ଏଣିକି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ!

ଦେଶରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଯୋଗୁଁ ଅନେକ ମୃତାହତ ହେବା ସହ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ହେଉଛି। ଏହା ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଟର ଭେଇକିଲ ଆକ୍ଟ, ୧୯୮୮ରେ ସଂଶୋଧନ କରି ସଡକ ଦୁର୍ଘଟଣାରେ ପୀଡିତମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିରେ ପରିବର୍ତ୍ତନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ, ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ଥାର୍ଡ ପାର୍ଟି କ୍ଲେମରେ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ନିୟମ କରାଯାଇଛି।

 

ଏହି ସଂଶୋଧନ ଅନୁଯାୟୀ, ପୀଡିତ ବ୍ୟକ୍ତିଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ସ୍ଥିର କରିବା ପାଇଁ ଏକ ନୂଆ ଫର୍ମୁଲା କରାଯାଇଛି। ଏହି ଫର୍ମୁଲା ହେଉଛି କ୍ଷତିପୂରଣ ରାଶି = ୫ ଲକ୍ଷ x କର୍ମଚାରୀ କ୍ଷତିପୂରଣ ଆକ୍ଟ, ୧୯୨୩ ସୂଚୀ ୧ ହିସାବରେ ବିକଳାଙ୍ଗତାର ପ୍ରତିଶତ।

ଯଦି ପୀଡିତ ବ୍ୟକ୍ତି ସ୍ଥାୟୀ ଭାବରେ ବିକଳାଙ୍ଗ ହୋଇଯାଇଛନ୍ତି ତେବେ ତାଙ୍କୁ ଅତି କମରେ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ। ସେହିପରି ସାମାନ୍ୟ ଆହତ ହେବାର ସ୍ଥିତିରେ ୨୫ ହଜାର ଟଙ୍କାର କ୍ଷତିପୂରଣ ମିଳିବ। ଏହି ସଂଶୋଧନ ପ୍ରକ୍ରିୟା ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି। ଯଦି ମେ ୨୨ ତାରିଖଠାରୁ କୌଣସି ଥାର୍ଡ ପାର୍ଟି କ୍ଷତିପୂରଣ ପାଇଁ କ୍ଲେମ କରୁଛନ୍ତି ତେବେ ତାଙ୍କୁ ଏହି ନୂଆ ସଂଶୋଧନ ନିୟମ ଅନୁଯାୟୀ, କ୍ଷତିପୂରଣ ରାଶି ଦିଆଯିବ। ଏହି ସଂଶୋଧନ ପରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୧୯ ଜାନୁଆରୀ ୧ ତାରିଖ ଠାରୁ ସମସ୍ତ ପ୍ରକାର କ୍ଲେମ ପାଇଁ କ୍ଷତିପୂରଣ ରାଶିରେ ପ୍ରତିବର୍ଷ ୫ ପ୍ରତିଶତ ବୃଦ୍ଧି କରାଯିବ।

୨୦୧୯ ଜାନୁଆରୀ ମାସ ୧ ତାରିଖ ଠାରୁ ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳୁଥିବା କ୍ଷତିପୂରଣ ରାଶିରେ ୫ ପ୍ରତିଶତ ବୃଦ୍ଧି ହେବ। ଏହି ଅନୁସାରେ ଥାର୍ଡ ପାର୍ଟି ଇନସୁରାନ୍‌ସ ମାନଙ୍କୁ ୫,୨୫,୦୦୦ ଟଙ୍କା କ୍ଷତିପୂରଣ ରାଶି ମିଳିବ। ଏହି ଅନୁସାରେ ସାଧାରଣ ଦୁର୍ଘଟଣାରେ ମିଳୁଥିବା କ୍ଷତିପୂରଣ ରାଶି ୨୫,୦୦୦ ଟଙ୍କାରୁ ବୃଦ୍ଧି ହୋଇ ୨୬,୨୫୦ ଟଙ୍କା ହୋଇଯିବ।

ସମ୍ବନ୍ଧିତ ଖବର