ତିନି ରଥର ପାର୍ଶ୍ୱ ଦେବଦେବୀ

0 74

ତିନି ରଥର ଋଷିମାନଙ୍କ ପରି, ତିନି ରଥରେ ପାର୍ଶ୍ୱ ଦେବ-ଦେବୀ ମଧ୍ୟ ଥାଆନ୍ତି। କିନ୍ତୁ ପ୍ରତି ରଥରେ ଅଷ୍ଟଋଷି ଅବସ୍ଥାନ କରୁଥିବାବେଳେ, ପ୍ରତି ରଥର ପାର୍ଶ୍ୱ ଦେବ-ଦେବୀଙ୍କ ସଂଖ୍ୟା ନଅ ହୋଇଥାଏ। ରଥର ସମ୍ମୁଖଭାଗକୁ ଛାଡ଼ି ଅନ୍ୟ ତିନି ପାର୍ଶ୍ୱରେ ତିନିଜଣ ଲେଖାଏଁ ଦେବଦେବୀ ଅବସ୍ଥାନ କରନ୍ତି। ଏହି ତିନି ପାର୍ଶ୍ୱରେ ତିନିଟି ଲେଖାଏଁ କାଠର ଖୋପ ବା କ୍ଷୁଦ୍ର ମନ୍ଦିରରେ ଏହି ଦେବଦେବୀମାନେ ସଂସ୍ଥାପିତ ହୋଇଥାଆନ୍ତି।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନିଟି ନୂଆ ରଥ ନିର୍ମାଣ କରାଯାଉଥିଲେ ମଧ୍ୟ, ସାରଥି, ଘୋଡ଼ା, ଶୁଆ ଓ ସଖୀ ଆଦିଙ୍କ ପରି, ପାର୍ଶ୍ୱ ଦେବଦେବୀମାନଙ୍କୁ ମଧ୍ୟ ନୂଆ ଭାବରେ ନିର୍ମାଣ କରାଯାଏ ନାହିଁ। ଯେଉଁବର୍ଷ ନବକଳେବର ହୁଏ, କେବଳ ସେହିବର୍ଷ ସେମାନଙ୍କୁ ନୂଆ ଭାବରେ ନିର୍ମାଣ କରାଯାଏ। ଏହା ନିମକାଠରେ ନିର୍ମାଣ କରାଯାଇଥାଏ। ଏହି ପାର୍ଶ୍ୱ ଦେବଦେବୀମାନେ ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ରହନ୍ତି ଏବଂ ନବକଳେବର ବର୍ଷରେ ମୁଖ୍ୟ ବିଗ୍ରହମାନଙ୍କ ସହିତ ପାତାଳୀ ହୁଅନ୍ତି। ସେହି ନବକଳେବର ବର୍ଷରେ ସେମାନଙ୍କୁ ପୁଣି ନୂଆ ଭାବରେ ନିର୍ମାଣ କରାଯାଏ। ତିନି ରଥର ମୁଖ୍ୟ ରୂପକାର ସେବକ ନିଜନିଜ ଘରେ ପୂଜାର୍ଚ୍ଚନା କରି ଏହି ପାର୍ଶ୍ୱ ଦେବଦେବୀମାନଙ୍କ ସମେତ ଅନ୍ୟାନ୍ୟ ରୂପ ବା ମୂର୍ତ୍ତିି ଖୋଦନ କରିଥାଆନ୍ତି। ଅନ୍ୟ ରଥଯାତ୍ରା ଅବସରରେ ସେମାନଙ୍କୁ କେବଳ ରଙ୍ଗ କରାଯାଇଥାଏ। ରୂପକାର ସେବକ ଏହି ପାର୍ଶ୍ୱ ଦେବଦେବୀମାନଙ୍କୁ ନବକଳେବର ବର୍ଷରେ ନିର୍ମାଣ କରିଥିବାବେଳେ ଚିତ୍ରକାର ସେବକ ଏହି ରଙ୍ଗକାମ କରିଥାଆନ୍ତି।

ତେବେ, ପାରମ୍ପରିକ ବିଧାନ ଅନୁସାରେ, ପ୍ରତି ରଥରେ ନଅଜଣ ଲେଖାଏଁ ପାର୍ଶ୍ୱ ଦେବଦେବୀ ଥିଲେ ମଧ୍ୟ, ସ୍ୱୀକୃତ ଶାସ୍ତ୍ର, ଗ୍ରନ୍ଥଗୁଡ଼ିକରେ ସେମାନଙ୍କର ନାମ ଉଲ୍ଲେଖ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ ୧୯୯୬ ନବକଳେବର ଅବସରରେ ରଥ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଠାରୁ ଏହି ଦେବଦେବୀମାନଙ୍କର ଏକ ସୂଚୀ ସଂଗ୍ରହ କରିଥିଲେ। ତାଙ୍କ ‘ଭାଷା ପ୍ରବନ୍ଧେ ଜଗନ୍ନାଥ’ ପୁସ୍ତକର ଏକ ସ୍ୱତନ୍ତ୍ର ଲେଖାରେ ସେହି ତାଲିକା ପ୍ରକାଶ ପାଇଛି ଏବଂ ସେହି ସୂତ୍ରରୁ ଏହି ଲେଖକର ‘ନବକଳେବର କଥା’ ପୁସ୍ତକରେ ତାହା ସଂକଳିତ ହୋଇଛି। ଡକ୍ଟର ଭାସ୍କର ମିଶ୍ରଙ୍କ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକରେ ମଧ୍ୟ ସେହି ତାଲିକା ସ୍ଥାନ ପାଇଛି। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଡକ୍ଟର ମିଶ୍ର ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ସଂପୃକ୍ତ ଥାଇ ସେହି ପୁସ୍ତକ ରଚନା କରିଥିଲେ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ‘ଚାରିଅଟ୍‌ସ ଡିଭାଇନ୍‌’ ଇଂରାଜୀ ପୁସ୍ତକରେ ମଧ୍ୟ ସେହି ତାଲିକା ରହିଛି।

କିନ୍ତୁ ସେପରି ନିର୍ଭରଯୋଗ୍ୟ ସୂତ୍ର ସହ ସଂପୃକ୍ତ ନଥିବା ଅନ୍ୟ କେତେକ ଲେଖକଙ୍କ ପାର୍ଶ୍ୱ ଦେବ-ଦେବୀ ତାଲିକାରେ ସେହି ସୂଚୀର ବ୍ୟତିକ୍ରମ ପରିଲକ୍ଷିତ ହୁଏ। ଏଣୁ ଶ୍ରୀମନ୍ଦିର ସୂତ୍ରର ସୂଚୀ ହିଁ ଆମପାଇଁ ଅଧିକ ଗ୍ରହଣୀୟ।

ପୂର୍ବ ସୂଚିତ ଯେ ତିନିରଥର ତିନି ପାର୍ଶ୍ୱରେ ତିନିଜଣ ଲେଖାଏଁ ଦେବଦେବୀ ସ୍ଥାନିତ ହୋଇଥାଆନ୍ତି। ଏହି ଭାବରେ ପ୍ରତି ରଥରେ ନଅଜଣ ଏବଂ ତିନିଟି ଯାକ ରଥରେ ୨୭ଜଣ ଦେବଦେବୀ ସ୍ଥାନିତ ହୁଅନ୍ତି। ଏଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଓ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥରେ ନଅଜଣ ଲେଖାଏଁ ୧୮ଜଣ ଦେବତା ସ୍ଥାନ ପାଉଥିବାବେଳେ, ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ନଅଜଣ ଦେବୀ ହିଁ ସ୍ଥାନ ପାଇଥାଆନ୍ତି।

ଏହି ୨୭ ଦେବଦେବୀଙ୍କର ସ୍ୱତନ୍ତ୍ର ତତ୍ତ୍ଵ ଓ ତାତ୍ପର୍ଯ୍ୟ ରହିଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.