ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଋଷିପଟା (୩)

0 37

ଭୃଗୁ, ବଜ୍ର, ଶୃଙ୍ଗୀ ଓ ଧ୍ରୁବଙ୍କ ବ୍ୟତୀତ ଆଉ ଯେଉଁ ଚାରି ଋଷି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ଋଷିପଟାରେ ଅବସ୍ଥାନ କରନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି- ସୁପ୍ରଭ ଓ ଉଲୂକ। ଅନ୍ୟ ଦୁଇଜଣଙ୍କର ନାମ ପରିବର୍ତ୍ତେ ‘ପ୍ରବର୍ତ୍ତକ ଋଷିମଣ୍ଡଳୀ’ ବୋଲି କେତେକ ଆଲୋଚକ ଉଲ୍ଲେଖ କରିଛନ୍ତି। ସେହି ଋଷିମାନଙ୍କ ମଧ୍ୟରୁ ସୁପ୍ରଭ ଓ ଉଲୂକଙ୍କ ସଂକ୍ଷିପ୍ତ ବିବରଣୀ ଏହିପରି-

୫. ସୁପ୍ରଭ: ଏହାଙ୍କ ସଂପର୍କରେ ସବିଶେଷ ତଥ୍ୟ ମିଳେନାହିଁ। ତେବେ ଜଣାଯାଏ ଯେ ଏ ହେଉଛନ୍ତି ଦେବର୍ଷି ନାରଦଙ୍କ ଶିଷ୍ୟ। ସୁପ୍ରଭ ନାରଦଙ୍କ ନିକଟରୁ ଭକ୍ତିଯୋଗ ଶିକ୍ଷା କରିଥିଲେ। ଏହି ଭକ୍ତିଯୋଗର ଭିତ୍ତି ‘ନାରଦ ପଞ୍ଚରାତ୍ର’। ନାରଦଙ୍କ ରଚିତ ଏହି ତନ୍ତ୍ରରେ ଯେଉଁ ପାଞ୍ଚଟି ବିଷୟର ବିବେଚନା କରାଯାଇଛି, ତାହା ହେଉଛି- ୧. ଅଭିଗମନ (ଦେବତାଙ୍କ ପୀଠକୁ ସଂମାର୍ଜନ କରି ପରିଷ୍କାର କରିବା), ୨. ଉପାଦାନ (ଗନ୍ଧ, ଚନ୍ଦନ, ପୁଷ୍ପ ଆଦି ପୂଜା ସାମଗ୍ରୀ) ସଂଗ୍ରହ କରିବା, ୩. ଇଜ୍ୟା (ଦେବପୂଜନ), ୪. ସ୍ୱାଧ୍ୟାୟ (ଅର୍ଥବୋଧ ସହ ମନ୍ତ୍ରୋଚ୍ଚାରଣ) ଓ ୫. ଯୋଗ (ଅର୍ଥବୋଧ ସହ ମନ୍ତ୍ର ଜପ, ସ୍ତୋତ୍ରପାଠ, ନାମକୀର୍ତ୍ତନ, ତତ୍ତ୍ଵ ପ୍ରତିପାଦନ ଓ ଶାସ୍ତ୍ରାଭ୍ୟାସ)। ଏହା ଭକ୍ତମାନଙ୍କର ଆଚରଣୀୟ।

ତେବେ କେବଳ ‘ନାରଦ ପଞ୍ଚରାତ୍ର’ ନୁହେଁ, ଅଷ୍ଟାଦଶ ପୁରାଣ ଅନ୍ତର୍ଗତ ‘ନାରଦ ପୁରାଣ’ ମଧ୍ୟ ନାରଦ ନାମକ ମୁନି ରଚନା କରିଛନ୍ତି। ‘ବୃହନ୍ନାରଦୀୟ ଉପପୁରାଣ’ର ମଧ୍ୟ ସେ ରଚୟିତା। ଏସବୁର ପ୍ରତିପାଦ୍ୟ ପ୍ରସଙ୍ଗ ହେଉଛି ଭକ୍ତି। ସମ୍ଭବତଃ ନାରଦ ନାମକ ସେହି ମୁନିଙ୍କଠାରୁ ସୁପ୍ରଭ ଏହି ଭକ୍ତିଯୋଗ ଶିକ୍ଷା କରିଥିଲେ।

୬. ଉଲୂକ: ଏହାଙ୍କର ଆବିର୍ଭାବ ସମୟ ପ୍ରାୟ ଖ୍ରୀଷ୍ଟପୂର୍ବ ୬୦୦ ବୋଲି ଜଣାଯାଏ। ବୈଶେଷିକ ଦର୍ଶନର ପ୍ରଣେତା କଣାଦ ଭାବରେ ମଧ୍ୟ ଏ ପରିଚିତ। ସେଥିପାଇଁ ବୈଶେଷିକ ଦର୍ଶନକୁ ଔଲୂକ୍ୟ ଦର୍ଶନ କୁହାଯାଇଛି। ଏହି ବୈଶେଷିକ ଦର୍ଶନ ଷଟ୍‌ଦର୍ଶନର ଅନ୍ତର୍ଭୁକ୍ତ। ଭାରତବର୍ଷ ଯେ ଆଜିର ଆଧୁନିକ ଜ୍ଞାନ, ବିଜ୍ଞାନର ଏକ ମୂଳ ପୀଠ ଥିଲା, ତାହାର ଗୋଟିଏ ବଡ଼ ପ୍ରମାଣ ହେଉଛନ୍ତି କଣାଦ। ଅଣୁ- ପରମାଣୁର ତତ୍ତ୍ଵ ଖ୍ରୀଷ୍ଟପୂର୍ବ ୬୦୦ କାଳରୁ କଣାଦ ହିଁ ପ୍ରଥମେ ଦେଇଥିଲେ। ସେହି ତତ୍ତ୍ଵ ହେଉଛି- ସମସ୍ତ ଜଡ଼ପଦାର୍ଥ ପରମାଣୁର ସଂଯୋଗରେ ସୃଷ୍ଟି ହୋଇଛି। ସେଥିପାଇଁ ଏହି ତତ୍ତ୍ଵକୁ ‘କାଣାଦ’ ବୋଲି ମଧ୍ୟ କୁହାଯାଏ। ଏ ଦୃଷ୍ଟିରୁ ଆଦ୍ୟାଶକ୍ତି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ଋଷିପଟାରେ କଣାଦ ବା ଉଲୂକ ଅବସ୍ଥାନ କରିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଉଲ୍ଲେଖନୀୟ ଯେ ରଥଯାତ୍ରାରେ ପ୍ରମୁଖ ଭୂମିକା ନେଉଥିବା ଦଇତା ସେବକମାନେ ଉଲୂକ ଗୋତ୍ରର ବୋଲି କର୍ମାଙ୍ଗୀ ମାଦଳାରେ ଉଲ୍ଲେଖ ଅଛି। ଏହା ମଧ୍ୟ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି ଷଡ଼୍‌ଋଷିଙ୍କ ବ୍ୟତୀତ ଦେବୀ ସୁଭଦ୍ରାଙ୍କ ରଥର ଅନ୍ୟ ଦୁଇ ଋଷିଙ୍କ ସଂପର୍କରେ ବିବରଣୀ ମିଳୁ ନଥିବାରୁ, ବିକଳ୍ପ ମତ ରୂପେ କେତେକ ଆଲୋଚକ ଲେଖିଥିବା ଅଷ୍ଟଋଷିଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା ଏଠାରେ ଦେବା ଆବଶ୍ୟକ ମନେହୁଏ। ଏହି ଅଷ୍ଟଋଷି ହେଉଛନ୍ତି ଅଷ୍ଟଭୈରବ। ଏମାନେ ଶିବଙ୍କର ଅଷ୍ଟସହଚର ବୋଲି ଅନେକ ପୁରାଣରେ ଉଲ୍ଲେଖ ଥିଲେ ମଧ୍ୟ, କେତେକ କୋଷଗ୍ରନ୍ଥରେ ଏହାଙ୍କୁ ଭଗବାନ ବୁଦ୍ଧଙ୍କର ଅଷ୍ଟସହଚର ବୋଲି ଉଲ୍ଲେଖ କରାଯାଇଛି।

ପୁରାଣ ପ୍ରସଙ୍ଗ ଅନୁସାରେ, ଶିବଙ୍କ ସହ ଅନ୍ଧକ ରାକ୍ଷସର ଯୁଦ୍ଧ ସମୟରେ ରାକ୍ଷସର ଗଦାଘାତରେ ସ୍ୱୟମ୍ଭଙ୍କ ରକ୍ତରୁ ଏହି ଅଷ୍ଟଭୈରବ ଜାତ ହୋଇଥିଲେ। କେତେକ ପୁରାଣରେ ଏହାଙ୍କୁ ମହାଭୈରବ, ସଂହାରଭୈରବ, ଅସିତାଙ୍ଗଭୈରବ, ରୁରୁଭୈରବ, କାଳଭୈରବ, କ୍ରୋଧଭୈରବ, ତାମ୍ରଚୂଡ଼ଭୈରବ ଓ ଚନ୍ଦ୍ରଚୂଡ଼ଭୈରବ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ଶିବଙ୍କର ଏହି ଅଷ୍ଟ ସହଚର ୧. ଅସିତାଙ୍ଗ, ୨. ଚଣ୍ଡ, ୩. ରୁରୁ, ୪. କ୍ରୋଧୋନ୍ମତ୍ତ, ୫. ଭୟଙ୍କର, ୬. କପାଳୀ, ୭. ଭୀଷଣ ଓ ୮. ସଂହାର ନାମରେ ପରିଚିତ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଦେବୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱଦେବତା ଭାବରେ ନବଦେବୀ ବିରାଜମାନା ରହୁଥିବା ବେଳେ ତିନିଟି ଯାକ ରଥର ଋଷିପଟାରେ ଜଣେ ହେଲେ ଋଷିକା ନଥାନ୍ତି। ଏପରିକି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମଧ୍ୟ କେବଳ ଋଷି ବିରାଜମାନ କରନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.