ରଥଯାତ୍ରା ‘ଦଶାବତାର ଯାତ୍ରା’ କାହିଁକି? ଏହି ଯାତ୍ରାରେ କେଉଁ ‘ଦଶ’ ଯାଆନ୍ତି?

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନେକ ନାମ । ଏହାର ଗୋଟିଏ ନାମ ‘ପତିତପାବନ ଯାତ୍ରା’ । ତାଙ୍କ ‘ପ୍ରାସାଦ’ ବା ମନ୍ଦିରର ଚୂଡ଼ାରେ ଉଡ଼ୁଥିବା ବାନାର ନାମ ଯେପରି ‘ପତିତପାବନ’, ତାଙ୍କର ଏ ଯାତ୍ରାର ନାମ ସେପରି ‘ପତିତପାବନ’ । କାରଣ, ମନ୍ଦିର ପ୍ରବେଶ ପାଇଁ ଯେଉଁମାନଙ୍କୁ ବାରଣ ଅଛି, ବା ମନ୍ଦିର ପରିଭାଷାରେ ଯେଉଁମାନେ ‘ପତିତ’, ସେମାନେ ସ୍ନାନଯାତ୍ରା ବା ଏହି ରଥଯାତ୍ରାରେ ହିଁ ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇଥାଆନ୍ତି । ଏହି ପ୍ରତ୍ୟକ୍ଷ ଦର୍ଶନଦ୍ୱାରା ସେମାନେ ‘ପାବନ’ ବା ପବିତ୍ର ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏଇଥିପାଇଁ ବି ଶ୍ରୀଜଗନ୍ନାଥଙ୍କର ନାମ ପତିତପାବନ । ତେଣୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ବୈଦେହୀଶ ବିଳାସ’ରେ ଲେଖିଛନ୍ତି- “ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।” ଏଇଥିପାଇଁ ରଥଯାତ୍ରା ‘ପତିତପାବନ’ ଯାତ୍ରା ।

କିନ୍ତୁ ଏହି ଯାତ୍ରାର ଆଉ ଏକ ନାମ ହେଉଛି ‘ଦଶାବତାର ଯାତ୍ରା’ । ଏ ନାମ କାହିଁକି, ସେ ନେଇ ଭିନ୍ନ ଭିନ୍ନ ମତ ରହିଛି ।

କବି ଦୀନକୃଷ୍ଣ ଦାସ ତାଙ୍କ ‘ରସକଲ୍ଲୋଳ’ କାବ୍ୟରେ କହିଛନ୍ତି- ଶ୍ରୀଜଗନ୍ନାଥ ହେଉଛନ୍ତି ‘ଅବତାରୀ’ । ସେ ଦଶ ଅବତାରଙ୍କର ଜନକ । କାରଣ ମତ୍ସ୍ୟ, କଚ୍ଛପ, ବରାହ ଓ ନୃସିଂହ ଆଦି ଦଶ ଅବତାର ତାଙ୍କଠାରୁ ଜାତ ହୁଅନ୍ତି । କବି କହିଛନ୍ତି- “କଚ୍ଛପ ମତ୍ସ୍ୟାଦି ଅବତାର ଯେତେକ / କରିବାକୁ ଜାତ ଜଗନ୍ନାଥ ଜନକ ।’’ ଏହା ଶ୍ରୀଜଗନ୍ନାଥଙ୍କର ଗୋଟିଏ ଲୀଳା । ଅଚ୍ୟୁତାନନ୍ଦ ଦାସ ମଧ୍ୟ ଏ ସଂପର୍କରେ ଲେଖିଛନ୍ତି- “ଅବତାର ଦଶ ଏହି ଦାରୁରୂପ ଏହି ଦାରୁରେ ସେ ଲୀନ / ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନସିଂହାସନ ।” କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ କହିଛନ୍ତି- ଶ୍ରୀଜଗନ୍ନାଥ ହିଁ ‘ଦଶ ଅବତାର ଲୀଳା’ ରଚନା କରନ୍ତି ଏବଂ ସେହି ଲୀଳା ମାଧ୍ୟମରେ ବିଭିନ୍ନ ଯୁଗର କଥା ଦେଖାନ୍ତି । ଏଯାଏ ତାଙ୍କର ନଅଟି ଅବତାର ହୋଇଛି ଏବଂ କଳିଯୁଗର ଶେଷରେ ସେ ‘କଳ୍‍କୀ ଅବତାର’ ହୋଇ ମ୍ଳେଚ୍ଛ ସଂହାର କରିବେ ବୋଲି କବି ଜୟଦେବ କହିଛନ୍ତି ।

କିନ୍ତୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ‘ଦଶାବତାର ଯାତ୍ରା’ କାହିଁକି- ତାହାର ଉତ୍ତର ଏହି ‘ଦଶାବତାର’ ତତ୍ତ୍ୱ ଭିତରେ ନାହିଁ । ରଥଯାତ୍ରାର ‘ଦଶାବତାର’ ପ୍ରସଙ୍ଗ ସଂପୂର୍ଣ୍ଣ ଭିନ୍ନ ।

ଏହି ରଥଯାତ୍ରାର ରଥ ହେଉଛି ତିନିଟି- ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବଦଳନ’ । ଏହି ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ମୁଖ୍ୟ ଦେବତା ମଧ୍ୟ ତିନି- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଦେବୀ ସୁଭଦ୍ରାଙ୍କ ରଥରେ ଆରୂଢ଼ ହେଉଥିବା ଶ୍ରୀସୁଦର୍ଶନଙ୍କୁ ମିଶାଇଲେ, ସେମାନଙ୍କର ସଂଖ୍ୟା ଚାରି । ଏହି ଚାରି ଦାରୁଦେବତାଙ୍କ ସହିତ ତିନି ବିଜେ ପ୍ରତିମା ମଧ୍ୟ ରଥରେ ଯାତ୍ରା କରିଥାଆନ୍ତି । ସେମାନେ ହେଉଛନ୍ତି- ଶ୍ରୀଜଗନ୍ନାଥଙ୍କ ରଥରେ ଯାତ୍ରା କରୁଥିବା ଶ୍ରୀମଦନମୋହନ ଏବଂ ଶ୍ରୀବଳଭଦ୍ରଙ୍କ ରଥରେ ଯାତ୍ରା କରୁଥିବା ରାମ ଓ କୃଷ୍ଣ । ଏହିପରି ଚାରି ଦାରୁ ବିଗ୍ରହ ଓ ତିନି ଧାତୁ ବିଗ୍ରହଙ୍କୁ ମିଶାଇଲେ ସେମାନଙ୍କ ମୋଟ ସଂଖ୍ୟା ସାତ ।

ତେବେ ‘ଦଶାବତାର’ର ଆଉ ତିନି ଦେବତା କିଏ ?

ଏ ନେଇ ଭିନ୍ନ ଭିନ୍ନ ମତ ରହିଛି । ଗୋଟିଏ ମତ ହେଉଛି- ଚାରି ଦାରୁ ବିଗ୍ରହ ଓ ତିନି ଧାତୁ ବିଗ୍ରହଙ୍କ ସହିତ, ତିନି ରଥରେ ତିନି ‘ଧ୍ୱଜ ଦେବତା’ ମଧ୍ୟ ଯାତ୍ରା କରିଥାଆନ୍ତି । ରଥଯାତ୍ରା ଦିନ ସକାଳେ ‘ଚାହାଣି ମଣ୍ଡପ’ଠାରେ ଏକ ପ୍ରତିଷ୍ଠା ଯଜ୍ଞ କରାଯାଇ ଏହି ତିନି ଧ୍ୱଜ ଦେବତାଙ୍କର ପୂଜା କରାଯାଏ । ତା’ ପରେ ସେମାନଙ୍କୁ ନେଇ ତିନି ରଥର ପାରାଭାଡ଼ି ଓ ଖପୁରି ମଧ୍ୟରେ ଅବସ୍ଥାପିତ କରାଯାଏ । ଏହି ତିନି ଧ୍ୱଜଦେବତା ହେଉଛନ୍ତି- ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ରଥର ଧ୍ୱଜ ଦେବତା ‘ଶ୍ରୀନୃସିଂହ’, ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥର ଧ୍ୱଜଦେବତା ‘ଶ୍ରୀହନୁମାନ’ ଓ ଦେବୀ ସୁଭଦ୍ରାଙ୍କ ‘ପଦ୍ମଧ୍ୱଜ’ ରଥର ଧ୍ୱଜଦେବୀ ‘ଶ୍ରୀଭୁବନେଶ୍ୱରୀ’ । ଏଣୁ ଚାରି ଦାରୁ ବିଗ୍ରହ, ତିନି ଧାତୁ ବିଗ୍ରହ ଓ ତିନି ଧ୍ୱଜଦେବତାଙ୍କୁ ମିଶାଇ ଏହି ‘ଦଶାବତାର’ ହିଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ।

କିନ୍ତୁ ଏ ସଂପର୍କରେ ଆଉ ଗୋଟିଏ ଅତି ତାତ୍ତ୍ୱିକ ପ୍ରସଙ୍ଗ ଅଛି ‘ସ୍କନ୍ଦ ପୁରାଣ’ରେ । ତାହାର ପଞ୍ଚବିଂଶ ଅଧ୍ୟାୟରେ କୁହାଯାଇଛି- ଏହି ରଥଯାତ୍ରାର ତିନି ରଥ ହେଉଛନ୍ତି ତିନି ‘ଆସନ ବିଗ୍ରହ’ ।

‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ନୂଆମନ୍ଦିର ନିର୍ମାଣ କରିଥିଲେ, ସେଥିରେ ଦେବତାମାନେ ପ୍ରତିଷ୍ଠା ହେଲେ । ତା’ପରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରଥଯାତ୍ରା କିପରି ସୁଚାରୁରୂପେ ସଂପନ୍ନ ହେବ, ତାହା କହିବା ପାଇଁ ରାଜା ଦେବର୍ଷି ନାରଦଙ୍କୁ ଅନୁରୋଧ କରିଥିଲେ । ତାହାର ଉତ୍ତରରେ ଶ୍ରୀନାରଦ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ରଥ କିପରି ନିର୍ମାଣ ହେବ, ସେ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ । ତା’ ସହିତ ସେ କହିଥିଲେ- ହେ ରାଜା! ଶ୍ରୀଜଗନ୍ନାଥ ନିଖିଳ ଜଗତର ‘ଆସନ’ ବା ଆଧାର । ସେ ମଧ୍ୟ ସ୍ୱୟଂ ନିଜର ‘ଆସନ ବିଗ୍ରହ’ ବା ରଥ । ଏଣୁ ସେ ନିଜେ ନିଜର ଯାନ ଅଟନ୍ତି ।

ଏ ଦୃଷ୍ଟିରୁ ତିନି ରଥ- ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ହେଉଛନ୍ତି ତିନି ‘ଆସନ ବିଗ୍ରହ’ ବା ‘ତିନି ଦେବତା’ ।

ଏଣୁ ଚାରି ଦାରୁ ବିଗ୍ରହ, ତିନି ଧାତୁ ବିଗ୍ରହ ଓ ତିନି ରଥକୁ ମିଶାଇଲେ ସେମାନେ ‘ଦଶାବତାର’ । ଏ ଦୃଷ୍ଟିରୁ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ‘ଦଶାବତାର ଯାତ୍ରା’ ।

 

ସମ୍ବନ୍ଧିତ ଖବର