‘ତାଟି-ମନ୍ଦିର’ର ‘ପଟ-ବ୍ରହ୍ମ’

0 56

ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା। ସେଦିନ ସ୍ନାନବେଦୀରେ ସ୍ନାନ ସରିବା ପରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇ ଠାକୁରମାନେ ଚାଲିଯାଆନ୍ତି ଅଣସର ଘରକୁ। ସେହିଠାରେ ହୁଏ ସେମାନଙ୍କର ଗୁପ୍ତନୀତି। ଦଇତା ଓ ପତି ସେବକମାନେ ସେହି ଗୁପ୍ତନୀତି ସଂପନ୍ନ କରନ୍ତି। ସପ୍ତାବରଣ ବିଧିରେ ସେଠାରେ ସେମାନଙ୍କର ଅଙ୍ଗଗଠନ ହୋଇଥାଏ। ଏଥିମଧ୍ୟରୁ ଅଣସର ପଞ୍ଚମୀରେ ତାଙ୍କୁ ଫୁଲୁରିତେଲଲାଗି ଓ ଏକାଦଶୀରେ ଦଶମୂଳ ମୋଦକଲାଗି ପ୍ରସଙ୍ଗ ଅତ୍ୟନ୍ତ ଲୋକପ୍ରିୟ।

ଏହି ସମୟରେ ଶ୍ରୀଜଗନ୍ନାଥାଦି ଦାରୁବିଗ୍ରହମାନେ ଜରରେ ପଡ଼ିଥାଆନ୍ତି ବୋଲି ଲୋକକଥିତ ହୋଇଥାଏ। ସେଥିପାଇଁ ଏହି ଲୌକିକ ଲୀଳା ଖୁବ୍‌ ଲୋକପ୍ରିୟ।

କିନ୍ତୁ ଗୋଟିଏ ବିଷୟ ଖୁବ୍‌ ଗୁରୁତ୍ଵପୂର୍ଣ୍ଣ ଯେ ଏହି ଗୁପ୍ତନୀତି କାଳରେ ଶ୍ରୀବିଗ୍ରହମାନେ ଅଣସର ତାଟିର ଅନ୍ତରାଳରେ ଥିବାବେଳେ, ତାଟିର ସମ୍ମୁଖ ଭାଗରେ, ତାଟି ଦେହରେ ତିନି ପଟିଦିଅଁ ବିରାଜମାନ କରି ଥାଆନ୍ତି। ସେମାନଙ୍କ ସହିତ ଆଉ ସାତ ଦେବଦେବୀ ତାଟିର ସମ୍ମୁଖ ଭାଗରେ ଖଟ ଉପରେ ବିରାଜିତ ହୁଅନ୍ତି। ସେମାନେ ‘ଦଶାବତାର ଦିଅଁ’ ରୂପେ କଥିତ। ତିନି ମୁଖ୍ୟ ଦେବଦେବୀଙ୍କ ଅନୁସାରେ ସେମାନେ ତିନିବାଡ଼ରେ ପୂଜା ପାଇଥାନ୍ତି।

ଶ୍ରୀବଳଭଦ୍ରଙ୍କ ବାଡ଼ ହେଉଛି ‘ବଡ଼ବାଡ଼’। ତାଙ୍କର ପଟିଦିଅଁ ‘ବାସୁଦେବ’। ତାଙ୍କ ବାଡ଼ର ତିନି ଦେବତା ହେଉଛନ୍ତି ଦୋଳଗୋବିନ୍ଦ, ରାମ ଓ ନୃସିଂହ। ଦେବୀ ସୁଭଦ୍ରାଙ୍କ ବାଡ଼ ହେଉଛି ‘ମଝିବାଡ଼’। ତାଙ୍କ ବାଡ଼ର ଦୁଇ ଦେବୀ ହେଉଛନ୍ତି ଶ୍ରୀଦେବୀ ଓ ଭୂଦେବୀ। ସେହିପରି ଶ୍ରୀଜଗନ୍ନାଥଙ୍କ ବାଡ଼ ହେଉଛି ‘ମହାପ୍ରଭୁ ବାଡ଼’। ତାଙ୍କ ବାଡ଼ର ଦୁଇ ଦେବତା ହେଉଛନ୍ତି କୃଷ୍ଣ ଓ ମଦନମୋହନ।

ଏହି ‘ଦଶାବତାର ଦିଅଁ’ ଅଣସର ନୀତି ଶେଷ ହେବା ପର୍ଯ୍ୟନ୍ତ ଅଣସର ତାଟିଠାରେ ପୂଜା ପାଇଥାଆନ୍ତି। ସିଂହଦ୍ଵାର ଗୁମୁଟରେ ଥିବା ଶ୍ରୀପତିତପାବନଙ୍କର ପଟିଦିଅଁ ମଧ୍ୟ ଏହି ସମୟରେ ପୂଜା ପାଆନ୍ତି। ଏହି ପଟିଦିଅଁ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ‘ନାରାୟଣ’ଙ୍କର ଏକ କ୍ଷୁଦ୍ର ରୂପ। ଅଣସର ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ସେ ମଧ୍ୟ ତାଙ୍କ ତାଟିଠାରେ ପୂଜା ପାଇଥାଆନ୍ତି।

ଏ ପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ର ଗୋଟିଏ ଉଲ୍ଲେଖ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହାର ପଞ୍ଚଦଶ ଅଧ୍ୟାୟରେ ସ୍ନାନଯାତ୍ରା, ଅଣସର ଓ ପଟିଦିଅଁଙ୍କ ପୂଜାନୀତି ସଂପର୍କରେ ଉଲ୍ଲେଖ ଅଛି। ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ସେ ସଂପର୍କରେ ପଚାରିଛନ୍ତି ଏବଂ ବ୍ରହ୍ମା ତାଙ୍କୁ ତାହା କହିଛନ୍ତି। ଏ ପ୍ରସଙ୍ଗରେ କୁହାଯାଇଛି- ପନ୍ଦର ଦିନର ଅଣସର (ବା ନବକଳେବର ବର୍ଷର ଦେଢ଼ମାସର ମହାଅଣସର) କାଳରେ ଦାରୁବିଗ୍ରହଧାରୀ ଠାକୁର ପଟ (ଅଣସର ପଟି)ରେ ଅଧିଷ୍ଠିତ ହୋଇ ଥାଆନ୍ତି। ତେଣୁ ସେହି ସମୟରେ ଦାରୁବିଗ୍ରହଙ୍କର ପୂଜାର୍ଚ୍ଚନା ପଟପ୍ରତିମାରେ ହିଁ କରାଯିବ। ସେହି ବାଉଁଶ ତାଟିକୁ ମନ୍ଦିର ବୋଲି ବିବେଚନା କରାଯିବ। ଅଣସର ତାଟି ମଧ୍ୟକୁ କେବଳ ବିଶ୍ୱାବସୁ ଓ ବିଦ୍ୟାପତି ବଂଶର ସେବକ ପ୍ରବେଶ କରିବେ। ଏହି ସମୟରେ ତାଟି ଭିତରେ ଦାରୁ ବିଗ୍ରହଙ୍କର ପୂଜା ହେବନାହିଁ। କାରଣ ସେତେବେଳେ ଦାରୁଦେବତା ପଟିକୁ ଆଧାର କରିଥାଆନ୍ତି। ଏହି ‘ପଟବ୍ରହ୍ମ’ ହିଁ ଦାରୁବ୍ରହ୍ମ ରୂପେ ବିବେଚିତ ହୋଇଥାନ୍ତି।

ଏଣୁ ଅଣସର ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ସେମାନେ ‘ପଟବ୍ରହ୍ମ’ ରୂପେ ପୂଜିତ ହୁଅନ୍ତି। ତାହାପରେ ହୁଏ ଦାରୁବ୍ରହ୍ମଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.