ରଥ ଖଳା ହାଲଚାଲ : ଆଜି ରଥ ଗୁଜ ଅନୁକୂଳ

ପୁରୀ : ଆସନ୍ତାକାଲି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ବିଧି ମୁତାବକ ଏହି ଦିନ ରଥ ଖଳାରେ କୋଣ ଗୁଜ ଅନୁକୂଳ ହେବ। ପ୍ରଥମ କରି ରୂପକାର ସେବକମାନେ ରଥଖଳାରେ ପହଞ୍ଚିବେ। ମାନସିକ ଧାରଣ କରି ମହାପ୍ରଭୁଙ୍କ ସେବାରେ ଲାଗିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ସୋମବାର ରଥଖଳାରେ ଅରମୁଣ୍ଡି ପଡ଼ିଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ଭୋଇ ସେବକମାନେ କାନ୍ଧରେ ବୋହି ଏହି ମୁଣ୍ଡିକୁ ପକାଇଛନ୍ତି। ଅରମୁଣ୍ଡି ଅର୍ଥାତ୍‌ ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ପକାଯିବା ପରେ ବିଶ୍ୱକର୍ମାମାନେ ଏହାକୁ ଚଉପଟ କରିବେ। ଏଥିରେ ରୂପକାର ସେବକମାନେ ଗୁଜ, କୁଡ଼ୁପା, ତୀଖଗୁଜ ଓରା ପ୍ରଭୃତି ନିର୍ମାଣ କରିବେ। ଅନ୍ୟପଟେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ଯନ୍ତାଗାଡ଼ ଖୋଳା ଆରମ୍ଭ ହୁଏ। ଭୋଇ ସେବକମାନେ ଏହି ଯନ୍ତାଗାଡ଼ ଖୋଳିବେ। ପୂର୍ବ ବର୍ଷରୁ ଏହାକୁ ମାଟି ଘୋଡା ଯାଇ ବନ୍ଦ ରଖାଯାଇଥିଲା। ପୂଜା ପରେ ଏହି ଯନ୍ତାଗାଡ଼ ଖୋଳା ଅନୁକୂଳ ହେବ ଏବଂ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ହେବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର