ରଥ ଖଳା ହାଲଚାଲ : ଆରମ୍ଭ ହେଲା ସୂତା ବାଡ଼ିଆ କାମ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୭ ଦିନ ପୂରିଛି। ସପ୍ତମ ଦିନରେ ନିର୍ମାଣ ସରିଥିବା ତୁମ୍ବରେ ସୂତା ବାଡ଼ିଆ କାମ ଆରମ୍ଭ ହୋଇଛି। କଳାରଙ୍ଗ ବୋଳା ସ୍ୱତନ୍ତ୍ର ସୂତାରେ ମାପ ଅନୁଯାୟୀ ବିଶ୍ୱକର୍ମାମାନେ ତୁମ୍ବରେ ସୂତା ବାଡ଼େଇଛନ୍ତି। ଅରପଇ ଖଞ୍ଜା ପାଇଁ ପ୍ରଥମ ଦିନରେ ୨୪ଟି ତୁମ୍ବରେ ସୂତାବାଡ଼ିଆ କାମ ଶେଷ ହୋଇଛି। ତୁମ୍ବ ମାପ ୪୦ ଇଞ୍ଚ ହୋଇଥିବା ବେଳେ ସୂତାମାପ ଅନୁସାରେ ବଳକା କାଠକୁ କାଟି ତୁମ୍ବ ପ୍ରସ୍ତୁତ ହୋଇଛି। ରଥ ନିର୍ମାଣର ସପ୍ତମ ଦିନରେ ୬ଟି ତୁମ୍ବ ପ୍ରସ୍ତୁତ ହୋଇଛି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୨ଟି, ବଳଭଦ୍ରଙ୍କ ତାଳଧ୍ୱଜ ରଥର ୨ଟି ଓ ସୁଭଦ୍ରାଙ୍କ ଦର୍ପଦଳନ ରଥର ୨ଟି ତୁମ୍ବ ପ୍ରସ୍ତୁତ ହୋଇଛି। ୩ଟି ରଥ ପାଇଁ ମୋଟ ୪୨ଟି ତୁମ୍ବ ଆବଶ୍ୟକ ଥିବା ବେଳେ ଆଜି ସୁଦ୍ଧା ୩୧ଟି ତୁମ୍ବ କାମ ଶେଷ ହୋଇଥିବା ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ କହିଛନ୍ତି। ଆସନ୍ତା ୨୮ ତାରିଖ ନୃସିଂହ ଜନ୍ମ ଅବସରରେ ରଥର ଗୁଜ ଅନୁକୂଳ କାମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର