ବିଭିନ୍ନ ଆଲୋଚକଙ୍କ ସୂଚୀରେ ତିନିରଥର ପାର୍ଶ୍ୱ ଦେବଦେବୀଙ୍କ ନାମ କିପରି ଭିନ୍ନ ଭିନ୍ନ, ତାହାର ଗୋଟିଏ ଦୃଷ୍ଟାନ୍ତ ‘ନନ୍ଦିଘୋଷ’ ରଥରୁ ଦିଆଯାଇ ପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦିଗ୍ଦର୍ଶନରେ ଡକ୍ଟର କିଶୋର ଚନ୍ଦ୍ର ସାହୁଙ୍କ ଦ୍ଵାରା ପ୍ରସ୍ତୁତ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ଗବେଷଣା ସନ୍ଦର୍ଭ (ଅପ୍ରକାଶିତ)ରେ ‘ନନ୍ଦିଘୋଷ’ ରଥର ପାର୍ଶ୍ୱ ଦେବତା ରୂପେ- ୧. ନୃସିଂହ, ୨. ନାରାୟଣ, ୩. ମଧୁସୂଦନ, ୪. ରାଘବେନ୍ଦ୍ର, ୫. ହନୁମାନ ସ୍କନ୍ଧାରୂଢ଼ ଶ୍ରୀରାମ, ୬. ଚିନ୍ତାମଣି କୃଷ୍ଣ, ୭. ଗୋବର୍ଦ୍ଧନ ଗିରିଧର, ୮. ହରିହର ଓ ୯. ପଞ୍ଚମୁଖୀ ହନୁମାନଙ୍କର ଉଲ୍ଲେଖ ଅଛି।
କିନ୍ତୁ ମହୀମୋହନ ତ୍ରିପାଠୀ ଓ ଡକ୍ଟର ଭାସ୍କର ମିଶ୍ର ଶ୍ରୀମନ୍ଦିର ସୂତ୍ରରୁ ଯେଉଁ ପାର୍ଶ୍ୱ ଦେବତାଙ୍କ ତାଲିକା ସଂଗ୍ରହ କରି ନିଜ ନିଜ ପୁସ୍ତକରେ ଦେଇଛନ୍ତି, ସେଥିରେ ସେମାନଙ୍କର ନାମ ୧. ପଣ୍ଡୁ ନୃସିଂହ, ୨. ହରିହର, ୩. ପଞ୍ଚମୁଖୀ ମହାବୀର, ୪. ଲକ୍ଷ୍ମଣ, ୫. ନାରାୟଣ, ୬. ମଧୁସୂଦନ, ୭. ଚିନ୍ତାମଣି କୃଷ୍ଣ, ୮. ଗିରିଗୋବର୍ଦ୍ଧନଧାରୀ ଓ ୯. ରାବଣର ଛତ୍ରଭଙ୍ଗ ବୋଲି ଉଲ୍ଲେଖ ଅଛି।
ଡକ୍ଟର ତୁଳସୀ ଓଝା ବିଗତ କିଛିବର୍ଷ ଧରି ଶ୍ରୀକ୍ଷେତ୍ରରେ ନିର୍ମିତ ହେଉଥିବା ରଥର ନିର୍ମାଣକାର୍ଯ୍ୟ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରୁଛନ୍ତି। ରଥର ପାର୍ଶ୍ୱଦେବଦେବୀଙ୍କ ବାବଦରେ ବିଶଦ ବିବରଣୀ ଧାରାବାହିକ ଭାବରେ ସେ ‘ପୌରୁଷ’ ପତ୍ରିକାରେ ମଧ୍ୟ ଲେଖିଛନ୍ତି। ସେହି ତାଲିକା ଅନୁସାରେ, ‘ନନ୍ଦିଘୋଷ’ ରଥର ବାମପାର୍ଶ୍ୱର ତିନି ଦେବତା ହେଉଛନ୍ତି- ହନୁମାନ, ରାମ ଓ ଲକ୍ଷ୍ମଣ, ପଛପାର୍ଶ୍ୱର ତିନିଦେବତା ହେଉଛନ୍ତି- ରାଘବ, କୃଷ୍ଣ ଓ ଗୋବର୍ଦ୍ଧନଧାରୀ ଏବଂ ଡାହାଣ ପାର୍ଶ୍ୱର ତିନି ଦେବତା ହେଉଛନ୍ତି- ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ। ଡକ୍ଟର ଓଝା ଦେଇଥିବା ବିବରଣୀ ସହିତ ସେମାନଙ୍କର ରୂପସାମ୍ୟ ମଧ୍ୟ ଲକ୍ଷ୍ୟ କରାଯାଏ। ସେଥିରୁ, ଗୋଟିଏ ଗୋଟିଏ ଦେବତାଙ୍କର ଭିନ୍ନ ଭିନ୍ନ ରୂପ ମଧ୍ୟ ରଥରେ ସ୍ଥାନ ପାଇଥିବା ଜଣାଯାଏ।
ତେଣୁ ଶ୍ରୀମନ୍ଦିର ସୂତ୍ରର ତଥ୍ୟ ସହ ଡକ୍ଟର ଓଝାଙ୍କ ବିବରଣୀର ସଂପୂର୍ଣ୍ଣ ମେଳ ନଥିଲେ ମଧ୍ୟ, ବାସ୍ତବତା ବିବେଚନାରେ ତାଙ୍କ ବିବରଣୀ ଗ୍ରହଣଯୋଗ୍ୟ ମନେହୁଏ। କାରଣ, ପାରମ୍ପରିକ ଭାବରେ ସାଇତା ହୋଇଥିବା ଅଙ୍କନ ଆଧାରରେ ହିଁ ନବକଳେବର ବର୍ଷରେ ଏହି ପାର୍ଶ୍ୱ ଦେବଦେବୀମାନଙ୍କର ରୂପ ଖୋଦନ କରାହୋଇଥାଏ। ନାମ ଅମେଳ ସହିତ ତାହାର କୌଣସି ସଂପର୍କ ନାହିଁ।
ନନ୍ଦିଘୋଷ ରଥର ସମ୍ମୁଖଭାଗରେ ରଥକୁ ସାମ୍ନା କରି ଠିଆ ହେଲେ, ଆମର ଡାହାଣ ପାର୍ଶ୍ୱ ହେଉଛି ରଥର ବାମ ପାର୍ଶ୍ୱ। ସେହି ବାମପାର୍ଶ୍ୱର ତିନି ଦେବତା ହେଉଛନ୍ତି- ହନୁମାନ, ରାମ ଓ ଲକ୍ଷ୍ମଣ। ସେମାନଙ୍କର ବିବରଣୀ ଏହିପରି-
୧. ହନୁମାନ: ହନୁମାନ ଶ୍ରୀରାମଙ୍କର ଅନନ୍ୟ ଭକ୍ତ ଏବଂ ସପ୍ତଚିରଂଜୀବୀଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ଛଅ ଚିରଂଜୀବୀ ହେଉଛନ୍ତି- ଅଶ୍ୱତ୍ଥାମା, ବଳି, ବ୍ୟାସ, ବିଭୀଷଣ, କୃପ ଓ ପରଶୁରାମ। ଶ୍ରୀରାମଙ୍କ ଭକ୍ତ ଭାବରେ ଶ୍ରୀମନ୍ଦିରରେ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଏହାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି।
ତେବେ ଶ୍ରୀଜଗନ୍ନାଥଙ୍କ ରଥରେ ଯେଉଁ ହନୁମାନ ପାର୍ଶ୍ୱଦେବତା ରୂପେ ଅବସ୍ଥାନ କରନ୍ତି, ସେ ହେଉଛନ୍ତି ପଞ୍ଚମୁଖ-ହନୁମାନ। କେତେକ ଆଞ୍ଚଳିକ ରାମାୟଣରେ ଏହାଙ୍କର ବର୍ଣ୍ଣନା ଅଛି। ସେହିସବୁ ରାମାୟଣର କାହାଣୀ ଅନୁସାରେ- ମହୀରାବଣ ସହିତ ଲକ୍ଷ୍ମଣ ଯୁଦ୍ଧ କରିବାବେଳେ, ହନୁମାନ ନୃସିଂହ (ପ୍ରଚଣ୍ଡ) ମୂର୍ତ୍ତିି ଧାରଣ କରି ମହୀରାବଣର ହସ୍ତୀ, ଅଶ୍ୱ ଓ ସେନାବାହିନୀକୁ ଧ୍ୱଂସ କରିଦେଇଥିଲେ। ଏହି ପ୍ରଚଣ୍ଡ କୋପମୂର୍ତ୍ତିି (ନୃସିଂହ ମୂର୍ତ୍ତିି)ରେ ତାଙ୍କର ପାଞ୍ଚମୁଖ ହୋଇଥିଲା। ତେଣୁ ସେ ପଞ୍ଚମୁଖୀ ରୂପେ ପୂଜିତ ହୋଇଥାନ୍ତି।
ରଥଦେବତାଙ୍କ ମଧ୍ୟରେ ସ୍ଥାନ ପାଇଥିବା ଏହି ହନୁମାନ ଦଶଭୁଜ ବିଶିଷ୍ଟ। ସେ ଉପର ଦକ୍ଷିଣ ହସ୍ତରେ ଚକ୍ର ଓ ଉପର ବାମ ହସ୍ତରେ ଶଙ୍ଖ ଧାରଣ କରିବା ସହିତ ସମ୍ମୁଖ ବାମ ହସ୍ତରେ ଗଦା ଧାରଣ କରିଥାନ୍ତି। ଅନ୍ୟାନ୍ୟ ହାତରେ ଖଡ୍ଗ, ଖେଟକ ଆଦି ଧାରଣ କରିଥିବାବେଳେ ସମ୍ମୁଖ ଦକ୍ଷିଣ ହସ୍ତ ଅଭୟ ମୁଦ୍ରାରେ ରହିଥାଏ।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରର ଚାରିଦ୍ଵାରରେ ମଧ୍ୟ ଚାରି ହନୁମାନ ବିରାଜମାନ କରନ୍ତି। ଏହି ଚାରି ହନୁମାନ ହେଉଛନ୍ତି- ତପସ୍ୱୀ ହନୁମାନ, ବୀର ବିକ୍ରମ ହନୁମାନ, ଫତେ ହନୁମାନ ଓ ବେଡ଼ି ହନୁମାନ। ସେହିପରି ଯେଉଁ ଅଷ୍ଟ ହନୁମାନ ଶ୍ରୀକ୍ଷେତ୍ରର ସୁରକ୍ଷା କବଚ ରୂପେ ବିଦ୍ୟମାନ, ସେମାନେ ହେଉଛନ୍ତି- ସିଦ୍ଧ ମହାବୀର, କାନପତା ମହାବୀର, ବର୍ଗୀ ହନୁମାନ, ମଶାଣି ମହାବୀର, ପଞ୍ଚମୁଖୀ ମହାବୀର, ଫତେ ମହାବୀର, ଶିରୁଳି ମହାବୀର ଓ ସୁଡ଼ଙ୍ଗ ମହାବୀର। ଏଣୁ ଶ୍ରୀଜଗନ୍ନାଥଙ୍କ ରଥରେ ତାଙ୍କର ପ୍ରଚଣ୍ଡ ମୂର୍ତ୍ତିି ରୂପେ ନୃସିଂହ-ହନୁମାନ ବିରାଜମାନ କରିବା ତାତ୍ପର୍ଯ୍ୟପୂର୍ଣ୍ଣ।
-ଅସିତ ମହାନ୍ତି