‘ତଚ୍ଚକ୍ଷୁ’ ମନ୍ତ୍ରରେ ନେତ୍ରୋତ୍ସବ ବିଧାନ

ପାରମ୍ପରିକ ବିଧାନ ଅନୁସାରେ ଅଣସର ଚତୁର୍ଦ୍ଦଶୀ ଦିନ ଶ୍ରୀବିଗ୍ରହମାନଙ୍କୁ ବନକଲାଗି କରାଯାଏ। ସେତେବେଳକୁ ପ୍ରଭୁ ସୁସ୍ଥ ହୋଇ ଚକା ଉପରେ ଉପବେଶନ କରିଥାନ୍ତି। ସେହି ଆଷାଢ଼ ଅମାବାସ୍ୟା ରାତିରେ, ପଟିରେ ଆରୋପିତ ଦେବତାମାନଙ୍କୁ ମଧ୍ୟ ବିସର୍ଜନ ଦିଆଯାଏ। ତାହାପରେ, ଦଶାବତାର ଦେବତାଙ୍କ ମଧ୍ୟରୁ ଶ୍ରୀବଳଭଦ୍ରଙ୍କ ବାଡ଼ର ଦୋଳଗୋବିନ୍ଦ, ରାମ ଓ ନୃସିଂହ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ର କୃଷ୍ଣ ଓ ମଦନମୋହନଙ୍କୁ ଦକ୍ଷିଣ ଘରକୁ ନିଆଯାଏ। ଅବଶିଷ୍ଟ ପଞ୍ଚବିଗ୍ରହଙ୍କ ମଧ୍ୟରୁ ତିନି ପଟିଦିଅଁ- ବାସୁଦେବ (ଶ୍ରୀବଳଭଦ୍ର), ଭୁବନେଶ୍ୱରୀ (ଦେବୀ ସୁଭଦ୍ରା) ଓ ନାରାୟଣ (ଶ୍ରୀଜଗନ୍ନାଥ)ଙ୍କୁ ଦେବୀ ବିମଳାଙ୍କ ମନ୍ଦିର ନିକଟ ମଣ୍ଡଣି ଘରକୁ ନିଆଯାଏ। ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଏ।

ଏହାପରେ ଖଟ ଉଠାଯାଏ ଓ ଅଣସର ତାଟି ଖୋଲାଯାଏ। ଏହା କୋଠସୁଆଁଶିଆ ସେବକ କରିଥାନ୍ତି। ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ବର୍ଣ୍ଣନା ଅଛି। କୁହାଯାଇଛି- ଅମାବାସ୍ୟା ଦିନ ରାତିରେ, ତିନିଘଡ଼ି ଗଲା ଉତ୍ତାରୁ, ଆଚାର୍ଯ୍ୟ ସ୍ନାନ ସାରି ପୂର୍ବରୁ ପଟରେ ଆରୋପିତ ଦେବତାଙ୍କୁ ବିସର୍ଜନ ଦେବେ। ତାହାପରେ ଖଟ ଉଠାଇଦେଇ, ତାଟି ଖୋଲାଯିବ। ଠାକୁରଙ୍କର ସମ୍ମୁଖ ଭାଗ ଧୌତ କରାହେବ। ତାହା ପରେ ଠାକୁରମାନଙ୍କ ସମ୍ମୁଖରେ ଦୁଇଟି ଛତ୍ର ଧରି, ଘଣ୍ଟ ଘଣ୍ଟା ଆଦି ଧ୍ୱନି ସହିତ ଗୀତ, ନୃତ୍ୟ ଓ ବାଦ୍ୟର ଆସର ହେବ।

ଆଷାଢ଼ ଅମାବାସ୍ୟାର ଏହିସବୁ ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ ଏବଂ ସବୁ ନୀତି ସୁସଂପନ୍ନ ହେବାବେଳକୁ ରାତି ପ୍ରାୟ ଭୋର ହୋଇଯାଏ। ସେହି ଭୋର ସମୟରୁ ଆରମ୍ଭ ହୁଏ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ। ଏହା ଦୀର୍ଘ ୧୫ଦିନର ଅଣସର (ବା ନବକଳେବର ବର୍ଷର ଦେଢ଼ମାସ) ପରେ ସେମାନଙ୍କର ପ୍ରଥମ ଦର୍ଶନ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୋଇଥାଏ ଏହି ନବଯୌବନ ଦର୍ଶନ ପରେ। କାରଣ, ନବଯୌବନ ଦର୍ଶନ ପୂର୍ବରୁ, ଅଣସର ଚତୁର୍ଦ୍ଦଶୀ ଦିନ ଦତ୍ତମହାପାତ୍ର ସେବକ ଯେଉଁ ବନକଲାଗି ଓ ଶ୍ରୀମୁଖ ଶୃଙ୍ଗାର କରିଥାଆନ୍ତି, ସେଥିରେ ସେମାନଙ୍କର ନେତ୍ର ଅଙ୍କନ କରାଯାଇଥିଲେ ମଧ୍ୟ ନେତ୍ରପିତୁଳା ଉନ୍ମୋଚନ କରାହୋଇ ନଥାଏ। ପ୍ରତୀକାତ୍ମକ ଭାବରେ ଏହି ନେତ୍ର ପିତୁଳା ଉନ୍ମୋଚନ ସଂପନ୍ନ ହୋଇଥାଏ ପୂଜାପଣ୍ଡା ସେବକଙ୍କ ଦ୍ଵାରା।

ଏହା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି। ଏ ସଂପର୍କରେ ସ୍ୱତ୍ଵଲିପିରେ ଥିବା ବର୍ଣ୍ଣନା ଅନୁସାରେ- ନବଯୌବନ ଦର୍ଶନ ପରେ, ଭିତର ପହଁରାଯାଇ ଚୂନପାଣି ପଡ଼େ। ତିନିଟି ରୂପା ପିଙ୍ଗଣରେ ଚନ୍ଦନ ଆସିଲେ ପତିମହାପାତ୍ର ସେବକ ତାହାକୁ ସଂସ୍କାର କରନ୍ତି ଏବଂ ତା’ପରେ ଦଇତାପତି ଚନ୍ଦନଲାଗି କରନ୍ତି। ତାହାପରେ ମଇଲମ (ବସ୍ତ୍ର ଉଲାଗି) ହୋଇ ତିନିଠାକୁର ନଅଖଣ୍ଡ ଓ ଶ୍ରୀସୁଦର୍ଶନ ଏକଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି। ଏହାପରେ ପତିମହାପାତ୍ର ସେବକ ଅକ୍ଷତ, କର୍ପୂର ଆଳତି, ସାତବତି, ସଞ୍ଜକାହାଳୀ ବନ୍ଦାପନା କରିବାପରେ, ତିନିବାଡ଼ର ତିନି ଦତ୍ତମହାପାତ୍ର ସେବକ ଆସି ତିନିଟି ରୂପା ବଟାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଳା ଯୋଗାନ୍ତି। ତାହାପରେ ତିନିବାଡ଼ର ତିନି ପୂଜାପଣ୍ଡା ସେବକ ତିନିଟି କାଠିରେ ସେମାନଙ୍କୁ ଶ୍ରୀନେତ୍ର ଲାଗି କରନ୍ତି। ଏହି ନୀତି ଗୋପନୀୟ ଭାବରେ ସଂପନ୍ନ ହେଲେ ମଧ୍ୟ ‘ନେତ୍ରୋତ୍ସବ’ ରୂପେ ପ୍ରସିଦ୍ଧ।

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ତେବେ କ’ଣ ଭକ୍ତ ଓ ସେବକମାନଙ୍କୁ ନବଯୌବନରେ ଦର୍ଶନ ଦେବାବେଳେ ଶ୍ରୀବିଗ୍ରହମାନେ ଚକ୍ଷୁସ୍ମାନ୍‌ ନଥାନ୍ତି?

ଏ ପ୍ରସଙ୍ଗରେ ତାତ୍ପର୍ଯ୍ୟପୂର୍ଣ୍ଣ ସଂକେତ ମିଳେ ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରୁ। ସେଥିରେ ଉଲ୍ଲେଖ ଅଛି, ‘‘ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କର ନେତ୍ରପଦ୍ମରେ ଦୁଇଟି ନେତ୍ର ପ୍ରଦାନ କରିବେ। ଏହାକୁ ନେତ୍ରୋତ୍ସବ କୁହାଯାଏ।’’

ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି- ଯଜୁର୍ବେଦର ଏକ ବିଶେଷ ମନ୍ତ୍ର। ଏହାର ଅର୍ଥ- ହେ ପ୍ରଭୁ ! ଆପଣଙ୍କର ଚକ୍ଷୁ- ଦେବ, ଅସୁର, ମନୁଷ୍ୟ- ସମସ୍ତଙ୍କର ଶୁଭ ଦେଖିବା ନିମନ୍ତେ ଉଦ୍ଦିଷ୍ଟ ଚକ୍ଷୁ ଅଟେ। ଏହାର ତାତ୍ପର୍ଯ୍ୟ ହେଉଛି- ତାଙ୍କର ଚକ୍ଷୁରେ ପ୍ରଭୁ ସବୁବେଳେ ସମସ୍ତଙ୍କର ମଙ୍ଗଳ ହିଁ ଦେଖିଥାଆନ୍ତି।

ତେବେ ଏହି ଚକ୍ଷୁ ଉନ୍ମୋଚନ ବା ନେତ୍ର ଦାନ ଏକ ଲୌକିକ ଲୀଳା ମାତ୍ର। କାରଣ, ଶାସ୍ତ୍ର ମତରେ ତାଙ୍କର ଚକ୍ଷୁ ଆମପରି ସାଧାରଣ ଚକ୍ଷୁ ନୁହେଁ। ତାହା ହେଉଛି ଅନ୍ତର୍ଚକ୍ଷୁ। ତାହା ଲୌକିକ ଭାବରେ ଉନ୍ମୀଳିତ ନହୋଇଥିବାବେଳେ ବି ଚିର ଜାଗ୍ରତ ରହିଥାଏ ଏବଂ ସେ ସାକ୍ଷୀପୁରୁଷ ଭାବରେ ସଦାସର୍ବଦା ଏ ସମଗ୍ର ଜଗତକୁ ଅପଲକ ନୟନରେ ଚାହିଁ ରହିଥାନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର