ରଥ ଖଳା ହାଲଚାଲ : ଚାଲିଛି ଚକ, ଚଉତା ଓ ଗୁଜ କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାମକୁ ଆଜି ୨୭ ଦିନ ପୂରିଛି। ତିନି ରଥ ପାଇଁ ୪୨ ଚକ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୨୯ ଚକ କାମ ଶେଷ ହୋଇଛି। ଇତିମଧ୍ୟରେ ତୁମ୍ବ କାମ ଶେଷ ହୋଇଥିବା ବେଳେ ପଇ, ଅର ପ୍ରସ୍ତୁତିରେ ବି ବିଶ୍ୱକର୍ମାମାନେ ଲାଗି ପଡ଼ିଛନ୍ତି। ନନ୍ଦିଘୋଷ ଓ ତାଳଧ୍ୱଜ ରଥ ପାଇଁ ୧୨ଟି ଲେଖା କୁଡ଼ୁକା ଓ ଦେବୀ ରଥ ପାଇଁ ୯ଟି କୁଡ଼ୁକା ଆବଶ୍ୟକ ଥିବା ବେଳେ ଏହି କାମ ମଧ୍ୟ ଜୋରସୋରରେ ଚାଲିଛି। ସେପଟେ ତିନି ରଥ ପାଇଁ ୧୨ଟି ଲେଖା ଖମ୍ବି ଆବଶ୍ୟକ ଥିବା ବେଳେ ଏହି କାମ ବି ଆଗେଇ ଚାଲିଛି। ଆଜି ତିନି ରଥର ଦୁଇଟି ଲେଖା ଚଉତା କାମ ଶେଷ ହୋଇଥିବା ବେଳେ ବାକି ଖୁବ ଶୀଘ୍ର ଶେଷ ହେବ ବୋଲି ବିଶ୍ୱକର୍ମା ରମେଶ ମହାପାତ୍ର କହିଛନ୍ତି। ସେହିପରି ନୃସିଂହ ମୂର୍ତ୍ତିି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଦୋଳବେଦି କମାରଶାଳରେ ପନ୍ଦାରୀ, ପନ୍ଦାରୀ ଚାପି ଓ ବଳା କାମ ଆଗେଇ ଚାଲିଛି।

ସୁଭଦ୍ରାଙ୍କ ରଥ ପଇରେ ଫାଟ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ଯାଞ୍ଚ କମିଟି ଆଜି ରଥଖଳାରେ ରଥ ନିର୍ମାଣ ଯାଞ୍ଚ କରିଛି। କମିଟି ପ୍ରତିନିଧି ଦଳ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ କାମ ସରିଥିବା ବିଭିନ୍ନ କାଠର ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ସୁଭଦ୍ରାଙ୍କ ରଥର ଗୋଟିଏ ପଇରେ ଫାଟ ଦେଖାଦେବା ଓ ଖରାପ ପଡ଼ିବାରୁ ଏହାକୁ ଅଲଗା କରି ଦିଆଯାଇଛି। ସେହିପରି ଅନ୍ୟ କାମର ବି ଅନୁଧ୍ୟାନ କରାଯାଇଛି। ପରେ ଯାଞ୍ଚ କମିଟି ଦୋଳବେଦି କମାରଶାଳକୁ ଯାଇ କାମ ଯାଞ୍ଚ କରିଥିଲା।

ସମ୍ବନ୍ଧିତ ଖବର