ନ୍ୟୁଜ ଚାନେଲରେ ଇଣ୍ଟର୍ନ କରୁଥିବା ମହିଳା ଏବେ ୪୮ହଜାର କୋଟି କମ୍ପାନିର ସିଇଓ

ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ଦୁନିଆର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜର୍ମାନିର ଚାନ୍ସଲର ଏଞ୍ଜେଲା ମର୍କିଲ, ଦ୍ୱିତୀୟ ନମ୍ବରରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥେରେସା ମେ ଓ ତୃତୀୟରେ ମୋଲିଣ୍ଡା ଗେଟସ୍‌ ରହିଛନ୍ତି। ପାଞ୍ଚଜଣ ଭାରତୀୟ ମହିଳାଙ୍କ ନାମ ବି ଏହି ତାଲିକାରେ ରହିଛି। ଭାରତୀୟ ମହିଳାଙ୍କ ମଧ୍ୟରେ ୩୨ତମ ସ୍ଥାନରେ ଅଛନ୍ତି ଚନ୍ଦା କୋଚର। ସେହିପରି ଏଚସିଏଲର  ରୋଶନି ନାଦର ମାଲହୋତ୍ରାଙ୍କୁ ୧୦୦ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୭ତମ ସ୍ଥାନ ମିଳିଛି।

ଫୋବର୍ସର ୧୦୦ଜଣ ଶକ୍ତିଶାଳୀ ତାଲିକାରେ ୫୭ତମ ସ୍ଥାନରେ ଥିବା ରୋଶନି ୪୮ହଜାର କୋଟି ଟଙ୍କା କାରବାର କରୁଥିବା କମ୍ପାନିର ସିଇଓ ଅଛନ୍ତି। ୨୭ବର୍ଷ ବୟସରେ ୨୦୦୯ରେ ରୋଶନି ଆଇଟି କମ୍ପାନି ଏଚସିଏଲର ସିଇଓ ହୋଇଥିଲେ। ତେବେ ରୋଶନିଙ୍କ ପ୍ରାରମ୍ଭ କ୍ୟାରିୟର କେମିତି ଥିଲା ଆସନ୍ତୁ ଜାଣିବ।

ରୋଶନି ନାଦର ମାଲ୍‌ହୋତ୍ରା ତାଙ୍କର କ୍ୟାରିୟର ଆରମ୍ଭ କରିବା ସମୟରେ ଏକ ନିଉଜ୍‌ ଚାନେଲରେ ଇଣ୍ଟର୍ନ କରୁଥିଲେ। ୩୬ବର୍ଷୀୟ ରୋଶନି ୨୦୦୯ରେ କେବଳ ୨୭ବର୍ଷ ବୟସରେ ଏଚସିଏଲର ସିଇଓ ହୋଇଥିଲେ। ଏହାପରେ ରୋଶନି କର୍ପୋରେସନ୍‌ରେ ଏଗ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ହୋଇଥିଲେ। ଟେକ୍‌ନୋଲୋଜି, ହେଲଥ୍‌କେୟାର ଓ ଇନ୍‌ଫୋସିଷ୍ଟମରେ କାମ କରୁଥିବା ନାମୀଦାମୀ କମ୍ପାନି ଏଚସିଏଲର ମାର୍କେଟିଂ ମୂଲ୍ୟ ପାଖାପାଖି ୪୮ ହଜାର କୋଟି ରହିଛି।

ଏତଦ୍‌ବ୍ୟତୀତ ରୋଶନି ଶିବ ନାଦର ପାଉଣ୍ଡେସନ୍‌ର ଟ୍ରଷ୍ଟି ଅଛନ୍ତି। ନାଦର ଫାଉଣ୍ଡେସନ୍‌ ଦେଶ ଓ ବିଦେଶରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ସକ୍ରିୟ ରହିଛି। ଭାରତରେ ଏହି ଫାଉଣ୍ଡେସନ୍‌ର କେତେଟି ଶୀର୍ଷ କଲେଜ ଓ ସ୍କୁଲ ମଧ୍ୟ ରହିଛି। ଫାଉଣ୍ଡେସନ୍‌ର ଏକ ବଡ଼ ବିଶ୍ୱବିଦ୍ୟାଳୟ ଗ୍ରେଟର ନୋଏଡାରେ ରହିଛି।

ରୋଶନି ଶେଖର ମାଲ୍‌ହୋତ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଶେଖର ରୋଶନିଙ୍କୁ ଶିବ ନାଦର ଫାଉଣ୍ଡେସନ୍‌ କାମରେ ସାହାଯ୍ୟ କରିଥାଆନ୍ତି।

ସମ୍ବନ୍ଧିତ ଖବର