ଗୌହାଟୀ: ଭାରତୀୟ ସେନା ଯୁଦ୍ଧ ଭୂମିରେ ରହି ଦେଶ ରକ୍ଷା କରିଥାନ୍ତି। ଶତ୍ରୁର ଗୁଳିକୁ ନ ଡ଼ରି ସେମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥାନ୍ତି। ସେମାନଙ୍କର ଏଭଳି କାମ ପାଇଁ ଦେଶର ଜନତାଙ୍କ ମନରେ ସମ୍ମାନ ରହିଥିବା ବେଳେ ଏବେ ଗୌହାଟୀରେ ଘଟିଥିବା ଏକ ଘଟଣା ସେହି ସମ୍ମାନକୁ ବଢ଼ାଇଛି। ଦୁଇ ହାତୀକୁ ବଞ୍ଚାଇ ପୁଣି ଥରେ ନିଜକୁ ପ୍ରମାଣ କରିଛନ୍ତି ସେନା ଯବାନ। ଭାରତୀୟ ସେନା ଓ ଆସାମ ବନ ବିଭାଗ କମର୍ଚାରୀଙ୍କ ମିଳିତ ପ୍ରୟାସରେ ଦୁଇ ହାତୀଙ୍କ ଜୀବନ ବଞ୍ଚି ପାରିଛି।
/sambad/media/post_attachments/a7bd81981b93907bbb48b3baa158a066b5cb9df8f83d896c35cd3fcc1248a41a.jpg)
ସୂଚନା ମୁତାବକ, ଘଟଣାଟି ଘଟିଥିଲା ଗୌହାଟୀର ନାରଙ୍ଗୀରେ ଥିବା ସେନା କ୍ୟାମ୍ପରେ। ଜଙ୍ଗଲରୁ ଖାଇବା ସନ୍ଧାନରେ ବାହାରିଥିବା ହାତୀ ପଲ ମଧ୍ୟରୁ ମା’ ଓ ଛୁଆ ହାତୀ ଅଲଗା ହୋଇ ସେନା କ୍ୟାମ୍ପରେ ଥିବା ପାଣି ଟାଙ୍କି ପାଖକୁ ଆସିଥିଲେ। ସେଠାରେ ପାଣି ପିଇବା ସମୟରେ ଦୁହିଁଙ୍କ ଗୋଡ଼ ଖସିଯିବାରୁ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ । ସକାଳ ସମୟରେ ଦୁଇ ହାତୀଙ୍କ ଉପରେ ଜଣେ ଯବାନଙ୍କ ନଜର ପଡ଼ିଥିଲା। ଯାହା ପରେ ସେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ଫୋନ କରି ଡ଼କାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଦଳ ବଳ ନେଇ ପାଣି ଟାଙ୍କି ପାଖରେ ପହଞ୍ଚିଥିଲେ। ଯବାନମାନେ ଓ ବନ ବିଭାଗ କର୍ମଚାରୀମାନେ ମିଶି ଜେସିବି, ରଶି ଓ ଅନ୍ୟ ଯନ୍ତ୍ରପାତିର ପ୍ରୟୋଗ କରି ଦୁଇ ହାତୀକୁ ପାଣି ଭିତରୁ ବାହାର କରିଥିଲେ। ଏହି ଅଭିଯାନ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।