ଜଣେ ଉଚ୍ଚ ଶିକ୍ଷିତା ମହିଳା କିପରି ବିହାରର ଏକ ଅଖ୍ୟାତ ଗ୍ରାମର କାୟାକଳ୍ପ କରିଲେ?

ଋତୁ ଜୈସଓ୍ଵାଲ୍‌ ଏବେ ବିହାରର ଏକ ଚର୍ଚ୍ଚିତ ନାମ। ସେ ହେଉଛନ୍ତି ଦିଲ୍ଲୀର ଜଣେ ଆଇଏଏସ୍‌ ଅଧକାରୀ ଅରୁଣ କୁମାରଙ୍କ ଧର୍ମପତ୍ନୀ।ବୟସ ଏବେ ୪୦ ଓ ଏକ କନ୍ୟା ଓ ପୁତ୍ର ସନ୍ତାନର ଜନନୀ। ସେ ଚାହିଁଥିଲେ ଅୟସ ଆରାମରେ ଜୀବନ ବିତାଇଥା’ନ୍ତେ ପରିବାର ସହିତ ଦିଲ୍ଲୀରେ। କିନ୍ତୁ ଋତୁ ବାଛିଥିଲେ ଏକ ଭିନ୍ନ ପଥ। ସେ ବିହାରର ଏକ ଅଖ୍ୟାତ ପଲ୍ଲୀ ସିଂହବାହିନୀର ଉନ୍ନତି କଳ୍ପେ ଏଭଳି ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି,ଯାହା ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ ହେବନି।

ଋତୁଙ୍କ ଜନ୍ମ ବିହାରର ବୈଶାଳୀରେ। ପିଲାଦିନରୁ ସମାଜ ସେବା କରିବା ତାଙ୍କର ଲକ୍ଷ୍ୟ। ୧୯୯୫ ବ୍ୟାଚ୍‌ର ଜଣେ ଆଇଏଏସ୍‌ ଅଧିକାରୀ ଅରୁଣ କୁମାରଙ୍କୁ ୧୯୯୬ରେ ଋତୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ଯେତେବେଳେ ଋତୁ ତାଙ୍କ ସ୍ୱାମୀଙ୍କ ଗାଆଁ ସୀତାମରାହି ଜିଲ୍ଲାର ସାନବର୍ଷା ଗାଆଁକୁ ଆସନ୍ତି ,ସେଠାରେ ଦେଖନ୍ତି ,ଗାଆଁରେ ବିଜୁଳି ନାହିଁ,ରାସ୍ତା ନାହିଁ,ସ୍ୱଚ୍ଛତା ନାହିଁ କି ନିରାପଦ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସେ ଏହାର କାୟାକଳ୍ପ କରିବାର ଲକ୍ଷ୍ୟ ନେଇ ମଝିରେ ମଝିରେ ସିଂହବାହିନୀ ଗ୍ରାମକୁ ଆସିଥିଲେ।

photo-thebetterindia.com

ଋତୁ ପ୍ରଥମେ ଗ୍ରାମରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ଲାଗି ଚେଷ୍ଟା କରିଥିଲେ।ସେ ସେହି ଗାଆଁର ଜଣେ ବି.ଇଡ଼ି ଶିକ୍ଷାପ୍ରାପ୍ତ ଯୁବତୀଙ୍କୁ ଉଚ୍ଚ ଦରମାରେ ଏଠାରେ ଶିକ୍ଷାଦାନ ଲାଗି ନିଯୁକ୍ତି ଦେଲେ।ସେହି ଯୁବତୀ ଜଣକ ଗାଆଁର ୨୫ ଜଣ ସ୍କୁଲ ଛାଡ଼ିଥିବା ପିଲାଙ୍କୁୁ ପାଠ ପଢ଼ାଇଲେ । ଏହାଫଳରେ ୨୦୧୫ରେ ସେହି ଗ୍ରାମର ୧୨ ଜଣ ଛାତ୍ରୀ ମାଟ୍ରିକ୍ୟୁଲେସନ୍‌ ପାସ୍‌ କରିଥିଲେ।

ଏହାପରେ ଋତୁ ଗ୍ରାମବାସୀଙ୍କୁ ଘରୋଇ ହିଂସା,ସ୍ୱଚ୍ଛତା ଓ ଜୈବିକ କୃଷି ସଂପର୍କରେ ଅଲୋଚନାଚକ୍ର ମାଧ୍ୟମରେ ସଚେତନ କରାଇଲେ। ତାଙ୍କରି ପ୍ରଚେଷ୍ଟାରେ ସିଂହବାହିନୀ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହେଲା।ଏଥିସହିତ ଜିଲ୍ଲାପାଳଙ୍କ ସହାୟତାରେ ଋତୁ ସେହି ଗ୍ରାମରେ ୨ ହଜାର ଶୌଚାଳୟ ନିର୍ମାଣ କରାଇବାରେ ସଫଳ ମଧ୍ୟ ହୋଇଛନ୍ତି। ସରକାରୀ ଉଦାସୀନତା ହେତୁ ଗାଆଁରେ ରାସ୍ତା ତିଆରି ହୋଇପାରୁନଥିବା ଜାଣି ଋତୁ ଗ୍ରାମବାସୀଙ୍କ ଆର୍ଥିକ ଓ ଶାରୀରିକ ସହାୟତା ପକ୍କା ସଡ଼କ ନିର୍ମାଣରେ ବି ସଫଳ ହେଲେ। ଏହାପରେ ଋତୁ ଗ୍ରାମରେ ଥିବା ସାଧାରଣ ବିତରଣ ବ୍ୟବସ୍ଥାକୁ ସୁଧାରିଲେ।ପଞ୍ଚାୟତର ୧୪ ହଜାର ଗ୍ରାମବାସୀଙ୍କୁ ରେସନ୍‌ କାର୍ଡ଼ ଯୋଗାଇ ଦେବାରେ ମଧ୍ୟ ସଫଳ ହୋଇଥିଲେ ଋତୁ।

photo-thebetterindia

ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀଙ୍କ ଆଗ୍ରହକ୍ରମେ ଋତୁ ଜୈସଓ୍ଵାଲ୍‌ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ।ଏଥିରେ ତାଙ୍କୁ ମିଳିଥିଲା ସର୍ବାଧିକ ୭୨ ପ୍ରତିଶତ ଭୋଟ୍‌। ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।୨୦୧୬ରେ ବିହାର ସରକାର ଋତୁଙ୍କୁ ଉଚ୍ଚ ଶିକ୍ଷିତ ଆଦର୍ଶ ଯୁବ ସରପଞ୍ଚ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ।ଏଭଳି ବିରଳ ସମ୍ମାନ ପାଇବାରେ ସେ ହେଉଛନ୍ତି ଏକମାତ୍ର ସରପଞ୍ଚ। ଗତ ୨୦୧୭ ଅଗଷ୍ଟରେ ସୀତାମାରହି ଜିଲ୍ଲାରେ ଭୟାବହ ବନ୍ୟା ଦେଖା ଯାଇଥିଲା।ଏଭଳି ପରିସ୍ଥିତିରେ ସେ ନିଜ ସ୍ୱାମୀ ଓ ପିଲାଙ୍କ ପାଖକୁ ଦିଲ୍ଲୀ ନ ଫେରି,ବରଂ ସେହି ଗ୍ରାମରେ ରହି ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିଥିଲେ।ଏବେ ତାଙ୍କ ପଞ୍ଚାୟତର ୧୨ଟି ଓ୍ଵାର୍ଡ଼ରେ ଜଳ ପମ୍ପ୍‌ ପ୍ରତିଷ୍ଠା ହୋଇଛି।ଏହି କାରଣରୁ ଋତୁ ଆଜି ସିଂହବାହିନୀ ଗ୍ରାମର ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି।

ଋତୁଙ୍କର ଏହି ସମାଜମଙ୍ଗଳ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ।ସେମାନେ କେବେବି ଏଥିନେଇ ଅସନ୍ତୋଷ ପ୍ରକାଶ କରିନାହାନ୍ତି ବୋଲି କୁହନ୍ତି ଋତୁ ଜୈସଓ୍ଵାଲ୍‌।

ସମ୍ବନ୍ଧିତ ଖବର