀବନ ବିତାଇଥିଲେ। ସେହି ଆଶ୍ରମ ଏପରି ପବିତ୍ର ଥିଲା ଯେ ବଳରାମ ମଧ୍ୟ ତାଙ୍କର ଆଶ୍ରମକୁ ଆସିଥିଲେ। ପୁଲହ ମାଧବ (ବୈଶାଖ) ମାସରେ ଅର୍ଯ୍ୟମା ଆଦି ଅନ୍ୟ ସୌରଗଣଙ୍କ ସହିତ ସୂର୍ଯ୍ୟଙ୍କ ରଥରେ ଅଧିଷ୍ଠିତ ହୁଅନ୍ତି ବୋଲି ‘ଭାଗବତ’ରେ ବର୍ଣ୍ଣନା ରହିଛି। ଏଣୁ ବଳଭଦ୍ରଙ୍କ ରଥରେ ଅନ୍ୟ ଋଷିଙ୍କ ମଧ୍ୟରେ ସେ ସ୍ଥାନ ପାଇବା ତାତ୍ପର୍ଯ୍ୟପୂର୍ଣ୍ଣ।

୨. ପୁଲସ୍ତ୍ୟ: ସପ୍ତର୍ଷିମଣ୍ଡଳର ସପ୍ତଋଷିଙ୍କ ମଧ୍ୟରୁ ଏ ବି ଜଣେ। ଏ ବ୍ରହ୍ମର୍ଷି ଏବଂ ବ୍ରହ୍ମାଙ୍କର ମାନସ ସନ୍ତାନ ଭାବରେ ତାଙ୍କର କର୍ଣ୍ଣରୁ ଜାତ ହୋଇଥିଲେ। ସେ ଥିଲେ ବ୍ରହ୍ମାଙ୍କ ପରି ତେଜସ୍ୱୀ। ସୁମେରୁ ପର୍ବତ ନିକଟରେ ଥିବା ତୃଣବିନ୍ଦୁ ମୁନିଙ୍କ ଆଶ୍ରମ ଉପାନ୍ତରେ ଏ ତପସ୍ୟା କରିଥିଲେ। କିନ୍ତୁ ଅପ୍‌ସରା ଓ ମୁନିକନ୍ୟାମାନଙ୍କ ନୃତ୍ୟଗୀତରେ ତାଙ୍କର ତପଭଙ୍ଗ ହେବାରୁ ସେ କ୍ରୁଦ୍ଧ ହେଲେ। ସେଠାକୁ ଯେଉଁ କନ୍ୟା ଆସି ତାଙ୍କୁ ଦେଖିବ ସେ ଗର୍ଭବତୀ ହୋଇଯିବ ବୋଲି ସେ ଅଭିଶାପ ଦେଲେ। ଦିନେ ତୃଣବିନ୍ଦୁ ମୁନିଙ୍କ କନ୍ୟା ହବିର୍ଭୂ ଆସି ତାଙ୍କ ବେଦପାଠରେ ମୁଗ୍ଧ ହୋଇ ତାଙ୍କୁ ଚାହିଁବାରୁ ସେ ଗର୍ଭବତୀ ହୋଇଗଲେ। ତେଣୁ ତୃଣବିନ୍ଦୁଙ୍କ ଅନୁରୋଧରେ ପୁଲସ୍ତ୍ୟ ହବିର୍ଭୂଙ୍କୁ ବିବାହ କରିଥିଲେ। ତାଙ୍କରି ପୁତ୍ର ବିଶ୍ରବା। ସେ ପିତାଙ୍କ ପରି ତେଜସ୍ୱୀ ଓ ସଦ୍‌ଗୁଣସଂପନ୍ନ ଋଷି ଥିଲେ। ତାଙ୍କ ପ୍ରତି ଆକୃଷ୍ଟ ହୋଇ ମହାମୁନି ଭରଦ୍ଵାଜ ନିଜର କନ୍ୟା ଦେବବର୍ଣ୍ଣିନୀଙ୍କୁ ତାଙ୍କୁ ବିବାହ ଦେଇଥିଲେ। ଦେବବର୍ଣ୍ଣିନୀଙ୍କ ଗର୍ଭରୁ କୁବେର ଜାତ ହୋଇଥିଲେ। ତେଣୁ ବିଶ୍ରବାଙ୍କ ପୁତ୍ର ରୂପେ ‘ବୈଶ୍ରବଣ’ ଭାବରେ ସେ ପରିଚିତ। କୁବେର ଧନାଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇ ସଂସାର କଲ୍ୟାଣ ନିମନ୍ତେ ଧନର ଉପଯୋଗ କରିଥିଲେ। ସେ ଥିଲେ ସ୍ୱର୍ଣ୍ଣଲଙ୍କାର ପ୍ରତିଷ୍ଠାତା। କିନ୍ତୁ ରାବଣ ତାଙ୍କୁ ସେଠାରୁ ବିତାଡ଼ିତ କରି ନିଜେ ରାଜା ହୋଇଥିଲା। ବିଶ୍ରବାଙ୍କ ଅନ୍ୟ ପତ୍ନୀ ନିକଷା ବା କୈକେସୀଙ୍କ ଗର୍ଭରୁ ରାବଣ ଏବଂ କୁମ୍ଭକର୍ଣ୍ଣ, ବିଭୀଷଣ ଓ ଶୂର୍ପଣଖା ଜାତ ହୋଇଥିଲେ। ବିଭୀଷଣ ନିଜର ପିତା ବିଶ୍ରବା ଓ ପିତାମହ ପୁଲସ୍ତ୍ୟଙ୍କ ପରି ଧର୍ମପଥ ଅନୁସରଣ କରିବା ସହିତ ଶ୍ରୀରାମଙ୍କର ଶରଣ ନେଇଥିଲେ। ପୁଲସ୍ତ୍ୟ ରାକ୍ଷସ ବଂଶର ପିତା ହୋଇଥିବାରୁ ରାକ୍ଷସମାନେ ‘ପୌଲସ୍ତ୍ୟ’ ଭାବରେ ପରିଚିତ ହୁଅନ୍ତି। ଏ ବ୍ରହ୍ମାଙ୍କଠାରୁ ‘ବ୍ରହ୍ମ ପୁରାଣ’ ପ୍ରାପ୍ତ ହୋଇ ତାହାକୁ ପରାଶରଙ୍କୁ ଶୁଣାଇଥିଲେ ଏବଂ ପରାଶର ପ୍ରଜା ସମାଜରେ ତାହାର ପ୍ରସାର କରିଥିଲେ। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର