“ତିନି ରଥ : କିଏ ଆଗ, କିଏ ପଛ !”

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ରଥର ସଂଖ୍ୟା ତିନି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ । ତିନି ରଥର ମୁଖ୍ୟ ଦେବତା ମଧ୍ୟ ତିନି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ତେବେ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀସୁଦର୍ଶନ ମଧ୍ୟ ରଥରେ ଥାଆନ୍ତି । ଏହି ଚତୁର୍ଦ୍ଧା ବିଗ୍ରହ ଚାରି ଯନ୍ତ୍ର ବିଧିରେ ନିର୍ମିତ ହୁଅନ୍ତି । ଶ୍ରୀବଳଭଦ୍ର ‘ଶଙ୍ଖଯନ୍ତ୍ର’, ଶ୍ରୀଜଗନ୍ନାଥ ‘ଚକ୍ରଯନ୍ତ୍ର’, ଶ୍ରୀ ସୁଦର୍ଶନ ‘ଗଦାଯନ୍ତ୍ର’ ଓ ଦେବୀ ସୁଭଦ୍ରା ‘ପଦ୍ମଯନ୍ତ୍ର’ । ଏହି ଠାକୁରମାନେ ଆକାର-ପ୍ରକାରରେ ଯେପରି କେହି କାହା ସହିତ ସମାନ ନୁହନ୍ତି, ସେମାନଙ୍କର ରଥ ମଧ୍ୟ ସେପରି କେହି କାହା ସହିତ ସମାନ ନୁହନ୍ତି ।

ରଥ ଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାର କୁ ଅଣାଯାଉଛି

ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ- ଏହି ତିନିରଥର ଚକ ଓ ଉଚ୍ଚତା ପରସ୍ପରଠାରୁ ଭିନ୍ନ । ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଚକସଂଖ୍ୟା ୧୬ ହୋଇଥିବା ବେଳେ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଚକସଂଖ୍ୟା ୧୪ ଏବଂ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଚକ ସଂଖ୍ୟା ୧୨ । ଚକର ସଂଖ୍ୟା ପରି, ଚକର ଉଚ୍ଚତା ମଧ୍ୟ ପରସ୍ପରଠାରୁ ପୃଥକ୍‍ । ‘ନନ୍ଦିଘୋଷ’ର ଚକ ୬ଫୁଟ ଉଚ୍ଚ ହୋଇଥିବାବେଳେ, ‘ତାଳଧ୍ୱଜ’ର ଚକ ୬ ଫୁଟ୍‍ ୬ ଇଞ୍ଚ୍‍ ଓ ‘ଦେବଦଳନ’ର ଚକ ୬ ଫୁଟ ୮ ଇଞ୍ଚ ହୋଇଥାଏ । ଏହି ତିନି ରଥର ଦୈର୍ଘ୍ୟ ଓ ପ୍ରସ୍ଥ ମଧ୍ୟ ପରସ୍ପରଠାରୁ ଭିନ୍ନ । ‘ନନ୍ଦିଘୋଷ’ର ଦୈର୍ଘ୍ୟ ଓ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ହୋଇଥିବା ବେଳେ, ‘ତାଳଧ୍ୱଜ’ର ଦୈର୍ଘ୍ୟ ଓ ପ୍ରସ୍ଥ ୩୩ ଫୁଟ ଏବଂ ‘ଦେବଦଳନ’ର ଦୈର୍ଘ୍ୟ ଓ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ।

ଚକର ସଂଖ୍ୟା ଏବଂ ଦୈର୍ଘ୍ୟ ଓ ପ୍ରସ୍ଥ ପରି ଏହି ତିନି ରଥର ଉଚ୍ଚତା ମଧ୍ୟ ସମାନ ନୁହେଁ । ‘ନନ୍ଦିଘୋଷ’ର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ୍‍ ଓ ‘ତାଳଧ୍ୱଜ’ର ଉଚ୍ଚତା ୪୫ ଫୁଟ ହୋଇଥିବା ବେଳେ ‘ଦର୍ପଦଳନ’ର ଉଚ୍ଚତା ୪୪ ଫୁଟ ୬ ଇଞ୍ଚ୍‍ ।

ତିନି ରଥର ରଙ୍ଗ ମଧ୍ୟ ପରସ୍ପରଠାରୁ ଅଲଗା । ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ଆବରଣ ହଳଦି ଓ ଲାଲ ହୋଇଥିବା ବେଳେ, ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ଆବରଣ ସବୁଜ ଓ ଲାଲ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନର ଆବରଣ କଳା ଓ ଲାଲ୍‍ । ଏହି ତିନି ରଥର ଅଶ୍ୱଙ୍କର ସଂଖ୍ୟା ସମାନ (୪ଟି ଲେଖାଏଁ) ହୋଇଥିବା ବେଳେ, ଅଶ୍ୱଙ୍କର ରଙ୍ଗ ଅଲଗା । ‘ନନ୍ଦିଘୋଷ’ର ଅଶ୍ୱ ଧଳା, ‘ତାଳଧ୍ୱଜ’ର ଅଶ୍ୱ କଳା ଓ ‘ଦେବଦଳନ’ର ଅଶ୍ୱ ଲାଲ ।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ତିନି ରଥ

କିନ୍ତୁ ଏହି ତିନି ରଥ ଏତେ ଏତେ ଦିଗରୁ ଅଲଗା ହୋଇଥିଲେ ମଧ୍ୟ, ଗୋଟିଏ ବିଷୟରେ ‘ସମଭାବ’ ଶ୍ରୀଜଗନ୍ନାଥ ଚେତନାର ମହତ୍ତ୍ୱକୁ ସୂଚିତ କରେ ।

ଏହି ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି- ରଥଟଣା କ୍ଷେତ୍ରରେ ତିନିରଥ ମଧ୍ୟରେ ‘ସମଭାବ’ ରକ୍ଷା କରାଯାଇଥାଏ ।

ପ୍ରତିବର୍ଷର ରଥଯାତ୍ରାରେ ଏହି ତିନି ରଥକୁ ମୋଟ ଚାରିଥର ଟଣାଯାଏ । ଏଥିପାଇଁ ଦୁଇଥର ଆଜ୍ଞାମାଳ ଦିଆଯାଇଥାଏ । ଥରେ ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଅଣାଯିବାପାଇଁ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯିବାପାଇଁ ଏବଂ ଆଉଥରେ ତିନିରଥର ଦକ୍ଷିଣମୋଡ଼ ହେବାପାଇଁ ଓ ବାହୁଡ଼ାଯାତ୍ରାରେ ଫେରିବାପାଇଁ ।

ଗୁଣ୍ଡିଚା ମନ୍ଦିର ଠାରେ ରଥର ଦକ୍ଷିଣ ମୋଡ

ଏହି ଚାରିଥରର ରଥଟଣା ମଧ୍ୟରୁ ପ୍ରଥମ ଥର ରଥ ଟଣାହୁଏ ରଥଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯିବାପାଇଁ । ଏଥିରେ ଶ୍ରୀଜଗନ୍ନାଥଙ୍କ ରଥ ପ୍ରଥମେ ଟଣାଯାଏ । ତା’ ପରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଏ । କିନ୍ତୁ ଶ୍ରୀଗୁଣ୍ଡିଚାଯାତ୍ରାରେ ଏହି ରଥଟଣାର କ୍ରମ ଅଲଗା ହୋଇଥାଏ । ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ, ତା’ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଏ । ରଥ ଟଣାର ଏହି କ୍ରମ ବାହୁଡ଼ାଯାତ୍ରାରେ ମଧ୍ୟ ରକ୍ଷା କରାଯାଏ । କିନ୍ତୁ ଗୁଣ୍ଡିଚାମନ୍ଦିରଠାରେ ତିନିରଥର ଦକ୍ଷିଣମୋଡ଼ ସମୟରେ, ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ତା’ପରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଇଥାଏ ।

ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ଵାର

ତିନି ରଥଙ୍କୁ ଯଥୋଚିତ ସମ୍ମାନ ଦିଆଯିବାପାଇଁ ପାରମ୍ପରିକ ଭାବରେ ଏହି ବ୍ୟବସ୍ଥା କରାଯାଇଛି ବୋଲି ମନେହୁଏ । ଏହା ଫଳରେ ଶ୍ରୀବଳଭଦ୍ର ବଡ଼ଭାଇ ହେଲେ ମଧ୍ୟ ତାଙ୍କ ‘ତାଳଧ୍ୱଜ’ ରଥ ସବୁବେଳେ ପ୍ରଥମେ ଟଣା ନଯାଇ, ଥରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଓ ଆଉ ଥରେ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥ ପ୍ରଥମେ ଟଣାଯାଇଥାଏ ।

ଏହା ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ‘ସର୍ବରଥ ସମଭାବ’ର ବାର୍ତ୍ତା ଦିଏ । ଏହା ସୂଚାଏ ଯେ ଛୋଟବଡ଼ ନିର୍ବିଶେଷରେ ଏ ସଂସାରରେ ସମସ୍ତେ ସମାନ । ସେଥିପାଇଁ ଛୋଟବଡ଼ ନିର୍ବିଶେଷରେ ସମସ୍ତେ ଉଚିତ ସମ୍ମାନ ପାଇଲେ ହିଁ ସୁସ୍ଥ ସହାବସ୍ଥାନ ସମ୍ଭବ ହୋଇଥାଏ ।

 

ସମ୍ବନ୍ଧିତ ଖବର