ସିବିଆଇ ବିବାଦରେ ଫସିଲା ର’

ସନ୍ଦେହ ଘେରରେ ର’ ଅଧିକାରୀ, ପୂର୍ବତନ ଅଧିକାରୀଙ୍କ ପୁଅ ଗିରଫ

ନୂଆଦିଲ୍ଲୀ : ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ନେଇ  ତଦନ୍ତକାରୀ ସଂସ୍ଥାରେ ଚାଲିଥିବା ବିବାଦରେ ଫସିଯାଇଛି ର’। ଭା‌ରତର ‌େବୖଦେଶିକ ଗୁଇନ୍ଦା ସଂସ୍ଥା ର’ (ରିସର୍ଚ ଏଣ୍ଡ ଆନାଲିସିସ ୱିଙ୍ଗ୍)ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଲାଞ୍ଚ ମାମଲାରେ ଅଭିଯୁକ୍ତ କରାଯାଇଛି। କେବଳ ସେତିକି ନୁହେଁ ଉକ୍ତ ସଂସ୍ଥାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କର ଦୁଇ ପୁଅଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଉ‌େତ୍କାଚ ମାମଲାରେ ଆସ୍ଥାନାଙ୍କୁ ଅଭିଯୁକ୍ତ କରାଯାଇଛି ସେହି ମାମଲାରେ ର’ର ସ୍ବତନ୍ତ୍ର ସଚିବ ସାମନ୍ତ ଗୋଏଲଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ର’ରେ ବରିଷ୍ଠ ଅଧିକାରୀଙ୍କ ତାଲିକାରେ ଗୋଏଲଙ୍କ ସ୍ଥାନ ରହିଛି ଚତୁର୍ଥରେ। ସିବିଆଇର ଏଭଳି ପଦକ୍ଷେପ ନେଇ ର’ ଅଧିକାରୀମାନେ ଆପତ୍ତି ଉଠାଇଛନ୍ତି।

ଟଙ୍କା ହେରାଫେରି ମାମଲାରେ ହାଇଦ୍ରାବାଦର ମାଂସ ରପ୍ତାନିକାରୀ ମୋଇନ କୁରେସୀ ଗିରଫ ହୋଇ ଜେଲରେ ଅଛନ୍ତି। ତାଙ୍କର ସହଯୋଗୀ ବ୍ୟବସାୟୀ ସତୀଶ ସାନା ଏହି ମାମଲାରେ ଅଭିଯୁକ୍ତ ଥିଲେ ମଧ୍ୟ ଏଥିରୁ ମୁକ୍ତି ପାଇବା  ଲାଗି ଦୁଇ କୋଟି ଟଙ୍କାର ଲାଞ୍ଚ ଦେଇଥିବା କୁହାଯାଉଛି। ସାନା ଏହି ଦୁଇ କୋଟି ଆଲୋକ ବର୍ମାଙ୍କୁ ଦେଇଛନ୍ତି ବୋଲି ଆସ୍ଥାନା ଅଭିଯୋଗ କରିଥିଲେ। ମାତ୍ର ସାନା ସିବିଆଇ  ଅଧିକାରୀଙ୍କୁ କହିଛନ୍ତି, ଦୁଇ କୋଟି ଟଙ୍କା ସେ ଆସ୍ଥାନାଙ୍କୁ ଦେଇଛନ୍ତି। ତାଙ୍କ ବୟାନକୁ ଭିତ୍ତି କରି ସିବିଆଇ ଯେଉଁ ଏଫଆଇଆର ରୁଜୁ କରିଛି ସେଥିରେ ଆସ୍ଥାନା ଓ ଗୋଏଲଙ୍କ ନାମ ରହିଛି।

ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦ ନାମକ ଦୁଇ ଜଣ ଭାଇଙ୍କ ଜରିଆରେ ଏହି ଉତ୍କୋଚ କାରବାର ହୋଇଛି। ସେମାନେ ହେଉଛନ୍ତି ଦୁବାଇରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର। ମନୋଜ ଗିରଫ ହୋଇଥିବା ବେଳେ ସୋମେଶ ଫେରାର ଅଛନ୍ତି। ସେମାନେ ଗୋଏଲଙ୍କୁ ଜାଣିଥିବା କହିଛନ୍ତି।

ମନୋଜ ଏବଂ ସୋମେଶ ହେଉଛନ୍ତି ର’ର ପୂର୍ବତନ ଅଧିକାରୀ ଦେବେଶ୍ବର ପ୍ରସାଦଙ୍କ ପୁଅ। ଏହି ଉତ୍କୋଚ ମାମଲାରେ ଦେବେଶ୍ବର ଏବଂ ର’ର ଅନ୍ୟ କୌଣସି ଅଧିକାରୀ ସଂପୃକ୍ତି ଅଛି ନା ନାହିଁ ତାହାର ଯାଞ୍ଚ କରୁଛି ସିବିଆଇ।

ସିବିଆଇ ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୧୬ରେ ମନୋଜ ପ୍ରସାଦ ଗିରଫ ହେବା କ୍ଷଣି ଭାଇ ସୋମେଶ ସିବିଆଇର ସ୍ବତନ୍ତ୍ର ନିର୍ଦେଶକ ଆସ୍ଥାନାଙ୍କୁ ୯ ଥର ଫୋନ କରିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତାର ରେକର୍ଡ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର