ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଋଷିପଟା

ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ବା ‘ଦର୍ପଦଳନ’ ରଥର ଋଷିପଟାରେ ଯେଉଁ ଅଷ୍ଟଋଷି ଅବସ୍ଥାନ କରନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ନାମ ମିଳେନାହିଁ। ସେହି ଦୁଇ ନାମ ପରିବର୍ତ୍ତେ ‘ପ୍ରବର୍ତ୍ତକ ଋଷିମଣ୍ଡଳୀ’ ବୋଲି ଅନେକ ଆଲୋଚକ ଉଲ୍ଲେଖ କରିଛନ୍ତିି। ବାକି ଛଅ ଋଷି ହେଉଛନ୍ତି- ଭୃଗୁ, ବଜ୍ର, ଶୃଙ୍ଗୀ, ଧ୍ରୁବ, ସୁପ୍ରଭ ଓ ଉଲୂକ। କିନ୍ତୁ ଅନ୍ୟ କେତେକ ଆଲୋଚକ ଦେବୀଙ୍କ ରଥର ଋଷିପଟାରେ ଅସିତାଙ୍ଗ, ଚଣ୍ଡ, ଚରୁରୁ, କ୍ରୋଧୋନ୍ମତ୍ତ, ଭୟଙ୍କର, କପାଳୀ, ଭୀଷଣ ଓ ସଂହାର ଆଦି ଅଷ୍ଟଭୈରବ ଅବସ୍ଥାନ କରିଥାନ୍ତି ବୋଲି କହିଛନ୍ତି।

ଦେବଦଳନ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଋଷିମାନଙ୍କର ବିବରଣୀ ଏହିପରି-
୧. ଭୃଗୁ: ବେଦ ଓ ପୁରାଣ ଯୁଗର ଜଣେ ଋଷି ହେଉଛନ୍ତି ଭୃଗୁ। ବ୍ରହ୍ମାଙ୍କ ରେତରୁ, ଯଜ୍ଞାଗ୍ନି ମଧ୍ୟରୁ ସେ ଜନ୍ମ ନେଇଥିଲେ। କିନ୍ତୁ ସେ ମଧ୍ୟ ମହାଦେବଙ୍କ ପୁତ୍ର। ସେ କିପରି ମହାଦେବଙ୍କ ପୁତ୍ର ହେଲେ ସେ ସଂପର୍କରେ ‘ମହାଭାରତ’ରେ ଏକ ଉପାଖ୍ୟାନ ଅଛି। ଉପାଖ୍ୟାନଟି ହେଉଛି- ଥରେ ରୁଦ୍ର ବାରୁଣୀ ମୂର୍ତ୍ତିି ହୋଇ ଏକ ଯଜ୍ଞ କରୁଥିଲେ। ସୂର୍ଯ୍ୟଙ୍କଦ୍ଵାରା ବ୍ରହ୍ମାଙ୍କ ରେତ ଯଜ୍ଞକୁଣ୍ଡରେ ନିକ୍ଷେପିତ ହେବାରୁ ଯଜ୍ଞାଗ୍ନିରୁ ତିନିପୁତ୍ର ଜାତ ହେଲେ। ଅଗ୍ନଶିଖାରୁ ଭୃଗୁ, ସଧୂମ ଅଙ୍ଗାରରୁ ଅଙ୍ଗିରା ଓ ନିର୍ଧୂମ ଅଙ୍ଗାରରୁ କବି। ରୁଦ୍ର ଯଜ୍ଞର କର୍ତ୍ତା ହୋଇଥିବାରୁ ସେ ସେହି ତିନି ପୁତ୍ରଙ୍କୁ ନିଜର ବୋଲି କହିଲେ। କିନ୍ତୁ ଅଗ୍ନିଦେବ ମଧ୍ୟ ତାଙ୍କୁ ନିଜର ବୋଲି ଦାବି କଲେ। ସେହି କଳହ ତୁଟାଇବାକୁ ଦେବଗଣ ଭୃଗୁଙ୍କୁ ମହାଦେବଙ୍କୁ, ଅଙ୍ଗିରାଙ୍କୁ ଅଗ୍ନିଙ୍କୁ ଏବଂ କବିଙ୍କୁ ବ୍ରହ୍ମାଙ୍କୁ ଦେଲେ। ତେଣୁ ଭୃଗୁ ହେଲେ ବ୍ରହ୍ମା ଓ ଶିବଙ୍କ ପୁତ୍ର।

ଦକ୍ଷକନ୍ୟା କ୍ଷାତିଙ୍କୁ ଓ ଅସୁରରାଜ ବୈଶ୍ୱାନରଙ୍କ କନ୍ୟା ପୁଲୋମାଙ୍କୁ ଭୃଗୁ ବିବାହ କରିଥିଲେ। ରୁଚିକ ମୁନି ତାଙ୍କର ପୁତ୍ର। ରୁଚିକଙ୍କର ପୁତ୍ର ଜମଦଗ୍ନି ଓ ଜମଦଗ୍ନିଙ୍କର ପୁତ୍ର ପରଶୁରାମ। ସେଥିପାଇଁ ପରଶୁରାମ ଭାର୍ଗବ ଭାବରେ ପରିଚିତ। ଭୃଗୁ ଓ ପୁଲୋମାଙ୍କଠାରୁ ଶୁକ୍ରାଚାର୍ଯ୍ୟ ମଧ୍ୟ ଜାତ ହୋଇଥିଲେ। ସେ ଜ୍ୟୋତିଷିକ ଜ୍ଞାନଗ୍ରନ୍ଥ ‘ଭୃଗୁ ସଂହିତା’ର ରଚୟିତା ଏବଂ ଧନୁର୍ବିଦ୍ୟାର ପ୍ରବର୍ତ୍ତକ।

ଭୃଗୁଙ୍କ ସଂପର୍କରେ ସବୁଠୁ ପ୍ରସିଦ୍ଧ କାହାଣୀ ହେଉଛି- ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏ ତିନିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ତାହାର ନିର୍ଣ୍ଣୟ। ମୁନିଋଷିମାନେ ଭୃଗୁଙ୍କୁ ସେ ଦାୟିତ୍ଵ ଦେଇଥିଲେ। ଭୃଗୁ ପ୍ରଥମେ ବ୍ରହ୍ମାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ ନ କରିବାରୁ ବ୍ରହ୍ମା କ୍ରୋଧିତ ହେଲେ। ତା’ପରେ ସେ କୈଳାସ ଯାଇ ଶିବଙ୍କୁ ପ୍ରଣାମ ନକରିବାରୁ ସେ ମଧ୍ୟ କ୍ରୋଧିତ ହୋଇ ତାଙ୍କୁ ଭସ୍ମ କରିଦେବାକୁ ବସିଲେ। ଭୃଗୁ ତାଙ୍କୁ ସ୍ତୁତି କରି ତାଙ୍କର କ୍ରୋଧ ଶାନ୍ତ କଲେ। ଶେଷରେ ସେ ଗଲେ ବିଷ୍ଣୁଙ୍କ ପାଖକୁ। ସେତେବେଳକୁ ବିଷ୍ଣୁ ନିଦ୍ରିତ ଥିବାରୁ, ସେ ତାଙ୍କୁ ପରୀକ୍ଷା କରିବାପାଇଁ ତାଙ୍କର ବକ୍ଷ ସ୍ଥଳରେ ପଦାଘାତ କଲେ। ସେଥିରେ ବିଷ୍ଣୁଙ୍କର ନିଦ ଭାଙ୍ଗିଗଲା। କିନ୍ତୁ ସେ ନରାଗି କହିଲେ- ମୋର ବକ୍ଷସ୍ଥଳ କଠୋର ହୋଇଥିବା ହେତୁ ଆପଣଙ୍କର କୋମଳ ଚରଣକୁ ନିଶ୍ଚୟ କଷ୍ଟ ହୋଇଥିବ !
ଭୃଗୁଙ୍କ ପରୀକ୍ଷା ଶେଷ ହେଲା ଏବଂ ବିଷ୍ଣୁ ହିଁ ଶ୍ରେଷ୍ଠ ବୋଲି ସେ ତାଙ୍କର ସିଦ୍ଧାନ୍ତ ଦେଲେ।

କିନ୍ତୁ ଏ ଉପାଖ୍ୟାନର ଅନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି- ସେହିଦିନୁ ବିଷ୍ଣୁ ନିଜର ବକ୍ଷସ୍ଥଳରେ ଭୃଗୁଙ୍କ ଲାଞ୍ଛନ (ପାଦଚିହ୍ନ) ଧାରଣ କରିଆସୁଛନ୍ତି।

ଶ୍ରୀକ୍ଷେତ୍ର ପୁରୀର ବାଲିସାହିଠାରେ ଭୃଗୁଙ୍କର ଏକ ପ୍ରାଚୀନ ଆଶ୍ରମ ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥରେ ଅବସ୍ଥାନ କରୁଥିବା ଶ୍ରୀସୁଦର୍ଶନ ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣିିମାରେ ଏହାଙ୍କ ଆଶ୍ରମ ପରିଦର୍ଶନ କରିଥାଆନ୍ତି। ତେଣୁ ଦେବଦଳନ ରଥର ଋଷିପଟାରେ ଭୃଗୁଙ୍କର ଅବସ୍ଥାନ ତାତ୍ପର୍ଯ୍ୟପୂର୍ଣ୍ଣ।

୨. ବଜ୍ର: ଶ୍ରୀକୃଷ୍ଣଙ୍କର ପ୍ରପୌତ୍ର ଓ ଅନିରୁଦ୍ଧଙ୍କର ପୁତ୍ର ହେଉଛନ୍ତି ବଜ୍ର। ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧଙ୍କ ଔରସରେ ଏବଂ ଋକ୍ମୀଙ୍କର ପୌତ୍ରୀ ସୁଭଦ୍ରାଙ୍କ ଗର୍ଭରେ ଏହାଙ୍କର ଜନ୍ମ। ଯଦୁବଂଶ ଧ୍ୱଂସ ପରେ ପାଣ୍ଡବମାନେ ଏହାଙ୍କୁ ବ୍ରଜମଣ୍ଡଳର ଅଧିପତି ରୂପେ ଅଭିଷିକ୍ତ କରିଥିଲେ। ‘ଶ୍ରୀମଦ୍‌ ଭାଗବତ’ ଓ ‘ସ୍କନ୍ଦପୁରାଣ’ରେ ଏହାଙ୍କର ବର୍ଣ୍ଣନା ଅଛି।

ଏହାଙ୍କର ବିଶେଷତ୍ଵ ହେଉଛି, ଏ ବ୍ରଜମଣ୍ଡଳର ପୁନଃସଂସ୍ଥାପନା କରିଥିଲେ। ସେହି କାହାଣୀ ହେଉଛି- ବ୍ରଜମଣ୍ଡଳରେ କେହି ପ୍ରଜା ନଥିବାରୁ ବଜ୍ର ଚିନ୍ତିତ ହେଲେ। ତାଙ୍କର ଅନୁରୋଧରେ ପରିକ୍ଷିତ ଯାଇ ଶାଣ୍ଡିଲ୍ୟ ମୁନିଙ୍କୁ ସେ କଥା କହିବାରୁ ଶାଣ୍ଡିଲ୍ୟ ତାଙ୍କୁ ସଚ୍ଚିଦାନନ୍ଦ ତତ୍ତ୍ଵ ବୁଝାଇଥିଲେ। ସେ କହିଥିଲେ- ସଚ୍ଚିଦାନନ୍ଦ ସତ୍ତ୍ଵ, ରଜ, ତମ- ତିନିଗୁଣର ଅତୀତ। ବ୍ରଜମଣ୍ଡଳ ତାଙ୍କର ଆନନ୍ଦଭୂମି। ବ୍ରଜର ଅର୍ଥ ବ୍ୟାପ୍ତି ହୋଇଥିବାରୁ ସେ ଉଭୟ ବାସ୍ତବ ଓ ବ୍ୟାବହାରିକ ଲୀଳା କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଲୀଳାଭୂମି ବ୍ରଜରେ ବ୍ୟାବହାରିକ ଲୀଳାର ପୁନଃ ସଂସ୍ଥାପନ କଲେ ବାସ୍ତବଲୀଳା ଆପେ ଆପେ ଅନ୍ତରରେ ପ୍ରକଟିତ ହେବ। ତେଣୁ ଶାଣ୍ଡିଲ୍ୟ ମୁନିଙ୍କ ପରାମର୍ଶରେ ସେ ବ୍ରଜମଣ୍ଡଳର ପୁନଃ ସଂସ୍ଥାପନା କରିଥିଲେ।

ବଜ୍ର ଜଣେ ଶ୍ରେଷ୍ଠ କୃଷ୍ଣଭକ୍ତ। ନିଜର ପୁତ୍ର ପ୍ରତିବାହୁଙ୍କୁ ରାଜଧାନୀର ରାଜା କରି ସେ ଗୋବର୍ଦ୍ଧନ ଗିରି ନିକଟରେ ପୁନଃ ସଂସ୍ଥାପିତ ହୋଇଥିବା ବ୍ରଜଭୂମିରେ ନିବାସ କରିଥିଲେ ଏବଂ ବ୍ରହ୍ମାନନ୍ଦ ଆସ୍ୱାଦନରେ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ। ତାଙ୍କ ଉଦ୍ୟମରେ ବ୍ରଜମଣ୍ଡଳ ପୁନର୍ଜୀବିତ ହୋଇ ଅଗଣିତ ଭକ୍ତଙ୍କ ପ୍ରୀତିର କାରଣ ହେଲା। ଅନିରୁଦ୍ଧଙ୍କ ଔରସରେ ଋକ୍ମୀଙ୍କ ପୌତ୍ରୀ ସୁଭଦ୍ରାଙ୍କ ଗର୍ଭରୁ ଏହାଙ୍କର ଜନ୍ମହୋଇଥିବାରୁ, ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ଋଷିପଟାରେ ଏହାଙ୍କର ଅବସ୍ଥାନ ତାତ୍ପର୍ଯ୍ୟପୂର୍ଣ୍ଣ। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର