ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା (୨)

ପୁଲହ ଓ ପୁଲସ୍ତ୍ୟଙ୍କ ପରି ଶ୍ରୀବଳଭଦ୍ରଙ୍କ ରଥର ଋଷିପଟାରେ ସପ୍ତର୍ଷିମଣ୍ଡଳର ଅନ୍ୟ ଯେଉଁ ଦୁଇଋଷି ସ୍ଥାନପାଇଛନ୍ତି, ସେ ଦୁହେଁ ହେଲେ ଅତ୍ରି ଓ ଅଙ୍ଗିରା। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

୩. ଅତ୍ରି: ବ୍ରହ୍ମାଙ୍କର ଦଶ ମାନସ ପୁତ୍ରଙ୍କ ମଧ୍ୟରେ ଏ ଋଷିଙ୍କୁ ଗ୍ରହଣ କରାଯାଇଥାଏ। ଏ ବ୍ରହ୍ମାଙ୍କ ଚକ୍ଷୁରୁ ଜାତ ହୋଇଥିଲେ। ତେବେ ପୁରାଣ ପ୍ରସଙ୍ଗ ଅଛି ଯେ ବ୍ରହ୍ମାଙ୍କର ଦଶ ମାନସ ପୁତ୍ର ଶିବଙ୍କ ଶାପରେ ମୃତ୍ୟୁ ଲଭିବାରୁ ବ୍ରହ୍ମା ଏକ ଯଜ୍ଞ କରିଥିଲେ ଏବଂ ସେହି ଯଜ୍ଞର ଶିଖାରୁ ଅତ୍ରି ପୁନର୍ବାର ଜନ୍ମ ହୋଇଥିଲେ। ତେଣୁ ଅତ୍ରି ହୋଇଥିଲେ ଅତ୍ୟନ୍ତ ତେଜସ୍ୱୀ। ଦୁଇଟିଯାକ ଜନ୍ମରେ କର୍ଦ୍ଦମ ପ୍ରଜାପତିଙ୍କ କନ୍ୟା ଅନସୂୟା ତାଙ୍କର ପତ୍ନୀ ହୋଇଥିଲେ। ସେମାନଙ୍କର ପୁତ୍ର ରୂପେ ବ୍ରହ୍ମାଙ୍କ ଅଂଶରୁ ସୋମ, ବିଷ୍ଣୁଙ୍କ ଅଂଶରୁ ଦତ୍ତାତ୍ରେୟ ଓ ମହେଶ୍ୱରଙ୍କ ଅଂଶରୁ ଦୁର୍ବାସା ଜାତ ହୋଇଥିଲେ। ଏଣୁ ସେମାନେ ‘ଆତ୍ରେୟ’ ଭାବରେ ପରିଚିତ। ସୋମ ବୃକ୍ଷଲତା, ଔଷଧୀୟ ଗୁଳ୍ମ ଓ ଶୀତଳ ଆଲୋକ ପ୍ରଦାନ କରି ଲୋକକଲ୍ୟାଣ କରିଥିଲେ। ଚରକ ତାଙ୍କଠାରୁ ଚିକିତ୍ସାବିଦ୍ୟା ଶିକ୍ଷା କରିଥିଲେ। ଦତ୍ତାତ୍ରେୟ କ୍ରୋଧୀ ଥିଲେ ହେଁ ତାଙ୍କର କ୍ରୋଧ ଲୋକକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଥିଲା। ଦୁର୍ବାସା ମଧ୍ୟ ଥିଲେ ଜଣେ ପ୍ରସିଦ୍ଧ ଋଷି। ସେ ବି କ୍ରୋଧୀ ଥିଲେ। ଥରେ ତାଙ୍କ ଅଭିଶାପରେ ଇନ୍ଦ୍ର ଶକ୍ତିହୀନ ହୋଇଯିବାରୁ ଦେବଗଣଙ୍କୁ ଅମୃତ ଦ୍ଵାରା ଶକ୍ତିମାନ୍‌ କରିବାକୁ ସମୁଦ୍ର ମନ୍ଥନ କରିବାକୁ ପଡ଼ିଥିଲା। ତେଣୁ ତାଙ୍କର କ୍ରୋଧ ମଧ୍ୟ ଲୋକମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା।

ଅତ୍ରି ଅତ୍ୟନ୍ତ ତେଜସ୍ୱୀ ହୋଇଥିବାରୁ ରାହୁର ଗ୍ରାସରେ କ୍ଷତ ବିକ୍ଷତ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରଭାହୀନ ହେବା ବେଳେ ଅତ୍ରି ଅନ୍ଧକାର ଦୂରପାଇଁ ଆଲୋକ ପ୍ରଦାନ କରିଥିଲେ ଏବଂ ଦୈତ୍ୟଗଣଙ୍କୁ ବିନାଶ କରିଥିଲେ। ରାମ ଓ ସୀତା ବନବାସ କାଳରେ ଅତ୍ରି ଓ ଅନସୂୟାଙ୍କ ଆଶ୍ରମକୁ ଯାଇ ତାଙ୍କୁ ଦର୍ଶନ କରିଥିଲେ ବୋଲି ମଧ୍ୟ ରାମାୟଣରେ ବର୍ଣ୍ଣନା ଅଛି।

୪. ଅଙ୍ଗିରା: ଅଙ୍ଗୀରସ ମୁନି ବା ଅଙ୍ଗୀରା ବ୍ରହ୍ମାଙ୍କର ମାନସପୁତ୍ର ଏବଂ ସେ ବ୍ରହ୍ମାଙ୍କ ମସ୍ତକରୁ ଜାତ ହୋଇଥିଲେ। ତାଙ୍କର ଥିଲେ ସାତ ପ୍ରଭାମୟ ପୁତ୍ର ଓ ସାତ ପ୍ରଭାମୟୀ କନ୍ୟା। ତାଙ୍କ ପୁତ୍ର ଦେବଗୁରୁ ବୃହଷ୍ପତିଙ୍କଠାରୁ ପାଞ୍ଚ ଅଗ୍ନି (ପଞ୍ଚାଗ୍ନି) ଜାତ ହୋଇଥିଲେ। ଅଗ୍ନିଙ୍କ ସହ ନିବିଡ଼ ସଂପର୍କ ହେତୁ ସେ ମଧ୍ୟ ଦ୍ଵିତୀୟ ଅଗ୍ନି ଭାବରେ ପ୍ରସିଦ୍ଧ। ଯଜ୍ଞହବି ଦେବତାଙ୍କ ନିକଟରେ ପହଞ୍ଚାଇ ଦେବାର ଦାୟିତ୍ଵ ଅଗ୍ନିଦେବ ତାଙ୍କୁ ଦେଇଥିଲେ। ପୁଣି ତାଙ୍କର ଜଣେ ପୁତ୍ର କ୍ଷୀଣକାୟ ହୋଇ ପୃଥିବୀ ଅଭ୍ୟନ୍ତରରେ ପ୍ରବେଶ କରିବାରୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରୁ ଲୁହା ଆଦି ଧାତୁ, ଗନ୍ଧକ ଆଦି ଉପଧାତୁ ଏବଂ ମର୍କତ, ସ୍ଫଟିକ (ସୂର୍ଯ୍ୟକାନ୍ତ) ଆଦି ମଣିର ଉତ୍ପତ୍ତି ହୋଇଥିଲା। ସିନୀବାଳୀ (ଚତୁର୍ଦ୍ଦଶୀଯୁକ୍ତ ଅମାବାସ୍ୟା), ମାହିଷ୍ମତୀ (ଚତୁର୍ଦ୍ଦଶୀଯୁକ୍ତା ପୂର୍ଣ୍ଣିିମା), ହବିଷ୍ମତୀ (ପ୍ରତିପଦାଯୁକ୍ତ ପୂର୍ଣ୍ଣିିମା) ଆଦି ତାଙ୍କର କନ୍ୟା। କୁହୁ ନାମ୍ନୀ ତାଙ୍କର କନ୍ୟାଙ୍କୁ ଲୋକେ ଭଗବତୀ ଉମା ରୂପେ ପୂଜା କରୁଥିଲେ। ‘ଅଙ୍ଗୀରସ ସଂହିତା’ର ସେ ରଚୟିତା। ସପ୍ତର୍ଷିମଣ୍ଡଳର ସପ୍ତଋଷିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି ଏବଂ ଶ୍ରୀକ୍ଷେତ୍ର ପୁରୀର ଦୋଳମଣ୍ଡପ ସାହିଠାରେ ତାଙ୍କର ଏକ ଆଶ୍ରମ ରହିଛି।

ସପ୍ତର୍ଷିମଣ୍ଡଳର ଏହି ଚାରି ଋଷି- ପୁଲହ, ପୁଲସ୍ତ୍ୟ, ଅତ୍ରି ଓ ଅଙ୍ଗିରାଙ୍କ ବ୍ୟତୀତ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଋଷିପଟାରେ ଥାଆନ୍ତି ଅନ୍ୟ ଚାରି ଋଷି- ଅଗସ୍ତ୍ୟ, କୃଷ୍ଣ, ମୁଦ୍‌ଗଲ ଓ କଶ୍ୟପ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

୫. ଅଗସ୍ତ୍ୟ: ଅଗସ୍ତ୍ୟ ବା ଅଗସ୍ତି ଜଣେ ପୁରାଣପ୍ରସିଦ୍ଧ ଋଷି। ବୈଦିକ ଦେବତା ମିତ୍ର (ତେଜମୟ ସୂର୍ଯ୍ୟ) ଓ ବରୁଣଙ୍କର ମିଳିତ ତେଜରୁ ଜାତ ମିତ୍ରାବରୁଣ ଋଷିଙ୍କ ବୀର୍ଯ୍ୟରୁ ତାଙ୍କର ଜନ୍ମ। ମିତ୍ରାବରୁଣଙ୍କ ବୀର୍ଯ୍ୟ ଯଜ୍ଞକୁମ୍ଭ ମଧ୍ୟରେ ନିକ୍ଷେପିତ ହେବା ଫଳରେ ଅଗସ୍ତ୍ୟ ଜନ୍ମ ହୋଇଥିଲେ। ତେଣୁ ସେ ‘କୁମ୍ଭଯୋନି’, ‘ଘଟୋତ୍‌ଭବ’ ଓ ‘କୁମ୍ଭସମ୍ଭବ’ ଆଦି ନାମରେ ସମ୍ବୋଧିତ ହୁଅନ୍ତି। ମିତ୍ରାବରୁଣଙ୍କ ବୀର୍ଯ୍ୟରୁ ଜାତ ହୋଇଥିବାରୁ ସେ ମଧ୍ୟ ‘ମିତ୍ରାବରୁଣୀ’।

ଅଗସ୍ତ୍ୟ ଖର୍ବାକୃତି ଥିବାରୁ ତାଙ୍କର ଅନ୍ୟ ଏକ ନାମ ‘ମୀନ’। ମହାନ୍‌ ତେଜସଂପନ୍ନ ହେତୁ ସେ ‘ଆଗ୍ନେୟ’। ତାଙ୍କର ନାମ କାହିଁକି ‘ଅଗସ୍ତି’ ତାହାର ମଧ୍ୟ ତାତ୍ପର୍ଯ୍ୟ ଅଛି। ସେ ଥିଲେ ବିନ୍ଧ୍ୟପର୍ବତଙ୍କର ଗୁରୁ। ବିନ୍ଧ୍ୟପର୍ବତ ଅତ୍ୟଧିକ ଭାବରେ ବୃଦ୍ଧିପାଇବାରୁ, ସୂର୍ଯ୍ୟଙ୍କର ଗତିରୋଧ ହେଲା। ଫଳରେ ଲୋକକଲ୍ୟାଣପାଇଁ ସେ ଅଗସ୍ତ୍ୟଙ୍କର ଶରଣ ପଶିଲେ। ସେଥିପାଇଁ ଅଗସ୍ତ୍ୟ ବିନ୍ଧ୍ୟପର୍ବତ ନିକଟକୁ ଗଲେ। ତାଙ୍କୁ ଦେଖି ବିନ୍ଧ୍ୟ ମଥା ନୁଆଁଇ ପ୍ରଣାମ କରିବା ବେଳେ ସେ କହିଲେ- ‘‘ମୁଁ ଦକ୍ଷିଣାପଥ ଯାତ୍ରାରୁ ଫେରିବା ପର୍ଯ୍ୟନ୍ତ ତୁମେ ଏହିପରି ଥାଅ।’’ ଅଗସ୍ତ୍ୟ ଆଉ ଫେରିଲେ ନାହିଁ। ଫଳରେ ବିନ୍ଧ୍ୟପର୍ବତ ସେହିଦିନୁ ମଥାନତ କରି ରହିଛି।

ଏହିପରି ବହୁ ଲୋକକଲ୍ୟାଣକର କାର୍ଯ୍ୟ ଅଗସ୍ତ୍ୟ କରିଛନ୍ତି। କାଳକେୟ ରାକ୍ଷସ ଦେବତାଙ୍କ ଉପରେ ଆକ୍ରମଣ କରି ସମୁଦ୍ରରେ ଯାଇ ଲୁଚୁଥିଲା। ତେଣୁ ତାକୁ କେହି ଠାବ କରିପାରୁ ନଥିଲେ। ସେଥିପାଇଁ ଅଗସ୍ତ୍ୟ ସପ୍ତସମୁଦ୍ରକୁ ଶୋଷଣ କରିଦେଇ ତା’ର ମୃତ୍ୟୁର କାରଣ ହୋଇଥିଲେ। ବାତାପି ରାକ୍ଷସକୁ ନିଜ ଗର୍ଭରେ ହଜମ କରିଦେଇ ସେ ତାର ବଡ଼ଭାଇ ଇଲ୍ଵଳକୁ ପଦାନତ କରିଥିଲେ। ଫଳରେ ଇଲ୍ଵଳ ତାଙ୍କୁ ଗୋଟିଏ ସୁବର୍ଣ୍ଣ ରଥ ସହିତ ବେଗଗାମୀ ଅଶ୍ୱ ପ୍ରଦାନ କରିଥିଲା।

ରାମାବତାର ସହିତ ମଧ୍ୟ ଅଗସ୍ତ୍ୟଙ୍କର ସଂପର୍କ ଘନିଷ୍ଠ। ବନବାସ କାଳରେ ସେ ରାମଙ୍କୁ ବୈଷ୍ଣବ ଧନୁ ଓ ଅକ୍ଷୟ ତୂଣୀର ପ୍ରଦାନ କରିଥିଲେ। ବୈଦିକ ଜ୍ଞାନରେ ସେ ପଣ୍ଡିତ ଥିଲେ। ନାଗରାଜ ‘ଶେଷ’ଙ୍କଠାରୁ ‘କୃଷ୍ଣ ପ୍ରେମାମୃତମ୍‌’ ସ୍ତୋତ୍ର ଶୁଣି ତାହାକୁ ସେ ପରଶୁରାମଙ୍କୁ ଶୁଣାଇଥିଲେ। ପରଶୁରାମ ତାହାକୁ ଲୋକ ସମାଜରେ ପ୍ରସାର କରିଥିଲେ।
ଏହି ମହାମୁନି ସର୍ବଦା ଦକ୍ଷିଣ ଆକାଶରେ ଉଜ୍ଜ୍ଵଳ ନକ୍ଷତ୍ର ରୂପରେ ବିଦ୍ୟମାନ ଥାଆନ୍ତି। ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ରୂପେ ସର୍ବଦା ସେ ତାଙ୍କ ସାନ୍ନିଧ୍ୟରେ ରହିବାକୁ ଚାହିଁଥାଆନ୍ତି। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର