ରଥର ପଥ: ବଡ଼ଦାଣ୍ଡର ଚାରିଖଳା

0 79

ଯେଉଁ ପଥ ଦେଇ ଶ୍ରୀଗୁଣ୍ଡିଚା ଯାତ୍ରାର ତିନିରଥ ଗୁଣ୍ଡିଚା ମନ୍ଦିରକୁ ଯାଏ ଏବଂ ଯେଉଁ ପଥ ଦେଇ ସେହି ତିନିରଥ ସେଠାରୁ ଶ୍ରୀମନ୍ଦିରକୁ ଆସେ- ତାହା ହେଉଛି ‘ରଥମାର୍ଗ’ ବା ‘ରଥଦାଣ୍ଡ’। ଲୋକମୁଖରେ ତଥା ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ତାହା ‘ବଡ଼ଦାଣ୍ଡ’।

‘ବଡ଼ଠାକୁର’ କହିଲେ ଶ୍ରୀବଳଭଦ୍ରଙ୍କୁ ବୁଝାଏ। ଶ୍ରୀଜଗନ୍ନାଥ ‘ମହାପ୍ରଭୁ’ ରୂପେ ସମ୍ବୋଧିତ ହୁଅନ୍ତି। କିନ୍ତୁ ଲୋକମୁଖରେ ଶ୍ରୀଜଗନ୍ନାଥ ହିଁ ବଡ଼ଠାକୁର। ତାଙ୍କରିପାଇଁ ଶ୍ରୀମନ୍ଦିର ବଡ଼ଦେଉଳ। ବଡ଼ଦାଣ୍ଡ ତିନିଟିଯାକ ରଥର ମାର୍ଗ ହୋଇଥିଲେ ହେଁ ଶ୍ରୀଜଗନ୍ନାଥଙ୍କ ନାମରେ ଏହା ବଡ଼ଦାଣ୍ଡ ହୋଇଛି ବୋଲି ଲୋକବିଶ୍ୱାସ। ‘ବଡ଼ଦେଉଳ’, ‘ବଡ଼ଠାକୁର’ ଓ ‘ବଡ଼ଦାଣ୍ଡ’ ଭାବାତିଶଯ୍ୟର ଭାଷା। ଏହା କେବଳ ଭକ୍ତଙ୍କର ଭାବରେ ନୁହେଁ- ସମୟକ୍ରମେ ଶିଳାଲେଖ, ପଞ୍ଜିକା ଓ ପାରମ୍ପରିକ ସାହିତ୍ୟରେ ମଧ୍ୟ ପ୍ରତିଷ୍ଠା ପାଇଛି। ରାଜକୀୟ ପ୍ରଶସ୍ତି ଓ ଅନୁଜ୍ଞା ଆଦିରେ ବ୍ୟବହୃତ ହୋଇଛି।

ଆଜି ବଡ଼ଦାଣ୍ଡରେ ଭାରି ଭିଡ଼। ସବୁବେଳେ ଲାଗି ରହିଛି ଗହଳଚହଳ। ଏହାର ଦୁଇ ପାଖରେ କେତେ କୋଠାବାଡ଼ି ଗଢ଼ିଉଠିଛି। ୨୦୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରିତ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ତାହାର ଅନ୍ତର୍ଭୁକ୍ତ ହୋଇଛି। ତାହା ପରିଣତ ହୋଇଛି ମସୃଣ, ଶକ୍ତ ପକ୍‌କା ରାସ୍ତାରେ।

କିନ୍ତୁ ଦିନ ଥିଲା, ତାହା ଆଜିପରି ନଥିଲା। ଶ୍ରୀଚୈତନ୍ୟଙ୍କ ଜୀବନୀଗ୍ରନ୍ଥ ‘ଚୈତନ୍ୟ ଚରିତାମୃତ’ର ‘ମଧ୍ୟଲୀଳା’ରେ ଷୋଡ଼ଶ ଶତାବ୍ଦୀର କୃଷ୍ଣଦାସ କବିରାଜ ଲେଖିଛନ୍ତି-
‘‘ସୂକ୍ଷ୍ମ ଶ୍ୱେତ ବାଲୁପଥ ପୁଲିନେର ସମ
ଦୁଇଦିକେ ଟୋଟା ସବ ଯେନ ବ୍ରିନ୍ଦାବନ।’’
ଅର୍ଥାତ୍‌, ଆଜିପରି ଶକ୍ତ, କଳା ପିଚୁରାସ୍ତା ନୁହେଁ- ଏହି ପଥ ଥିଲା ନଦୀର ତଟଦେଶ ପରି ସରୁ ସଫା ବାଲିରେ ଭରା। ସେହି ପଥର ଦୁଇ ପାର୍ଶ୍ୱରେ ଥିଲା ଛାୟାଛନ୍ନ ତୋଟା। ତାହା ବୃନ୍ଦାବନର ଭ୍ରମ ସୃଷ୍ଟି କରୁଥିଲା।

ତାହାର ମଝିରେ ସେହି ରଥ-ପଥକୁ ଦୁଇଭାଗ କରି ପ୍ରବାହିତ ହେଉଥିଲା ମାଳିନୀ ନଦୀ। ‘ନୀଳ ପାହାଡ଼ର ଡାକ’ ପୁସ୍ତକର ଏକ ଆବେଗପୂର୍ଣ୍ଣ ରଚନା (ପହଞ୍ଚିବା ବଡ଼ଦାଣ୍ଡେ)ରେ ‘ପୁରୀବୋଲି’ର ପ୍ରଣେତା, ଶ୍ରୀମନ୍ଦିରର ଦେଉଳ ପୁରୋହିତ ସେବକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ତାହାର ଭାବପୂର୍ଣ୍ଣ ବର୍ଣ୍ଣନା କରି କହିଛନ୍ତି-
‘‘ଏହି ସିକତା ପଥକୁ ଦ୍ଵିଖଣ୍ଡିତ କରି ନଦୀଟିଏ ବହି ଯାଉଥିଲା। ନାଆଁ ତାର ମାଳିନୀ। ସମୁଦ୍ର ସହ ମିଳିତ ହୋଇଥିଲା ବାଙ୍କୀ ମୁହାଣରେ। ବିସ୍ତୀର୍ଣ୍ଣ ରାଜପଥ। ଦୁଇପାର୍ଶ୍ୱରେ ବୃକ୍ଷ ବୀଥି। ସେ ପଥକୁ ଚିରି ସମୁଦ୍ର ସହ ମିଳିତ ହେବାପାଇଁ ଉତ୍କଣ୍ଠିତା ସ୍ରୋତସ୍ୱିନୀଟିଏ। କେଡ଼େ ସୁନ୍ଦର ଛବିଟିଏ କୁଆଡ଼େ ହଜିଗଲା ହାୟ !’’

ଖାଲି ସେଇ ଛବିଟି ନୁହେଁ। ସେଦିନର ଆହୁରି ବହୁ ସୁନ୍ଦର ଛବି ଆଜି ହଜିଯାଇଛି- କୋଠାବାଡ଼ି, ଗାଡ଼ିମଟର, ଗହଳଚହଳ, ବେପାରବଣିଜର ଭିଡ଼ ଭିତରେ। ୧୯୮୬ ମସିହାର ଗୋଟିଏ ଲେଖାରେ ତାହାକୁ ‘ବଡ଼ଦାଣ୍ଡର ଆର୍ତ୍ତନାଦ’ ବୋଲି ଅଭିହିତ କରିଛନ୍ତି ପଣ୍ଡିତ ସଦାଶିବ ରଥଶର୍ମା। ଆଜି (ଦୀର୍ଘ ୩୨ବର୍ଷ ପରେ) ସେହି ଆର୍ତ୍ତନାଦ ଆହୁରି ତୀବ୍ର ହୋଇଛି ସିନା, କମିନାହିଁ। ତାହାର ଉତ୍କଟତା ଆମେ ନିତିପ୍ରତି ଅନୁଭବ କରୁଛୁ।

କିନ୍ତୁ ସେଦିନ କ’ଣ ଥିଲା ଏହି ରଥଦାଣ୍ଡ ବା ବଡ଼ଦାଣ୍ଡର ସ୍ୱରୂପ ?

ଶ୍ରୀ ରଥଶର୍ମା ପାରମ୍ପରିକତାର ବିଚାରରେ ତାହାକୁ ବିଭକ୍ତ କରିଛନ୍ତି ସାତ ଭାଗରେ। କହିଛନ୍ତି- ଏକଦା ଏହି ବଡ଼ଦାଣ୍ଡର ପ୍ରତି ଅଂଶ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାକାରୀ ଅନୁଷ୍ଠାନ ଦ୍ଵାରା ଶ୍ରୀମନ୍ଦିର ସହିତ ସଂପୃକ୍ତ ଥିଲା। ଆମର ଭୋଗ-ବୃତ୍ତିରେ ତାହା ଭାଗ ଭାଗ ଓ ବିଲୁପ୍ତ ହୋଇ କ୍ରମେ କୁତ୍ସିତ ବ୍ୟବହାରରେ ପରିଣତ ହୋଇଛି। ପ୍ରାଚୀନ ସ୍ୱରୂପରୁ ବଡ଼ଦାଣ୍ଡର ସାଂସ୍କୃତିକ ପଟ୍ଟଭୂମି ଦେଖିଲେ ଏହାହିଁ ସ୍ପଷ୍ଟ ହୁଏ।

ସେହି ଲେଖାରେ ସେ ବଡ଼ଦାଣ୍ଡର ଯେଉଁ ସାତଟି ପ୍ରଭାଗର ବର୍ଣ୍ଣନା କରିଛନ୍ତି, ସେଥିରୁ ପ୍ରଥମ ଚାରିଟି ହେଉଛି- ଚାରିଖଳା। ତାହା ହେଉଛି- ୧. ବିଜେଖଳା, ୨. ମହାଖଳା, ୩. ଲୀଳାଖଳା ଓ ୪. ସେବାଖଳା।

୧. ବିଜେଖଳା: ଶ୍ରୀମନ୍ଦିର ସିଂହଦ୍ଵାରର ଉତ୍ତରରେ ଥିଲା ବଡ଼ଛତା ମଠର ବରଗଛ ଓ ସାଧୁଗାଦି, ଉତ୍ତରପାର୍ଶ୍ୱ ମଠ ଓ ମା’ ଚର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ। ପୂର୍ବରେ ଦୋଳମଣ୍ଡପ ସାହିର ଷୋଳପୁଅ ମା’ ମଧ୍ୟ ଏହି ଭୂମିର ଅନ୍ତର୍ଭୁକ୍ତଥିଲା । ଏଠାରେ ରଥଯାତ୍ରାର ପହଣ୍ଡି ସହିତ ଇନ୍ଦ୍ରଧ୍ୱଜ ପୂଜା ଓ ଚନ୍ଦନଯାତ୍ରାର ମେଳଣ ହେଉଥିଲା। (ପରବର୍ତ୍ତୀ କାଳରେ ପୂର୍ବର ଦୋଳମଣ୍ଡପ ସାହି ପରିବର୍ତ୍ତେ ଉତ୍ତରରେ ହୋଇଛି ଦୋଳବେଦୀ)

୨. ମହାଖଳା: ମା’ ଚର୍ଚ୍ଚିକାଙ୍କ ଠାରୁ ମର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ ମରିଚିକୋଟ ପର୍ଯ୍ୟନ୍ତ ଥିଲା ମହାଖଳାର ଭୂମି। ସେଇଠି ହେଉଥିଲା କମାରଶାଳ, କରତିଶାଳ ଓ ଜଉଶାଳ। (ଆଜି ବି ସେଠାରେ ରଥନିର୍ମାଣ ହେବା ସହ ତାହା ମହାଖଳା ରୂପେ ପରିଚିତ ହେଉଛି)। ମାଲ ମହନ୍ତ ଆଖେଡ଼ା ଓ ଅକ୍ରୁରଭେଟ ନୀତିପାଇଁ ମଧ୍ୟ ତାହା ଉଦ୍ଦିଷ୍ଟ ଥିଲା। ଜଗନ୍ନାଥବଲ୍ଲଭ ଥିଲା ତାହାର ସୀମା ଏବଂ ତାହା ମଧୁପୁରୀ ରୂପେ ବିବେଚିତ ହେଉଥିଲା। ବଡ଼ ଆଖଡ଼ା ମଠ ଥିଲେ ତାହାର ତତ୍ତ୍ଵାବଧାରକ।

୩. ଲୀଳାଖଳା: ମରିଚିକୋଟ ଠାରୁ ବଡ଼ଦ୍ଵାର (ଆଜିର ମାର୍କେଟଛକ) ଓ ନରେନ୍ଦ୍ର କୋଣ ପର୍ଯ୍ୟନ୍ତ ଥିଲା ଲୀଳାଖଳାର ବିସ୍ତୃତି। ତାହା ମଧ୍ୟରେ ଥିଲା ନାରାୟଣ ଛତା। ବଡ଼ଦ୍ଵାରଠାରେ ଥିବା ଜଗନ୍ନାଥବଲ୍ଲଭ ମଠ ଥିଲା ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ। ସେଠାରେ ଚୂଡ଼ଙ୍ଗ ମହାବୀର ଓ ସାନ ମହାବୀରଙ୍କ ବିଜେସ୍ଥଳୀ। ତାହାର ଅପରପାର୍ଶ୍ୱରେ ବଳଭଦ୍ରବଲ୍ଲଭ। ବଡ଼ ଦ୍ଵାରରେ ଗୋଟିଏ ବଡ଼ ତୋରଣ ଥିଲା ଏବଂ ତାହା ରାତିରେ ସର୍ବସାଧାରଣଙ୍କପାଇଁ ବନ୍ଦ ରହୁଥିଲା। ଦୃଶ୍ୟତଃ ପୁରୀ ନଗର ସେହି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ନିର୍ମୋହି ଆଖଡ଼ା ନିର୍ବାଣୀ ତାହାର ତତ୍ତ୍ଵାବଧାରକ ଥିଲେ।

୪. ସେବାଖଳା: ବଡ଼ଦ୍ଵାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଥିଲା ସେବାଖଳା। (ଏହା ବଡ଼ଗଣ୍ଡି ନାମରେ ମଧ୍ୟ କଥିତ)। ତାହାର ଅନ୍ତର୍ଭୁକ୍ତ ଥିଲା ମାଜଣା ଜାଗା, ଯେଉଁଠାରେ ଗୁରୁବାର ମାଜଣା ନୀତି ହେଉଥିଲା। ସେଇଠି ମଧ୍ୟ ଥିଲା ଶ୍ରୀମନ୍ଦିରର ବାହାର ରୋଷଶାଳା ଏବଂ ରଥ ଯାଇ ସେଠାରେ ରହିବାବେଳେ ସେହିଠାରେ ଠାକୁରଙ୍କର କୋଠଭୋଗ ପ୍ରସ୍ତୁତ ହେଉଥିଲା। ସେହି ବଳଗଣ୍ଡିଠାରେ ତନ୍ତ ପଡ଼ି ଫେଟା ବସ୍ତ୍ର ବୁଣା ହେଉଥିଲା ଏବଂ ତାହା ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯୋଗାଣ ହେଉଥିଲା। (ତନ୍ତୀମଠ ଏବେବି ସେଠାରେ ଅଛି)। ବଳଗଣ୍ଡି ଛତା ଥିଲା ଏହାର ଦକ୍ଷିଣ ସୀମା। ମାଉସୀମା’ (ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶନୀ ଦେବୀ) ସେଠାର ପୀଠ ଦେବୀ। ସେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ରୂପେ ବିଦିତା। ଖାକି ଆଖଡ଼ା ମଠ ଥିଲେ ସେହି ସେବାଖଳା କ୍ଷେତ୍ରର ତତ୍ଵାବଧାରକ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.