ଗୋଟାଏ ଦିନରେ ମରିଥିଲେ କୁନ୍ତି-ଗାନ୍ଧାରୀ-ଧ୍ରୁତରାଷ୍ଟ୍ର, ଜାଣନ୍ତୁ ପୂରା କାହାଣୀ!

ମହାଭାରତରେ ଏମିତି ଗୁଡ଼ାଏ କଥା ରହିଛି ଯାହା ହୁଏତ ଆମେ ଜାଣନ୍ତି ନଥିବେ। ଦୌପଦୀଙ୍କ ଅପମାନରୁ ମହାଭାରତ ଆରମ୍ଭ ହୋଇ କୌରବ ବଂଶ ନାଶ ହୁଏ ଏବଂ ପାଣ୍ଡବମାନେ ବିଜୟ ଲାଭ କରନ୍ତି। ମାତ୍ର ତା’ପର କ’ଣ ସବୁ ହୁଏ ଆପଣ ଜାଣନ୍ତି କି? ଯୁଦ୍ଧ ସରିବା ସଙ୍ଗେ ସଙ୍ଗେ ହିଁ ଧ୍ରୁତରାଷ୍ଟ୍ର-ଗାନ୍ଧାରୀ ନିଜକୁ ପ୍ରକୃତିସ୍ଥ କରାଇ ପାରିିଥିଲେ କି? ସେମାନେ କେତେ ସମୟ ନେଇଥିଲେ ପାଣ୍ଡବଙ୍କୁ କ୍ଷମା କରିବାକୁ? କିପରି ରହନ୍ତି କୌରବଙ୍କ ପିତା-ମାତା ଧ୍ରୁତରାଷ୍ଟ୍ର ଓ ଗାନ୍ଧାରୀ? କେମିତି ହୁଏ ସେମାନଙ୍କ ମୃତ୍ୟୁ ସେ ସଂପର୍କରେ ଜାଣନ୍ତୁ।

ବିଜୟ ଲାଭ ପରେ ପାଣ୍ଡବମାନଙ୍କୁ ଭେଟିବାକୁ ଆସିଥାନ୍ତି କୌରବ ପିତା ଧ୍ରୁତରାଷ୍ଟ୍ର। ପ୍ରଥମେ ଯୁଧିଷ୍ଠିରଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଆଲିଙ୍ଗନ କଲେ। ସେ ଭୀମଙ୍କୁ ଭେଟିବାକୁ ଗଲା ବେଳେ କୃଷ୍ଣ ତାଙ୍କ ବୁଦ୍ଧି ଖର୍ଚ୍ଚ କରି ଭୀମଙ୍କର ଏକ ପ୍ରତିମୂର୍ତ୍ତି ତାଙ୍କ ସମ୍ମୁଖରେ ରଖିଦେଲେ। ଧ୍ରୁତରାଷ୍ଟ୍ର କୋଦ୍ଧର ସହ ଭୀମଙ୍କ ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କରୁ କରୁ ପ୍ରତିମୂର୍ତ୍ତିଟି ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଗଲା। କୃଷ୍ଣ ପୂର୍ବରୁ ଜାଣିଥିଲେ ଯେ ଦୁର୍ଯ୍ୟୋଧନର ବଦ୍ଧ କରିଥିବାରୁ ଧ୍ରୁତରାଷ୍ଟ୍ର ଭୀମଙ୍କ ଉପରେ ଖୁବ୍‌ କ୍ଷୁବ୍ଧ। କୃଷ୍ଣଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସୁରକ୍ଷିତ ବର୍ତ୍ତି ଯାଇଥିଲେ ଭୀମ। ଏପରି ଏକ ଘୃଣ୍ୟ ଆଚରଣ ପ୍ରଦର୍ଶନ କରିଥିବାରୁ କିଛି କ୍ଷଣ ମଧ୍ୟରେ ଧ୍ରୁତରାଷ୍ଟ୍ର ନିଜର କ୍ରୋଦ୍ଧ ପାଇଁ ନିଜକୁ ଛୋଟ ମଣି ପାଣ୍ଡବ ପାଞ୍ଚ ଭାଇଙ୍କୁ କ୍ଷମା ମାଗିଥିଲେ। ଯାହା ବି ହେଉ ଶେଷରେ ରାଜ ମୁକୁଟ ପିନ୍ଧିଲେ ବଡ଼ଭାଇ ଯୁଧିଷ୍ଠିର। ପାଣ୍ଡବ ପରିବାର ସହ ଧ୍ରୁତରାଷ୍ଟ୍ର-ଗାନ୍ଧାରୀ ଏବଂ ଧ୍ରୁତରାଷ୍ଟ୍ରଙ୍କର ଏକମାତ୍ର ଜୀବିତ ପୁତ୍ର ୟୁୟୁଷ୍ଟ କିଛି ବର୍ଷ ପର୍ଯ୍ୟନ୍ତ ରହିଲେ।

ଦିନେ ଅଚାନକ ଧ୍ରୁତରାଷ୍ଟ୍ର ସଂସାର ତ୍ୟାଗ କରି ବନକୁ ଯିବାକୁ ସ୍ଥିର କଲେ। ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କଲେ ପତ୍ନୀ ଗାନ୍ଧାରୀ। ସେ ମଧ୍ୟ ସ୍ୱାମୀଙ୍କ ସହ ବନକୁ ଯିବାକୁ ଚାହିଁଲେ। ବଡ଼ଜାଆ, ଦେଢ଼ଶୁରଙ୍କ ସହ କୁନ୍ତି ମଧ୍ୟ ବନ ଯାତ୍ରା କରିବାର ନିଷ୍ପତ୍ତି ନେଲେ। ସେମାନେ ତିନିହେଁ ଯାଇ ଗଙ୍ଗାନଦୀ କୂଳରେ ଏକ ଆଶ୍ରମ କରି ରହିଲେ। ସେମାନେ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ଭଗବାନ ସେମାନଙ୍କ ପାପ ଧୋଇ ଦେଇ ସେମାନଙ୍କୁ ପବିତ୍ର ଗଙ୍ଗା ନଦୀ ସ୍ରୋତରେ ମୋକ୍ଷ ଦିଅନ୍ତୁ। ଦିନେ ଜଙ୍ଗଲରେ ନିଆଁ ଲାଗିଗଲା। ତିନିହେଁ ଚିନ୍ତା କଲେ ମୋକ୍ଷ ପାଇବା ପାଇଁ ଉଚିତ୍‌ ସମୟ ଆସିଛି। ସେ ତିନି ଜଣ ଯାକ ମନକୁ ସ୍ଥିର କରି ଅଗ୍ନିରେ ପ୍ରାଣ ତ୍ୟାଗ କରିଥିଲେ। ପ୍ରାଣତ୍ୟାଗ କରିବା ବେଳେ ସେମାନେ ଯୋଗାସନରେ ବସିଥିଲେ। ନିଜ ଶରୀରକୁ ଯନ୍ତ୍ରଣାର ଊର୍ଧ୍ୱକୁ ନେଇ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିପାରିଥିଲେ ସେମାନେ।

ସେମାନଙ୍କ ଶରୀର ତ୍ୟାଗର ପାଖାପାଖି ବର୍ଷେ ପରେ ଯୁଧିଷ୍ଠିରଙ୍କୁ ଖବର ମିଳିଲାରେ ଜଙ୍ଗଲରେ ସେମାନଙ୍କ ବଡ଼ବାପା, ବଡ଼ମାଆ ଏବଂ ମାଆ କୁନ୍ତି ପ୍ରାଣ ତ୍ୟାଗ କରିଛନ୍ତି। ଏହି ଖବର ତାଙ୍କୁ ନାରଦ ମୁନୀ ଦେଇଥିଲେ। ଯୁଧିଷ୍ଠିର ତତ୍‌କ୍ଷଣାତ ନିଜ ସିଂହାସନ ଛାଡ଼ି ବନକୁ ଗଲେ। ଯେଉଁ ସ୍ଥାନରେ ସେ ତିନିହେଁ ପ୍ରାଣ ତ୍ୟାଗ କରିଥିଲେ ସେଠାରେ ପହଞ୍ଚି ସେମାନଙ୍କ ଶେଷକୃତ୍ୟ ସାରିଥିଲେ।

ସମ୍ବନ୍ଧିତ ଖବର