ପୁରୀ ନଆସି ବି କେମିତି ପାଇବେ ରଥଯାତ୍ରାର ପୁଣ୍ୟଫଳ?

ରଥ କଥା - ଅସିତ ମହାନ୍ତି

‘ସ୍କନ୍ଦପୁରାଣ’ ଅନୁସାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ତିନିଟି ଅଙ୍ଗ । ଏହାର ପ୍ରଥମ ଅଙ୍ଗ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା, ଦ୍ୱିତୀୟ ଅଙ୍ଗ ଶ୍ରୀଗୁଣ୍ଡିଚାମନ୍ଦିରରେ ରହଣି ଏବଂ ତୃତୀୟ ଅଙ୍ଗ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା । ଏଥିପାଇଁ ଏହି ଯାତ୍ରାକୁ ‘ଅଙ୍ଗତ୍ରୟ ସମନ୍ୱିତ’ ବୋଲି କୁହାଯାଇଛି । ଏହି ତିନି ଅଙ୍ଗର ସମନ୍ୱୟରେ ରଥଯାତ୍ରା ଏକ ‘ମହା ମହୋତ୍ସବ’ ବୋଲି ମଧ୍ୟ ସେଥିରେ କୁହାହୋଇଛି ।

ଯେଉଁମାନେ ଏହି ତିନିଟିଯାକ ଯାତ୍ରା-ଉତ୍ସବ ଦେଖନ୍ତି, ସେମାନେ ‘ମହାମହୋତ୍ସବର ପୁଣ୍ୟ ଫଳ’ ପାଇଥାଆନ୍ତି ବୋଲି ମଧ୍ୟ ‘ସ୍କନ୍ଦପୁରାଣ’ କହିଛନ୍ତି ।

ବାହୁଡ଼ାଯାତ୍ରାର ବର୍ଣ୍ଣନା ପ୍ରସଙ୍ଗରେ ‘ସ୍କନ୍ଦପୁରାଣ’ରେ ଶ୍ରୀଗୁଣ୍ଡିଚାଯାତ୍ରାକୁ ‘ପୂର୍ବଯାତ୍ରା’ ଓ ବାହୁଡ଼ାଯାତ୍ରାକୁ ‘ପୁନର୍ଯାତ୍ରା’ ବୋଲି ମଧ୍ୟ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି- ଯେଉଁମାନେ ପାଦରେ ଚାଲିଚାଲି ରଥାରୂଢ଼ ଦେବତାମାନଙ୍କୁ ଏହି ଯାତ୍ରା ସମୟରେ ରଥରେ ଦର୍ଶନ କରନ୍ତି, ସେମାନେ ଅଶ୍ୱମେଧ ଯଜ୍ଞର ପୁଣ୍ୟ ଫଳ ପାଆନ୍ତି ।

କିନ୍ତୁ ମନରେ ପ୍ରଶ୍ନ ଉଠେ, ଅନ୍ୟ ଯେଉଁମାନେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଭାଗ ନେଇ ପାରନ୍ତି ନାହିଁ, ସେମାନେ କ’ଣ ରଥଯାତ୍ରାର ପୁଣ୍ୟଫଳ ପାଇପାରିବେ ନାହିଁ? ଏହାର ଉତ୍ତର ମଧ୍ୟ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ସ୍କନ୍ଦପୁରାଣ’ରେ ଦିଆଯାଇଛି । ୩୫ ଅଧ୍ୟାୟର ୨୩ ଓ ୨୪ ଶ୍ଳୋକରେ କୁହାଯାଇଛି- ଯେଉଁମାନେ ଶ୍ରଦ୍ଧା ଓ ଭକ୍ତି ସହକାରେ ହରି (ଶ୍ରୀଜଗନ୍ନାଥ)ଙ୍କର ଅର୍ଚ୍ଚା ବିଗ୍ରହଙ୍କୁ ରଥରେ ବସାଇ ରଥଯାତ୍ରା ପାଳନ କରନ୍ତି, ସେମାନେ ମଧ୍ୟ ପ୍ରଭୁଙ୍କ ପ୍ରସାଦରୁ ଏହି ମହା ମହୋତ୍ସବର ପୁଣ୍ୟଫଳ ପାଇଥାଆନ୍ତି । ଏଣୁ ଓଡ଼ିଶାରେ ଏବଂ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଯେଉଁ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିରେ ଅଂଶଗ୍ରହଣ କରନ୍ତି, ସେମାନଙ୍କୁ ମଧ୍ୟ ଏହି ପୁଣ୍ୟଫଳ ମିଳିଥାଏ ।

ପୁରୀରେ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ତଟଦେଶରେ ଠାକୁରମାନେ ସାତଦିନ ଅବସ୍ଥାନ କରିବା ପରେ, ଏହି ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥାଏ । କାଳେକାଳେ ବହୁ ଭକ୍ତ ଏଥିରେ ଭାଗନେବାପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଯେତେବେଳେ ପୁରୀକୁ ଗମନାଗମନର ପଥ ସୁଗମ ନଥିଲା, ବହୁ କଷ୍ଟ କରି ସେମାନେ ପାଦରେ ଚାଲିଚାଲି ସେତେବେଳେ ରଥଯାତ୍ରାକୁ ଆସୁଥିଲେ । ଏପରି ଗୋଟିଏ ଲୋକପ୍ରିୟ କିଂବଦନ୍ତି ଭକ୍ତକବି ସାଲବେଗଙ୍କ ସଂପର୍କରେ ମଧ୍ୟ ଅଛି ।

ସାଲବେଗ ଥିଲେ ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ଭକ୍ତକବି । ସେ ଥିଲେ ମୋଗଲ ଶାସନ ସମୟରେ କଟକରେ ସୁବେଦାର ଥିବା ଲାଲ୍‍ବେଗ୍‍ଙ୍କର ପୁତ୍ର । ତାଙ୍କର ମାଆ ଥିଲେ ଜଣେ ବ୍ରାହ୍ମଣୀ । କଥିତ ଅଛି ଯେ ଲାଲ୍‍ବେଗ୍‍ ଥରେ ପୁରୀରୁ କଟକକୁ ବାହୁଡ଼ା ଯୁଦ୍ଧଯାତ୍ରା କରୁଥିବା ବେଳେ, ଦାଣ୍ଡମୁକୁନ୍ଦପୁରରେ ଥିବା ପୁଷ୍କରିଣୀଠାରୁ ସ୍ନାନରତା ସେହି ଯୁବତୀ ବ୍ରାହ୍ମଣୀଙ୍କୁ ଅପହରଣ କରି ନେଇଥିଲା । ପ୍ରତିମା(ଫାତିମା) ବିବି ନାମ ଦେଇ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲା । ତାଙ୍କର ପାଞ୍ଚ ପୁତ୍ର ହୋଇଥିଲେ । ଶେଷ ପୁତ୍ର ଥିଲେ ସାଲବେଗ । କେବଳ ସେ ଜୀବିତ ରହିଥିଲେ ଏବଂ ମା’ଙ୍କଠାରୁ ଶ୍ରୀଜଗନ୍ନାଥଙ୍କ କଥା ବାରମ୍ବାର ଶୁଣି ଜଗନ୍ନାଥଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ମାତ୍ର ସାତବର୍ଷ ବୟସରେ ସେ ଗୋଟିଏ ଦୁରାରୋଗ୍ୟ ରୋଗର ଶିକାର ହେଲେ । କିନ୍ତୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇ ସେହି ରୋଗରୁ ମୁକ୍ତ ହୋଇଥିଲେ ।

ସାଲବେଗଙ୍କର ଭଜନଗୁଡ଼ିକ ଭକ୍ତି ଭାବରେ ଭରା ଓ ଅତ୍ୟନ୍ତ ଲୋକପ୍ରିୟ । ସେଥିମଧ୍ୟରୁ ଗୋଟିଏ ଲୋକପ୍ରିୟ ଭଜନ ହେଉଛି, ‘ଜଗବନ୍ଧୁ ହେ ଗୋସାଇଁ’ ।

ସାଲବେଗଙ୍କ ଜୀବନର ଗୋଟିଏ ଘଟଣା ଏହି ଭଜନରେ ପ୍ରତିଫଳିତ ହୋଇଛି । କଥିତ ଅଛି ଯେ ଥରେ ସେ ପଦବ୍ରଜରେ ବୃନ୍ଦାବନରୁ ଫେରୁଥିଲେ । ମନରେ ତାଙ୍କର ଆଶା ଥିଲା, ଶ୍ରୀଗୁଣ୍ଡିଚା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ଆସି ପହଞ୍ଚିଯିବେ । ପ୍ରଭୁଙ୍କୁ ନନ୍ଦିଘୋଷ ରଥରେ ଦର୍ଶନ କରିବେ । କିନ୍ତୁ ବୃନ୍ଦାବନରୁ ପୁରୀ ଦୀର୍ଘ ପଥ । ପହଞ୍ଚିବାରେ ବିଳମ୍ବ ହେଉଥିଲା । ତେଣୁ ବାଟରେ ଥାଇ ସେ ଆକୁଳ ଚିତ୍ତରେ ଏହି ଭଜନଟି ଗାନ କରିଥିଲେ । ତାଙ୍କର ସେହି କାତର ନିବେଦନ ଶ୍ରୀଜଗନ୍ନାଥ ଶୁଣିଲେ । ଶ୍ରୀଜଗନ୍ନାଥଙ୍କ ରଥ ବଳଗଣ୍ଡିଠାରେ ଦିନଦିନ ଧରି ଅଟକି ରହିଲା । ସାଲବେଗ ଆସି ରଥରେ ତାଙ୍କୁ ଦର୍ଶନ କଲା ପରେ ଯାଇ ରଥ ଚାଲିଲା ।

ସେହି ଭଜନରେ ସାଲବେଗ ନିବେଦନ କରିଛନ୍ତି-
“ଜଗବନ୍ଧୁ ହେ ଗୋସାଇଁ!
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଆଶ୍ରେ ନାହିଁ ।
ସାତଶ ପଞ୍ଚାଶ କୋଶ ଚାଲି ନପାରଇ,
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହିା”

ଏଣୁ ବିଶ୍ୱାସ ରହିଛି ଯେ ସେହି କାରଣରୁ ବଳଗଣ୍ଡିଠାରେ ଥିବା ସାଲବେଗଙ୍କ ସମାଧିପୀଠ ନିକଟରେ ଶ୍ରୀଜଗନ୍ନାଥଙ୍କ ରଥ ଅଟକିଥାଏ ।

ସମ୍ବନ୍ଧିତ ଖବର