ଭଗବାନ ବଞ୍ଚାଇଦେଲେ

ଏକ ଘଣ୍ଟା ଧରି ଦେଢ଼ ହଜାର ଲୋକଙ୍କ ଜୀବନ ଲାଗିଥିଲା ବାଜିରେ। କିଏ ନିଜ ସିଟ୍‌ରେ ବସି ଆଖି ବୁଜି ଠାକୁରଙ୍କୁ ଡାକିବା ବେଳେ କିଏ ବଗିର ଦରଜା ପାଖରେ ଛିଡ଼ା ହୋଇ ତଳକୁ ଡେଇଁବାର ସୁଯୋଗ ଅପେକ୍ଷାରେ ଥିଲା। ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ ବିନା ଇଂଜିନରେ ଟିଟିଲାଗଡ଼ରୁ କେସିଂଗା ଯାଏଁ ଗଡ଼ିଯିବା ଘଟଣା ଭାରତୀୟ ରେଳବାଇରେ ପ୍ରଥମ ବୋଲି କୁହାଯାଉଛି। ଏହା ଦେଶର ରେଳ ବ୍ୟବସ୍ଥା ପାଇଁ ସତର୍କ ଘଣ୍ଟି ବଜାଇଛି। ତେବେ ଈଶ୍ୱରଙ୍କ ଦୟାରୁ ଟଳି ଯାଇଛି ଏକ ବଡ଼ ଧରଣର ଅଘଟଣ।

ବିନା ଇଂଜିନ୍‌ର ଯାତ୍ରା

ନିର୍ଧାରିତ ସମୟର ୧ ଘଣ୍ଟା ୨୦ ମିନିଟ୍‌ ବିଳମ୍ବରେ ଶନିବାର ରାତି ୯ଟା ୩୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିଥିଲା ୧୮୪୦୬ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌। ଷ୍ଟେସନରେ ଟ୍ରେନ ଅଟକିବା ପରେ ଯାତ୍ରୀମାନେ କିଏ ପାଣି ପାଇଁ, କିଏ ଖାଦ୍ୟ ପାଇଁ ଓହ୍ଲାଇ ଗଲେ। କାରଣ ସେଠାରେ ଅଧ ଘଣ୍ଟା ରହଣି। ଇଂଜିନ ପରିବର୍ତ୍ତନ ହେବ। ଯାତ୍ରୀମାନେ କିଏ ଖାଦ୍ୟ ପାଇଁ, କିଏ ପାଣି ପାଇଁ ପ୍ଲାଟ୍‌ଫର୍ମକୁ ଓହ୍ଲାଇ ଥିଲେ। କିଏ ବାହାରେ ଚା’ ପିଇଥିଲା ତ କିଏ ଖାଦ୍ୟ କିଣି ବଗିକୁ ଫେରିଥିଲା। ଏହାପରେ ପୁଣି ଅଧିକାଂଶ ଯାତ୍ରୀ ନିଜ ନିଜ କୋଚ୍‌କୁ ଫେରି ଯାଇଥିଲେ। ଠିକ ଅଧ ଘଣ୍ଟା ପରେ ଅର୍ଥାତ୍‌ ରାତି ୧୦ଟା ୫ରେ ଗାଡ଼ି ଗଡ଼ିବା ଆରମ୍ଭ କଲା। ତେବେ ଗାଡ଼ି ଛାଡ଼ିବା ପୂର୍ବରୁ ଯେମିତି ହର୍ନ ବାଜିଥାଏ ତାହା ବାଜି ନଥିଲା। ତଳକୁ ଓହ୍ଲାଇଥିବା କିଛି ଯାତ୍ରୀ ଅପ୍ରସ୍ତୁତ ହୋଇ ତରବରିଆଭାବେ ନିଜ ନିଜ କୋଚ୍‌କୁ ଚଢ଼ି ଗଲେ। ଧୀରେଧୀରେ ଗାଡ଼ିର ଗତି ବଢ଼ିବାକୁ ଲାଗିଲା। ଇଂଜିନଠୁ ଦୂରରେ ଥିବା ଲୋକେ କେହି କିଛି ଜାଣି ପାରି ନଥିଲେ। କିନ୍ତୁ ସେତେବେଳେ ଏହି ଚକ୍‌ଚକିଆ ନାଲି ରଂଗର ଦୀର୍ଘକାୟ ଟ୍ରେନ୍‌ ଆରମ୍ଭ କରି ସାରିଥିଲା ଏହାର ବିନା ଇଂଜିନ୍‌ର ଯାତ୍ରା। ବାଟରେ ପଡ଼ିଥିବା ପ୍ରାୟ ୨୦୦ ମିଟର୍‌ ଲମ୍ବା ତେଲ ନଦୀ ବ୍ରିଜକୁ ମଧ୍ୟ ବିନା ବାଧାରେ ସଂପୂର୍ଣ୍ଣ ଅତିକ୍ରମ କରି ଯାଇଥିଲା। ବ୍ରିଜ୍‌ ନିକଟରେ ରେଳ ଧାରଣା ସାମାନ୍ୟ ଉଚ୍ଚ ଥିବା ସତ୍ତ୍ୱେ ଟ୍ରେନର ଦୈର୍ଘ୍ୟ ପୋଲଠୁ ଯଥେଷ୍ଟ ଅଧିକ ଥିବା ତଥା ପୂର୍ବରୁ ରହିଥିବା ବେଗ କାରଣରୁ ଏହା ପୋଲ ବି ପାରି ହୋଇ ଯାଇଥିଲା।

ଘଟଣାକ୍ରମ…

ଇଂଜିନ ବଦଳ ବେଳେ ଇଂଜିନର ଧକ୍କା ଖାଇ ଟିଟିଲାଗଡ଼ରୁ ଗଡ଼ିବା ଆରମ୍ଭ କରିଥିବା ମୁଣ୍ଡ ବିହୀନ ଟ୍ରେନ୍‌ଟି ପ୍ରଥମରୁ ପ୍ରାୟ ୫ ରୁ ୬ କିଲୋମିଟର ବେଗରେ ଚାଲିଥିଲା। ହେଲେ କତରକେଲା ଗେଟ୍‌ ପାରି ହେବା ପରେ ଗଡାଣି ଥିବାରୁ ବେଗ ବଢ଼ିବାରେ ଲାଗିଥିଲା। ଏହା ପ୍ରାୟ୨୦ ରୁ ୨୫ କିଲୋମିଟର ବେଗରେ ଯାଇ ଟିଟିଲାଗଡ଼ରୁ ୧୩ କିଲୋମିଟର ଦୂରରେ ଥିବା କଳହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚିଥିଲା । ହେଲେ ସେଠାରେ ବି ଅଟକି ନ ଥିଲା। କେସିଙ୍ଗାରୁ ପ୍ରାୟ ୨ କିଲୋମିଟର ଆଗକୁ ଗଲା ପରେ ଉଠାଣି ପଡ଼ିବାରୁ ଗତି କମିଥିଲା। ଏକ ନିର୍ଦ୍ଧାରିତ ସ୍ଥାନରୁ ଟ୍ରେନ୍‌ଟି ପୁଣି ବିପରୀତମୁଖୀ ହୋଇ ଷ୍ଟେସନ ପଟକୁ ଫେରିଥିଲା । ହେଲେ ଫେରିବା ବାଟରେ ବି କେସିଙ୍ଗା ଷ୍ଟେସନରେ ଅଟକି ନଥିଲା ଗାଡ଼ି । ବଗିଗୁଡ଼ିକ ଗଡ଼ି ଗଡ଼ି ଯାଇ ତେଲ ନଦୀ ବ୍ରିଜ ପାଖରୁ ପୁଣି ଥରେ ଫେରିଥିଲା କେସିଙ୍ଗା ଷ୍ଟେସନ ପଟେ । କେସିଙ୍ଗା ଷ୍ଟେସନ ପାଖକୁ ଯିବା ପରେ କେସିଙ୍ଗାରେ କାର୍ଯ୍ୟରତ ରେଳ କର୍ମଚାରୀ ତଥା ସାହସୀ ଯାତ୍ରୀମାନେ ଟ୍ରେନରୁ ଡେଇଁ ବଗିଗୁଡ଼ିକର ଚକ ତଳେ ରେଳ ଧାରଣା କଡ଼ରେ ଥବା ଗେଟି ପଥର ଆଦି ରଖିଥିଲେ। ଫଳରେ ଟ୍ରେନ୍‌ଟି ସ୍ଥିର ହୋଇଥିଲା।

ଇଂଜିନ ସମ୍ବଲପୁର ମୁହାଁ, ଗାଡ଼ି ଗଡ଼ିଲା ରାୟଗଡ଼ା

ଅନ୍ୟ ତିନି ମୁହାଁ ରେଳ ଜଂସନ ଭଳି ଟିଟିଲାଗଡ଼ରେ ବି ରେଳ ଲାଇନ୍‌ର ଢାଞ୍ଚା ଇଂରାଜୀ ଅକ୍ଷର ‘ଓ୍ଵାଇ (Y)’ ଭଳି। ‘ଓ୍ଵାଇ’ର ଉପର ଦୁଇ ବାହୁ ରାୟପୁର ଓ ସମ୍ବଲପୁର ଦିଗର ଲାଇନ୍‌ ହୋଇଥିଲାବେଳେ ତଳ ପାର୍ଶ୍ୱର ବାହୁ କେସିଂଗା-ରାୟଗଡ଼ା ମୁହାଁ। ଟ୍ରେନ୍‌ଟି ରାୟପୁର ପଟୁ ଆସି ସମ୍ବଲପୁର ପଟକୁ ଯିବାକୁ ଥିବାରୁ ଇଂଜିନ ପରିବର୍ତ୍ତନର ଆବଶ୍ୟକତା ଥିଲା। କିନ୍ତୁ ଷ୍ଟେସନରେ ବିନା ବ୍ରେକ୍‌ରେ ଛିଡ଼ା ହୋଇଥିଲାବେଳେ ଏହା ଇଂଜିନ ବଦଳା ବେଳର ହାଲୁକା ଧକ୍କାରେ ତଳ ପଟକୁ ଅର୍ଥାତ କେସିଂଗା ଅଭିମୁଖେ ଗଡ଼ିବାକୁ ଲାଗିଥିଲା। କୋଚ୍‌ ସହ ସଂଯୋଗ ହୋଇ ନପାରିବାରୁ ଏହାର ଇଂଜିନ ସମ୍ବଲପୁର ମୁହାଁ ହୋଇ ଅଟକି ରହିଥିଲା।

ରେଳ ଚଳାଇଥିଲା ଅଦୃଶ୍ୟ ଶକ୍ତି

୨୨ଟି କୋଚ୍‌ ବିଶିଷ୍ଟ ବିନା ଇଂଜିନର ରେଳରେ ସବାର ଥିଲେ ପ୍ରାୟ ୧୫୦୦ ଲୋକ। ସେମାନଙ୍କ ମଧ୍ୟରେ ସାମିଲ ଥିଲେ ଯାତ୍ରୀ, ଟ୍ରେନର କର୍ମଚାରୀ, ଠିକା କର୍ମଚାରୀ, ପେଣ୍ଟ୍ରି କର୍ମଚାରୀ, ବୁଲା ବିକାଳି ପ୍ରମୁଖ। ଟିଟିଲାଗଡ଼ରୁ ଟ୍ରେନ ଛାଡ଼ିବା ସମୟରେ ଅଧିକାଂଶ ଲୋକ ଜାଣି ନଥିଲେ ଯେ ସେମାନଙ୍କ ଗାଡ଼ି ବିନା ଇଂଜିନରେ ଚାଲିଛି। କାରଣ ଇଂଜିନ ବଦଳି ଥିଲେ ଟ୍ରେନର ଗତି ଓଲଟା ଦିଗରେ ହୋଇଥାନ୍ତା। କିନ୍ତୁ ଏହା ସିଧା ସିଧା ଚାଲିଥିଲା। ତେବେ ଯେଉଁ କିଛି ଲୋକ ଏ ସଂପର୍କରେ ଅବଗତ ହେଲେ ସେମାନଙ୍କଠାରୁ ଜାଣିବା ପରେ ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ହାହାକାର ହୋଇ ଯାଇଥିଲା। ତେବେ ସତେ ଯେମିତି କେଉଁ ଏକ ଅଦୃଶ ଶକ୍ତିର ହାତ ସେମାନଙ୍କ ମୁଣ୍ଡ ଉପରେ ଥିଲା। ୧୫ କିଲୋମିଟର୍‌ର ଏହି ଅସ୍ୱାଭାବିକ ଯାତ୍ରାରେ କାହାରି କିଛି କ୍ଷତି ହୋଇ ନଥିଲା।

ତୁରନ୍ତ ଲାଇନ୍‌ କ୍ଲିୟର, ଫାଟକ ବନ୍ଦ

କିଛି କର୍ମଚାରୀଙ୍କ ଅବହେଳା କାରଣରୁ ଇଂଜିନ ପରିବର୍ତନ ସମୟରେ ରେଳ ବଗି ଗୁଡ଼ିକ ବିପରୀତ ଦିଗକୁ ଗଡ଼ିବା ଆରମ୍ଭ କରିଥିଲେ ବି ସମ୍ବଲପୁର ନିୟନ୍ତ୍ରଣ କକ୍ଷ ତଥା ଟିଟିଲାଗଡ଼ ଷ୍ଟେସନ ମାଷ୍ଟର ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ଯାତ୍ରୀମାନଙ୍କୁ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା କରିବାରେ ସମର୍ଥ ହୋଇଥିଲେ। ଟ୍ରେନ ଗଡ଼ିବା ଆରମ୍ଭ କରିବା ମାତ୍ରେ ଷ୍ଟେସନ ମାଷ୍ଟର ଲାଇନ୍‌ କ୍ଲିୟର କରି ଦେଇଥିଲେ। ଟିଟିଲାଗଡ଼ରୁ କେସିଂଗା ମଧ୍ୟରେ ଥିବା ସମସ୍ତ ୬ଟି ରେଳ ଫାଟକକୁ ବନ୍ଦ କରି ଦିଆ ଯାଇଥିଲା। ନିୟନ୍ତ୍ରଣ କକ୍ଷ ପକ୍ଷରୁ ଟ୍ରେନକୁ ତରବରିଆ ଭାବେ ନ ଅଟକାଇ ଗଡ଼ିବାକୁ ଦେବାକୁ କୁହା ଯାଇଥିଲା।

ଟ୍ରେନ ଭିତରେ କାନ୍ଦ ବୋବାଳି

ଗୁଜରାଟର ସୁରତ, ଅହମଦାବାଦ, ଗାନ୍ଧୀନଗର ଆଦି ଅଞ୍ଚଳକୁ ଓଡ଼ିଶାରୁ ଅନେକ ଯୁବକ କର୍ମ ସଂସ୍ଥାନ ପାଇଁ ଯାଆନ୍ତି । ଅହମଦାବାଦ-ପୁରୀ ଟ୍ରେନରେ ଯାତ୍ରା ସେମାନଙ୍କ ପାଇଁ କିଛି ନୂଆ କଥା ନୁହେଁ । ହେଲେ ଶନିବାର ଘଟିଥିବା ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ବିନା ଇଞ୍ଜିନରେ ଟ୍ରେନ ପ୍ରାୟ ପନ୍ଦର କିଲୋମିଟର ଚାଲିଯିବା କଥା କେହି ବି ହଜମ କରି ପାରି ନଥିଲେ । ଟ୍ରେନରେ ଥିବା ମହିଳାମାନେ ଘଟଣା ବିଷୟରେ ଜାଣିବା ପରେ କାନ୍ଦ ବୋବାଳି ଆରମ୍ଭ କରିଦେଇଥିବା ବେଳେ ଯୁବକ ତଥା ପୁରୁଷ ଯାତ୍ରୀମାନେ କିପରି ଏହି ପରିସ୍ଥିତିରୁ ମୁକୁଳିବେ ସେ ନେଇ ପ୍ରୟାସ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ଟ୍ରେନଟି ଅନିୟନ୍ତ୍ରିତ ଭାବେ ଚାଲିବା ପରେ କେସିଙ୍ଗା ଷ୍ଟେସନ ନିକଟରେ ଅଟକି ଥିଲା । ଟ୍ରେନଟି ଅଟକିବା ପରେ ୨୨ଯାକ ବଗିରେ ଥିବା ଶହ ଶହ ଯାତ୍ରୀ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ । ହେଲେ ଏପରି ଅନୁଭୂତି ଜୀବନରେ କେବେ ବି ଦେଖି ନଥିବା ବେଳେ ୮୦ ଦଶକରେ ତିଆରି ହୋଇଥିବା ‘ଦି ବର୍ଣ୍ଣିଙ୍ଗ ଟ୍ରେନ’ ଫିଲ୍ମର ଦୃଶ୍ୟ ମନେ ପଡ଼ି ଯାଇଥିଲା ବୋଲି କହନ୍ତି ପ୍ରତ୍ୟକ୍ଷଦର୍ଶୀ ଓ ଯାତ୍ରୀ ।

କେସିଙ୍ଗାବାସୀ ସାହା ହେଲେ

ବିନା ଇଞ୍ଜିନରେ ଟ୍ରେନ ଆସୁଥିବା ଖବର ପାଇ କେସିଙ୍ଗା ସହରର ଶହଶହ ଲୋକ ଷ୍ଟେସନରେ ପହଞ୍ଚିଥିଲେ। ଟ୍ରେନକୁ ରୋକିବା ପାଇଁ ଟ୍ରାକରେ କିଏ ବାଲି ବସ୍ତା ଆଣି ରଖୁଥିଲା ତ କିଏ ପଥର ଗୋଡ଼ି ଦେଇ ରେଳକୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଧୀରେ ହେବାରୁ କିଛି ଲୋକ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ସହରବାସୀ ସେମାନଙ୍କୁ ଟ୍ରେନରୁ ଡେଇଁବାକୁ ବାରଣ କରିଥିଲେ। ଟ୍ରେନ ରହିବା ପରେ ଭୟଭୀତ ଅବସ୍ଥାରେ ଥିବା ଯାତ୍ରୀମାନଙ୍କୁ ସ୍ୱାନ୍ତ୍ୱନା ଦେଇଥିଲେ।

ଟ୍ରେନରେ ଆରପିଏଫ, ଜିଆରପି, ଟିଟିଇ କି ଗାର୍ଡ ନଥିଲେ

ବିନା ଇଞ୍ଜିନରେ ଗଡ଼ୁଥିବା ଟ୍ରେନ୍‌ ବଗିଗୁଡ଼ିକରେ ଆରପିଏଫ, ଜିଆରପିଏଫ, ଟିଟିଇ ଓ ଗାର୍ଡ କେହି ବି ନଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଥିବା ବେଳେ ସେମାନଙ୍କୁ ସଠିକ ସୂଚନାଟିଏ ଦେବା ପାଇଁ ଟ୍ରେନରେ କେମିତି କିଏ ନଥିଲେ ତାହା ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ରେଳ ବିଭାଗ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟିକୋଟ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖୋଦ ଯାତ୍ରୀ ହିଁ କାଲି ଅସୁରକ୍ଷିତ ହେବା ଏହି କୋଟିକୋଟି ଟଙ୍କା ଯୋଜନାକୁ ଫସର ଫଟେଇଛି।

ପ୍ରସ୍ତାବସିନ୍ଧୁ ରଣାଙ୍କ ସାହସିକତା

କେସିଙ୍ଗା ଷ୍ଟେସନ କର୍ମଚାରୀମାନେ ଖବର ପାଇବା ପରେ ଉପସ୍ଥିତ ଜନସାଧାରଣଙ୍କ ସହାୟତାରେ ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଟକାଇ ପାରି ନଥିଲେ। ଟ୍ରେନ ବାରମ୍ବାର ଆଗପଛ ହେବା ପରେ ମୂଷାଘାଟି ପଟକୁ ଗଲା ବେଳକୁ ଟ୍ରେନର ବେଗ କିିମି ଯାଇଥିଲା। ଏହି ସମୟରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ କେସିଙ୍ଗା ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ପ୍ରସ୍ତାବସିନ୍ଧୁ ରଣା ନିଜ ଜୀବନକୁ ବାଜି ଲଗାଇ ଏକ ବଡ଼ ଉଦ୍ୟମ କରିଥିଲେ। ପୂର୍ବରୁ ତାଲିମ ପାଇଥିଲେ ମଧ୍ୟ କେବେ ଉପଯୋଗ କରିବା ସୁଯୋଗ ପାଇ ନଥିଲେ। ଏଥର ସେ ତାଙ୍କ ତାଲିମର ଅଭିଜ୍ଞତାକୁ କାମରେ ଲଗାଇଥିଲେ। ସ୍କିଡ୍‌ ନାମକ ଯନ୍ତ୍ରକୁ ଟ୍ରେନ ଚକରେ ଲଗାଇ ଦେବା ଫଳରେ ଗାଡ଼ିଟି ଅଟକି ଯାଇଥିଲା। ଏଥିରେ ବିପଦ ଥିଲେ ମଧ୍ୟ ସେ ନ ଡରି ଲୋକମାନଙ୍କ ଜୀବନ ବଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ।

ହ୍ୟାଣ୍ଡ ବ୍ରେକ୍‌ ଲଗାଇବାକୁ ଭୁଲିଗଲେ

ଅହମଦାବାଦ-ପୁରୀ ଏକ୍ସପ୍ରେସ। ସବୁବେଳେ ଭିଡ଼ରେ ରହୁଥିବା ଏହି ଟ୍ରେନ ପୂର୍ବତଟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ । ନିୟମ ତଥା ବୈଷୟିକ ତଥ୍ୟ ଅନୁସାରେ ଟ୍ରେନର ଇଞ୍ଜିନ ବଦଳ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟିରେ ରଖିବା କଥା । ଟ୍ରେନ ଅଟକିବା ପରେ ଯେତେବେଳେ ଇଞ୍ଜିନ ବଗିରୁ କଟା ଯାଏ, ସେତେବେଳେ ଟ୍ରେନର ଉଭୟ ପାର୍ଶ୍ୱରେ ଥିବା ଗାର୍ଡ ବଗିରେ ଥିବା ହ୍ୟାଣ୍ଡ ବ୍ରେକ ଲଗାଇବା। ବଗିଗୁଡ଼ିକର ଚକ ତଳେ ଥିବା ବ୍ରେକର(କାଠରେ ତିଆରି ଗୁଟକା) ଲଗାଇବା କଥା। କିନ୍ତୁ ଶନିବାର ଦିନ ଅହମଦାବାଦ-ପୁରୀ ଏକ୍ସପ୍ରେସ ଘଟଣାରେ ଏହି ନିୟମ ପାଳନ କରାଯାଇ ନଥିଲା। ଏହା ସହ ଗତକାଲି ଆସିଥିବା ଟ୍ରେନରେ ଲିଙ୍କ ହଫମ୍ୟନ ବୁଶ(ଏଲଏଚବି) ବଗିଗୁଡ଼ିକ ଲାଗିଥିଲା । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ଏହି ବଗିଗୁଡ଼ିକର ଚକରେ ଲାଗୁଥିବା ବିଅରିଂ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପାରମ୍ପରିକ ବଗି ଅପେକ୍ଷା ଅଧିକ ଉନ୍ନତ ଥିବାରୁ ଧକ୍କା ଯୋଗୁଁ ଏତେ ବେଗରେ ଟ୍ରେନର ବଗିଗୁଡ଼ିକ ଚାଲିଯାଇଥିଲା ବୋଲି ଅନୁମାନ କରାଯାଉଛି। ଏହି ସମସ୍ତ ପ୍ରକ୍ରିୟା କେରେଜ ଏଣ୍ଡ ଓ୍ଵାଗନ(ସିଏଣ୍ଡଡବ୍ଲୁ) ଡିପାର୍ଟମେଣ୍ଟର ହୋଇଥିବା ବେଳେ ଏହି ବିଭାଗର କର୍ମଚାରୀମାନେ କିପରି ହଜାର ହଜାର ଯାତ୍ରୀଙ୍କ ଜୀବନ ବିପଦକୁ ଠେଲି ଦେଲେ ବୋଲି ପ୍ରଶ୍ନ ଉଠୁଛି।

ରେଳ ଇଞ୍ଜିନ ପରିବର୍ତ୍ତନ ବେଳେ ଗୁଡ଼ିଏ ନିୟମ କାନୁନ ମାନିବାକୁ ରହିଥାଏ। ଇଞ୍ଜିନ ପରିବର୍ତ୍ତନ ସମୟରେ ସନଟିଂ କରୁଥିବା କର୍ମଚାରୀଙ୍କ ସହ ତଦାରଖ ପାଇଁ ଅନ୍ୟମାନେ ରହିବା କଥା। ସେହିଭଳି ଟ୍ରେନରେ ଗାର୍ଡ ଓ ଡ୍ରାଇଭର ସମସ୍ତେ ସନଟିଂ ଠିକ ଭାବରେ ହେଲା କି ନାହିଁ ତାହା ତଦାରଖ କରିବା କଥା। କିନ୍ତୁ ଟିଟିଲାଗଡ଼ରେ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହିଭଳି ଘଟଣା ଘଟିଥିବା ଅଭିଯୋଗ ଉଠୁଛି। କାରଣ କର୍ମଚାରୀ ପରିବର୍ତ୍ତନ ହେଉଥିବାରୁ ବହୁ ସମୟରେ ଏଭଳି ସମ୍ବେଦନଶୀଳ ଜିନିଷକୁ ଖାମଖିଆଲି ଭାବେ ନିଆଯାଇଥାଏ। ଫଳରେ ଏହିପରି ଘଟଣା ଘଟୁଛି ବୋଲି ଏବେ କଥା ଉଠୁଛି।

ସାରା ଦେଶରେ ହେବ ଇଂଜିନ ବଦଳ ନିରାପତ୍ତା ଅଭିଯାନ

ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳରେ ଘଟିଥିବା ଏହି ଘଟଣା ସମଗ୍ର ଭାରତୀୟ ରେଳବାଇକୁ ଦୋହଲାଇ ଦେଇଛି। ଏଭଳି ଏକ ଘଟଣା ଘଟିପାରେ ତାହା ହୁଏତ ରେଳବାଇ କର୍ତୃପକ୍ଷ କେବେ ଚିନ୍ତା ବି କରି ନଥିଲେ। ତେଣୁ ଏହା ପରେ ରେଳବାଇ ବୋର୍ଡ ବି ତତ୍ପର ହୋଇ ଉଠିଛି। ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସାରା ଦେଶରେ ଏକ ମାସ ଧରି ଏକ ସୁରକ୍ଷା ଅଭିଯାନ ଓ ତାଲିମ କାର୍ଯ୍ୟକ୍ରମ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯାନରେ ଇଂଜିନ ବଦଳୁ ଥିବା ବା ଗାଡ଼ିର ଦିଗ ପରିବର୍ତ୍ତନ ହେଉଥିବା ଦେଶର ସମସ୍ତ ଷ୍ଟେସନରେ ସଂପୃକ୍ତ ସବୁ କର୍ମଚାରୀ ଓ ଡ୍ରାଇଭର୍‌ଙ୍କୁ ନିରାପତ୍ତା ସଂପର୍କିତ ତାଲିମ ପ୍ରଦାନ କରାଯିବ। ଶେଷରେ ସବୁ ଜୋନର ମହାପ୍ରବନ୍ଧକ ଏହା ଉପରେ ରିପୋର୍ଟ ପ୍ରଦାନ କରିବେ ବୋଲି ଅଧ୍ୟକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ଶନିବାର ରାତିରୁ ହିଁ ପୂର୍ବତଟ ରେଳବାଇର ମୁଖ୍ୟ ନିରାପତ୍ତା ଅଧିକାରୀ ଏସ୍‌ଏସ୍‌ ମିଶ୍ର ଏହି ଜୋନରେ ଏଭଳି ଏକ ସୁରକ୍ଷା ଅଭିଯାନ ପାଇଁ ପରାମର୍ଶ ଦେଇଥିଲେ। ଇଂଜିନ ବଦଳ ହେଉଥିବା ସମସ୍ତ ଷ୍ଟେସନ, ଜଂସନ୍‌ ତଥା ଟର୍ମିନାଲ୍‌ ଗୁଡ଼ିକରେ କର୍ମଚାରୀମାନଙ୍କୁ ତାଲିମ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ସେହି ଅନୁଯାୟୀ ପୂର୍ବତଟ ରେଳବାଇର ଭଦ୍ରକ, ପାରାଦୀପ, କଟକ, ଭୁବନେଶ୍ୱର, ପୁରୀ, ତାଳଚେର, ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର, ପଲାସା, ଖୋର୍ଧା ରୋଡ, ବଲାଙ୍ଗୀର,ଟିଟିଲାଗଡ଼, ରାୟଗଡ଼ା, ବିଶାଖାପାଟଣା ଆଦି ଷ୍ଟେସନରେ ଏଭଳି ନିରାପତ୍ତା ତାଲିମ ପ୍ରଦାନ କରାଯିବ।

କେସିଙ୍ଗା ଷ୍ଟେସନ କର୍ତ୍ତୃପକ୍ଷଙ୍କ ପଦକ୍ଷେପ

ଶନିବାର ବିନା ଇଞ୍ଜିନରେ ଟ୍ରେନ ଗଡ଼ିବା ଖବର ଟିଟିଲାଗଡ଼ ଠାରୁ ପାଇ କେସିଙ୍ଗା ରେଳ କର୍ତ୍ତୃପକ୍ଷ ସଜାଗ ହୋଇ ଯାଇଥିଲେ। ଲାଇନ କ୍ଲିଅର କରିବା ସହ ଟିଟିଲାଗଡ଼ କେସିଙ୍ଗା ମଝିରେ ପଡୁଥିବା ବିଭିନ୍ନ ରେଳ ଫାଟକକୁ ବନ୍ଦ କରିଥିଲେ। ଫଳରେ ଅନ୍ୟ କିଛି ଦୁର୍ଘଟଣା ଘଟି ନଥିବା ବେଳେ ଷ୍ଟେସନରେ କର୍ମଚାରୀ କମ୍‌ ଥିଲେ ମଧ୍ୟ ଟ୍ରେନକୁ ରୋକିବା ପାଇଁ ଭରପୂର ପ୍ରୟାସ କରାଯାଇଥିଲା ବୋଲି ଷ୍ଟେସନ ମ୍ୟାନେଜର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର