ଏହି ସବୁ ସ୍ଥାନରେ ଦଶହରାରେ ରାବଣ ପୋଡ଼ି ପରିବର୍ତ୍ତେ କରାଯାଏ ରାବଣ ପୂଜନ

ନୂଆଦିଲ୍ଲୀ: ଭାରତ ଏମିତି ଏକ ଦେଶ ଯେଉଁଠି ରହିଛି ଅନେକ ବିସ୍ମୟଜନକ ପରମ୍ପରା। ଏସବୁ ପରମ୍ପରା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ୍ୟ ହୋଇଥାଏ । ଦଶହରାକୁ ନେଇ ରହିଛି ଏପରି ଏକ ଭିନ୍ନ ପରମ୍ପରା। ସାରା ଭାରତବର୍ଷରେ ଦଶହରା ଦିନ ଭଗବାନ ରାମଙ୍କ ପୂଜା ଓ ରାବଣପୋଡ଼ି ଉତ୍ସବ ପାଳନ କରାଯାଉଥିବା ବେଳେ ଭାରତର ଏମିତି କିଛି ସ୍ଥାନ ଅଛି ଯେଉଁଠି ରାବଣ ପୂଜନର ବିଧି ରହିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶରେ ଏଭଳି ଉତ୍ସବ ଆୟୋଜିତ ହୁଏ । ତେବେ କ’ଣ ପାଇଁ ରାବଣଙ୍କୁ ଏମିତି ପୂଜାଯାଏ ଆସନ୍ତୁ ଜାଣିବା ।

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବିଦିଶା ଜିଲାରେ ରହିଛି ରାବଣଙ୍କ ଭବ୍ୟ ମନ୍ଦିର । ଏଠାରେ ପୂଜାପାଆନ୍ତି ରାକ୍ଷସରାଜ ରାବଣ । ସେହିପରି ରାଜ୍ୟର ମନ୍ଦସୌର ଅଞ୍ଚଳରେ ମଧ୍ୟ ରାବଣଙ୍କ ଏକ ମନ୍ଦିର ରହିଛି । ମନ୍ଦସୌର ଖାନ୍‌ପୁରା ଅଞ୍ଚଳର ରାବଣ ରୁଡ୍ଡି ନାମକ ସ୍ଥାନରେ ଦଶାନନଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ରହିଛି । କୁହାଯାଏ ଏହା ମହାବଳୀ ରାବଣଙ୍କ ଶ୍ୱଶୁର ଘର । ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ନାମାନୁସାରେ ଏହାର ନାମକରଣ ମନ୍ଦସୌର ହୋଇଛି ବୋଲି ସ୍ଥାନୀୟ ଗବେଷକଙ୍କ ମତ ।

କର୍ଣ୍ଣାଟକ: କୋଲାର ଜିଲାର ଫସଲ ମହୋତ୍ସବ ସମୟରେ ରାବଣଙ୍କୁ ପୂଜା କରିବାର ପରମ୍ପରା ରହିଛି । ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବାରୁ ଏଠାରେ ତାଙ୍କ ପୂଜା କରାଯାଏ ବୋଲି କଥା ରହିଛି । ଏଠାରେ ଆୟୋଜିତ ଲଙ୍କେଶ୍ୱର ମହୋତ୍ସବ ସମୟରେ ଭଗବାନ ଶିବଙ୍କ ସହ ରାବଣଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଶୋଭାଯାତ୍ରାରେ ବାହାରକୁ ନିଆଯାଇ ପରିକ୍ରମା କରାଯାଇଥାଏ ।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରସିଦ୍ଧ ସହର କାନପୁରରେ ରାବଣ ମନ୍ଦିର ରହିଛି । କାନପୁରସ୍ଥିତ ଶିବାଲା ଅଞ୍ଚଳରେ ଥିବା ଦଶାନନ ମନ୍ଦିରରେ ଶକ୍ତି ସ୍ୱରୂପ ରାବଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ମନ୍ଦିରର ନିର୍ମାଣ ୧୮୯୦ରେ କରାଯାଇଥିଲା । ଏହି ମନ୍ଦିରର ବିଶେଷତ୍ୱ ହେଉଛି ବର୍ଷକର ଗୋଟିଏ ଦିନ ଦଶହରାରେ ଏହା ଖୋଲାଯାଇଥାଏ । ଦିନ ତମାମ୍‌ ଶ୍ରଦ୍ଧାଳୁ ରାବଣଙ୍କ ଦର୍ଶନ କରିବା ପରେ ସନ୍ଧ୍ୟାରେ ପୁଣି ମନ୍ଦିର ବର୍ଷକ ପାଇଁ ବନ୍ଦ ହୋଇଯାଇଥାଏ ।

ରାଜସ୍ଥାନ: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ମନ୍ଦୋଦରୀ ବୋଲି ଗୋଟିଏ ସ୍ଥାନ ରହିଛି । ଏଠାରେ ରାବଣ ଦେବୀ ମନ୍ଦୋଦରୀଙ୍କ ହାତ ଧରି ବିବାହ କରିଥିଲେ । ଯାହାର ସ୍ମୃତି ବହନ କରିବାକୁ ଏଠାରେ ଏକ ଛତ୍ର ପୂଜା କରାଯାଇଥାଏ ଓ ଏହାର ଅନତି ଦୂରରେ ଏକ ରାବଣ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ହିମାଚଳ ପ୍ରଦେଶ: ଏହି ରାଜ୍ୟର କାଙ୍ଗଡା ଜିଲାରେ ଶିବ ନଗରୀ ନାମରେ ପ୍ରସିଦ୍ଧ ଏକ ଅଞ୍ଚଳ ରହିଛି । ଏଠାରେ ଭଗବାନ ଶିବଙ୍କୁ ଉତ୍ସର୍ଗ ହୋଇଥିବା ବୈଜନାଥ ମହାଦେବଙ୍କ ମନ୍ଦିର ରହିଛି । କୁହାଯାଏ ଏଠାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ରାବଣ ମୋକ୍ଷପ୍ରାପ୍ତିର ବରଦାନ ପାଇଥିଲେ । ଏଣୁ ଏହି ଅଞ୍ଚଳର ଅଧିବାସୀଙ୍କ ପାଇଁ ରାବଣ ବେଶ୍‌ ପୂଜ୍ୟ ।

ସମ୍ବନ୍ଧିତ ଖବର