ରଥର ପଥ: ପାଟଣା, କାନ୍ତାର ଓ ଶରଧାବାଲି

ସାତଭାଗରେ ବିଭକ୍ତ ବଡ଼ଦାଣ୍ଡର ଚାରିଖଳା ବ୍ୟତୀତ, ଅନ୍ୟ ତିନିଭାଗ ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ତାହା ସଂକ୍ଷେପରେ ଏହିପରି-
୫. ପାଟଣା: ବଳଗଣ୍ଡିଠାରେ ମାଳିନୀ ନଦୀ ରଥର ପଥକୁ ବିଭକ୍ତ କରି ପ୍ରବାହିତ ହେଉଥିଲା ଏବଂ ସେହିଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପାଟଣା ଓ ମାଳିସାହି। (ପାଟଣା- ଇନ୍ଦ୍ରଦ୍ୟୁମ୍ନ ପାଟଣାର ସଂକ୍ଷିପ୍ତ ନାମ। ସେଠାରେ ଶ୍ରୀଗୁଣ୍ଡିଚାଯାତ୍ରାର ଦ୍ଵିତୀୟ ତିନିରଥ ନିର୍ମିତ ହେଉଥିଲା।) ସନ୍ନିକଟବର୍ତ୍ତୀ ଅଞ୍ଚଳ ଥିଲା ମାଳିସାହି। ସେଠାରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲମାଳ ଯାଉଥିଲା। ସେହି ଅଞ୍ଚଳର ଚାଉଳିଆ ମଠରୁ ଶ୍ରୀଜଗନ୍ନାଥଙ୍କ ଭୋଗ (ବଲ୍ଲଭ ଭୋଗ) ପାଇଁ ଫଳ (ପିଜୁଳି ଆଦି-ପିଜୁଳିର ଅନ୍ୟନାମ ଚାଉଳିଆ) ପଠା ହେଉଥିଲା। ଏହି ବଡ଼ଶଙ୍ଖ କ୍ଷେତ୍ରର ତତ୍ତ୍ଵାବଧାରକ ଥିଲେ ବାଲସ୍ୱାମୀ ମଠ।

୬. କାନ୍ତାର: ବଡ଼ଶଙ୍ଖର ପରବର୍ତ୍ତୀ ଅଞ୍ଚଳ ଥିଲା ନିର୍ଜନ। ତେଣୁ ତାହା ‘କାନ୍ତାର’ ନାମରେ ପରିଚିତ ହେଉଥିଲା। ସେହି ଅଞ୍ଚଳରେ ଏକଦା ଖଣ୍ଟମାନଙ୍କର ରାଜୁତି ଥିଲା। ବଡ଼ଶଙ୍ଖର ଆରପଟ ତଣ୍ଟିକଟା ଗୋହିରୀ ରୂପେ ମଧ୍ୟ କୁଖ୍ୟାତ ହେଉଥିଲା। କିନ୍ତୁ ସେହି ‘କାନ୍ତାର’ ଏବେ ନଗରରେ ପରିଣତ ହୋଇଗଲାଣି।

୭. ଶରଧା ବାଲି: ବଡ଼ଦାଣ୍ଡର ଅନ୍ତିମ ଭାଗ ଥିଲା ଶରଧାବାଲି। ସେଇଠାକୁ ଯାଉଥିଲା ତିନି ରଥ। ଏହି ଶରଧାବାଲିର ପ୍ରଶସ୍ତି ବହୁ ଭକ୍ତକବି ନିଜନିଜର ଭକ୍ତିଗୀତିରେ କରିଛନ୍ତି।

ବଡ଼ଦାଣ୍ଡର ଏହି ସପ୍ତକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ ସଂପର୍କରେ ଅନ୍ୟ ଗୋଟିଏ ଲେଖାରେ ମଧ୍ୟ ଉଲ୍ଲେଖ କରିଛନ୍ତି ଶ୍ରୀ ସଦାଶିବ ରଥଶର୍ମା। ସେ କହିଛନ୍ତି- ଆଜିର ଲକ୍ଷ୍ମୀବଜାର (ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗି ରହିଥିବା ଉତ୍ତରପାର୍ଶ୍ୱର ହାଟ) ଛକରେ ତିନିରଥ ରହୁଥିଲା। ଧାଡ଼ି ହୋଇ ଏହି ରଥ ରହୁଥିଲା। ତା’ ପଛକୁ ଥିଲା ବଡ଼ଛତା ବରଗଛ। ସେଇଠି ଥିବା ବଡ଼ଛତା ତଳେ ସାଧୁସନ୍ଥମାନେ ଆସ୍ଥାନ ପାତୁଥିଲେ। ଇଂରେଜ ଅମଳରେ ସେହି ବରଗଛଟି କଟାହୋଇଗଲା। ତାହା ଫଳରେ ତିନିରଥକୁ ୨୮ହାତ ପଛକୁ ଅଣା ଯାଇପାରିଲା। ସେହି ‘ବିଜେଖଳା’ ପରେ ଥିବା ଲଙ୍ଗୁଳି ମଠ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ମହାଖଳା ଥିଲା, ସେଇଠି ଥିଲା ବଢ଼େଇଗଳି। ତାହା ଥିଲା ୪୦ ହାତ ଚଉଡ଼ା, ୧୦୦ ହାତ ଲମ୍ବା। ତା’ ପାଖକୁ ପାପୁଡ଼ିଆ ମଠ (ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପାର୍ଶ୍ୱ, ରାଣୀନଅର ସମ୍ମୁଖ)। ବଡ଼ଦାଣ୍ଡର ଏହି ମଠର ଛତା ତଳେ, ଧୂନି ଲଗାଇ ବହୁ ସାଧୁସନ୍ଥ ଆସ୍ଥାନ ପାତି ବସୁଥିଲେ। ମରିଚିକୋଟର ଉତ୍ତରକୁ ଥିଲା ନରସିଂହ କୋଟ ଓ ସୁନାଗୋସାଇଁଙ୍କ ବଗିଚା।

ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ମଧ୍ୟ ତାଙ୍କ ‘ପହଞ୍ଚିବା ବଡ଼ଦାଣ୍ଡେ’ ଲେଖାରେ ସେଦିନର ବଡ଼ଦାଣ୍ଡର ସୁନ୍ଦର ବର୍ଣ୍ଣନା କରିଛନ୍ତି। କହିଛନ୍ତି- ଗୋଟିଏ ବିନ୍ଦୁରେ ଶ୍ରୀମନ୍ଦିର, ଆଉ ଗୋଟିଏ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର, ଏହି ଦୁଇ ବିନ୍ଦୁକୁ ସଂଯୋଗ କରୁଥିବା ବକ୍ରରେଖାର ନାମ ବଡ଼ଦାଣ୍ଡ- ପୁରୀର ‘ଜୀବନରେଖା’। ଦାଣ୍ଡି ଦାଣ୍ଡି ହୋଇ ଗଳି। ଶାଖାପ୍ରଶାଖାରେ ମିଳି। ତେଣୁ ନାମ ହୋଇଛି ଦାଣ୍ଡିମାଳ ସାହି। ସବୁ ନଦୀ ଜଳଧିକୁ ଧାଇଁବା ପରି ସବୁ ରାସ୍ତା ଯେମିତି ବଡ଼ଦାଣ୍ଡକୁ ଧାଇଁଛନ୍ତି ! ଏହାର ଦକ୍ଷିଣରେ ଏମାର (ମଠ) ଓ ଉତ୍ତରରେ ଗୁଣ୍ଡିଚା ନବର। ଧନ୍ୟ ସେ ରଥ, ଧନ୍ୟ ସେ ପଥ / ଯହିଁ ବିଜୟେ ଶ୍ରୀଜଗନ୍ନାଥ !

କାଳେକାଳେ ଭକ୍ତମାନେ, ଭକ୍ତକବିମାନେ, ଏହି ରଥର ପଥକୁ ପ୍ରଣିପାତ କରି ଆସିଛନ୍ତି ପରମ ଭକ୍ତିରେ। ତାହାର ବାଲିକୁ ମଥାରେ ବୋଳି, ରେଣୁକଣାକୁ ତୁଣ୍ଡରେ ପାଇ ପରମାନନ୍ଦ ଲାଭ କରିଛନ୍ତି। ଏହାର ଉଲ୍ଲେଖ ଅଛି, ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ଭକ୍ତକବି ସାଲବେଗଙ୍କ ରଚନାରେ। ସେ ଦିନେ କହିଥିଲେ- ‘‘ବଡ଼ଦାଣ୍ଡ ଦେଖି ହେଲି ତୋଷ / ରେଣୁ ମାତ୍ର ତେଣୁ କଲି ଗ୍ରାସ।’’ ସେଇଥିପାଇଁ ବି ସପ୍ତଦଶ ଶତାବ୍ଦୀର ସାରିଆ ଭିକ ତାଙ୍କର ପ୍ରସିଦ୍ଧ ଗୀତି ‘‘ଥକାମନ ଚାଲଯିବା… ଚକାନୟନ ଦେଖିବା’’ରେ କହିଛନ୍ତି- ‘‘ପହଞ୍ଚିବା ବଡ଼ ଦାଣ୍ଡେ / ସେ ରେଣୁ ପାଇବା ତୁଣ୍ଡେ। / ଛତା ତଳେ ରହି ଦଣ୍ଡେ ସାଧୁଙ୍କ ସେବା କରିବା।’’

କିନ୍ତୁ ଆଜି ବଡ଼ଦାଣ୍ଡରେ ଆଉ ରେଣୁ ନାହିଁ କି ସେଦିନର ଛତା ନାହିଁ। ଆଉ ସେତେବେଳର ସାଧୁ ବି କାହାନ୍ତି !

ଏଇ ବଡ଼ଦାଣ୍ଡରେ ଥିବା ‘ବଳଗଣ୍ଡି’ର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ଇତିହାସ ଅଛି। ଆଗରୁ ତିନିରଥ ଯାଇ ସେଇଠି ରହୁଥିଲା। ଆଜି ବି ସାଲବେଗଙ୍କପାଇଁ ସେଇଠି ଶ୍ରୀଜଗନ୍ନାଥଙ୍କ ରଥ ଅଟକେ।

କିନ୍ତୁ ବଡ଼ଦାଣ୍ଡର ଏହି ସପ୍ତଖଣ୍ଡ ମଧ୍ୟରେ ସବୁଠୁ ପ୍ରସିଦ୍ଧ ‘ଶରଧା ବାଲି’। ଏବେ ଏ ଅଞ୍ଚଳର ଅରାଏମାତ୍ର ଜାଗାରେ ବାଲି ରଖାଯାଇଛି। ସେତିକି ମାତ୍ର ସେ ଦିନର ସ୍ମୃତିକୁ ସଂଜୀବିତ କରୁଛି। କିନ୍ତୁ ଦିନେ ସମଗ୍ର ଅଞ୍ଚଳ ସେମିତି ଥିଲା ବାଲିରେ ପୂର୍ଣ୍ଣ।

ଏ ସଂପର୍କରେ ସିଦ୍ଧେଶ୍ୱର ମହାପାତ୍ର ଲେଖିଛନ୍ତି, ‘‘କିଛିବର୍ଷ ତଳେ ଶରଧାବାଲିର ରୂପ ଆଜିପରି ନଥିଲା। ଏ ଅଞ୍ଚଳରେ ଏତେ ଘରଦ୍ଵାର ନଥିଲା। ଦୁଇପଟେ କିଆବାଡ଼। ବିସ୍ତ୍ରୀର୍ଣ୍ଣ ବାଲି। ମଝିରେ ସାଧାରଣ ପିଚୁରାସ୍ତା। ବର୍ଷା ଆସିଗଲେ ପାଣି ଜମୁଥିଲା। ସେ ପାଣିରେ ଚିରୁଡ଼ି, ପାଣି ଶିଉଳି, ନୀଳକଇଁ ହେଉଥିଲା। ମାଛ ଖେଳୁଥିଲେ। ବେଙ୍ଗଙ୍କର ବୃନ୍ଦଗାନ ଶୁଭୁଥିଲା। ବଡ଼ଶଙ୍ଖ ପରେ ଏ ଅଞ୍ଚଳରେ ଟିକିଏ ଅଧିକ ଶୀତ ହେଉଥିଲା।’’

କିନ୍ତୁ ତାହା ଥିଲା ପୁରାଣପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞର ପୁଣ୍ୟସ୍ଥଳ। ଦାରୁବ୍ରହ୍ମଙ୍କ ଜନ୍ମବେଦୀ। ସେଥିପାଇଁ ଜନମାନସରେ ତାହା ପବିତ୍ର ବିବେଚିତ ହେଉଥିଲା। ସେଇଥିପାଇଁ ବିଶିଷ୍ଟ ବିଦେଶୀ ଐତିହାସିକ ହଣ୍ଟର ଦିନେ କହିଥିଲେ- ‘‘ଗୋଟାଏ ଜାତିର ଶ୍ରଦ୍ଧା ଯେମିତି ପୁରୀର ଏ ବାଲିରେ ଅଜାଡ଼ି ହୋଇ ପଡ଼ିଛି।’’ ଆଉ ସେଇଥିପାଇଁ ବି ଅଷ୍ଟାଦଶ ଶତାବ୍ଦୀର ଭକ୍ତକବି ବନମାଳି ଦାସ ଦିନେ ଗାଇଥିଲେ, ‘‘ଜଗନ୍ନାଥ ହେ ! କିଛି ମାଗୁନାହିଁ ମୁଁ ତୋତେ। / ଧନ ମାଗୁନାହିଁ, ଜନ ମାଗୁନାହିଁ / ମାଗୁଛି ଶରଧା ବାଲିରୁ ହାତେ।’’

ଆଜି ବଡ଼ଦାଣ୍ଡର ସେଦିନର ଐତିହ୍ୟ ଓ ସଂସ୍କୃତି ଆଉ ନାହିଁ। ଶରଧାବାଲି ବି କେବଳ ସନ୍ତକରୂପେ ରହିଛି। କିନ୍ତୁ ଐତିହ୍ୟର ସବୁ ଅବକ୍ଷୟ ସତ୍ତେ୍ଵ, ଆମ ହୃଦୟର ଭାବଭୂମିରେ ତଥାପି ପରଂପରା କ୍ରମେ ସଂଜୀବିତ ଅଛି ଚିରକାଳର ସେହି ବଡ଼ଦାଣ୍ଡ ଓ ଶରଧାବାଲିର ଅବଶେଷ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର