‘ପୁଅ ଯେବେ ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ’; ଆଚ୍ଛା କହିଲେ ଏହାର ଅର୍ଥ କ’ଣ?
ବହୁ ପ୍ରାଚୀନ କାଳରୁ ଅନେକଗୁଡ଼ିଏ ରୁଢ଼ି, ଲୋକକଥା, ଢ଼ଗଢ଼ମାଳି ଆଦି ରହିଯାଇଛି। ଯାହାର ଇତିହାସ ଖୋଜିବା କଷ୍ଟ, ମାତ୍ର ସେ ସବୁ ଆଜି ବି ଆମ ଦୈନନ୍ଦିନ ଜୀବନରେ ଅନେକ ଗୁରୁତ୍ୱ ରଖନ୍ତି। ଲିଖିତ ସାହିତ୍ୟରୁ ନେଇ କଥିତ ସାହିତ୍ୟ ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଏପରି କିଛି କଥା ଆମେ ବ୍ୟବହାର କରିଥାନ୍ତି। କହିବାକୁ ଗଲେ ଯଦି ଏପରି କିଛ ରସାତ୍ମକ କଥା ଓଡ଼ିଆ ସାହିତ୍ୟ ସହ ଯୋଡ଼ି ହୋଇନଥାନ୍ତା ବୋଧ୍ ହୁଏ ଓଡ଼ିଆ ସାହିତ୍ୟ ଆପେକ୍ଷାକୃତ ଦୁର୍ବଳ ହୋଇଥାନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଏକ ଲୋକକଥା ହେଉଛି ‘ପୁଅ ଯେବେ ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ’। ଏହାର ଅର୍ଥ କ’ଣ ଆପଣ ଜାଣନ୍ତି କି? ଜାଣନ୍ତି କି କେମିତି କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଏ। ଚାଲନ୍ତୁ ଆଜି ଆମେ ସେ ସଂପର୍କରେ ଆଲୋଚନା କରିବା।
ପୁଅ ଯେବେ ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ କହିବାର ତାତ୍ପର୍ଯ୍ୟ ହେଲା, ଜଣେ ଯୋଗ୍ୟ ପୁଅ କେବେ ବାପାର ସମ୍ପତ୍ତି ବା ଧନ ଉପରେ ଦୃଷ୍ଟି ରଖେନା। ସେ ନିଜର ଦକ୍ଷତା ବଳରେ ନିଜର ଆବଶ୍ୟକତା ପୂରା କରିପାରେ। ସେପରି ପୁଅ ପାଇଁ ଧନ ସଞ୍ଚୟ କରିବା ଆଦୌ ଆବଶ୍ୟକ ପଡ଼େ ନାହିଁ।
ପୁଅ ଯେବେ ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ କହିବାର ତାତ୍ପର୍ଯ୍ୟ ହେଲା, ପୁତ୍ର ଯେତେବେଳେ ଅଯୋଗ୍ୟ ହୋଇଯାଏ ସେ ସଞ୍ଚିତ ଧନ ବି ମାନ ବୁଝେ ନାହିଁ। ପୁତ୍ର ଯଦି ମଦୁଆ, ମାତାଲ ହୋଇଥାଏ ତେବେ ସେ ବାପାର ସଞ୍ଚିତ ଧନକୁ ଚୁଟ୍କିରେ ସାରି ଦେଇପାରେ। ସେପରି ପୁଅ ପାଇଁ ଧନ ସଞ୍ଚିବା ଅର୍ଥାତ ଧନ ପାଣିରେ ଫୋପାଡ଼ି ଦେବା ସହ ସମାନ।
ତେଣୁ କହିବାର ତାତ୍ପର୍ଯ୍ୟ ହେଉଛି, ପୁତ୍ରକୁ ଠିକ୍ ଭାବେ ଗଢ଼ି ତୋଳିବା। ମଣିଷ ପରି ମଣିଷ କରିବା ହିଁ ବାପର ସବୁଠାରୁ ବଡ଼ ପୁଞ୍ଜି ହୋଇଥାଏ। ଧନ ସଞ୍ଚୟ କେବେଳ ନିଜ ମନର ସନ୍ତୋଷ ହେତୁ କରାଯାଏ। ତାହା ଭବିଷ୍ୟତ ଉପରେ ବିଶେଷ ପ୍ରଭାବ ପକାଏ ନାହିଁ। ଯଦି ଭବିଷ୍ୟତ ଉପରେ କିଛି ପ୍ରଭାବ ପକାଉଥାଏ ତାହା ହେଉଛି ପୁତ୍ରର ଆଚରଣ।