ଥର୍ମୋକୁଲ୍‌ ପ୍ରଦୂଷଣ ରୋକିବ କମଳା ଚୋପା

ପ୍ରାକୃତିକ ଭାବେ ପଲିଷ୍ଟାଇରିନ୍‌ ବା ଥର୍ମୋକୁଲ୍‌ ବିଘଟିତ ହେବାକୁ ଶହ ଶହ ବର୍ଷ ଲାଗିଯାଏ। ଏହି ପରିବେଶ ବିଧ୍ୱଂସକକୁ କମଳା ଚୋପା ଦ୍ୱାରା ଧ୍ୱଂସ କରିବାର କୌଶଳ ବିକଶିତ କରିଛନ୍ତି, ‘ହୈଦରାବାଦ ଆଇଆଇଟି’ର ଦଳେ ଗବେଷକ। ସେମାନଙ୍କ ଦ୍ୱାରା ବିକଶିତ ପଦ୍ଧତି ଶସ୍ତା ଏବଂ ପରିବେଶ ଅନୁକୂଳ। କମଳା ଚୋପାର ଏକ ମୁଖ୍ୟ ଉପାଦାନ ଲିମୋନିନ୍‌କୁ ଅନ୍ୟ କେତେକ ରାସାୟନିକ ସହ ମିଶାଇ, ସେମାନେ ଏକ ଯନ୍ତ୍ର ଭିତରେ ଥର୍ମୋକୁଲ୍‌କୁ ସଂପୂର୍ଣ୍ଣ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ନିକଟରେ ଚାଇନାର ଗୁଆଙ୍ଗ୍‌ଡଙ୍ଗ୍‌ରେ ଅନୁଷ୍ଠିତ ‘ଓ୍ଵାଲ୍‌ର୍ଡ ଇନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଇନୋଭେସନ୍‌ ଫୋରମ୍‌’ରେ ଏହି ଅଭିନବ ପଦ୍ଧତି ପ୍ରଦର୍ଶିତ ହେବା ସହ ଗବେଷକ ଦଳ ସୁବର୍ଣ୍ଣ ମେଡାଲ୍‌ ଜିଣିଥିଲେ। ପରିବେଶର ସୁରକ୍ଷା ପାଇଁ ଏହି ପଦ୍ଧତିକୁ ପରୀକ୍ଷାଗାର ବାହାରେ ବ୍ୟବହାର କରିବା ନିମନ୍ତେ ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ମାତ୍ର ବାର ପ୍ରତିଶତ ପଲିଷ୍ଟାଇରିନ୍‌କୁ ପୁନଃ-ବ୍ୟବହାରଯୋଗ୍ୟ କରାଯାଉଛି। ଅବଶିଷ୍ଟ ଆବର୍ଜନା ଭାବେ ପଡ଼ିରହି, ପରିବେଶ ନଷ୍ଟ କରୁଛି। ବିଶ୍ୱ ସ୍ତରରେ ବାର୍ଷିକ ୩.୧ କୋଟି ଟନ୍‌ କମଳା ଉତ୍ପାଦିତ ହେଉଛି। ଏହାର ଅର୍ଦ୍ଧେକ ହେଉଛି ଚୋପା। ତେଣୁ, ଏହି ବିପୁଳ ପରିମାଣର ଚୋପାରୁ ଲିମୋନିନ୍‌ ବାହାରକରି, ବିଶ୍ୱକୁ ପଲିଷ୍ଟାଇରିନ୍‌ର ବିଧ୍ୱଂସକ ପ୍ରଭାବରୁ ରକ୍ଷା କରାଯାଇପାରିବ।

ସମ୍ବନ୍ଧିତ ଖବର