ଏହି ଦୀପାବଳୀରେ ନିଜ ଘରେ କରନ୍ତୁ ଦିଲ୍ଲୀର ପ୍ରସିଦ୍ଧ ମିଠେଇ ସାହି ଟୁକଡା

ଦୀପାବଳୀ ଅବସରରେ ଘରେ ଚାଖନ୍ତୁ ରେସ୍ତୋରାଁର ସ୍ୱାଦ। ଦିଲ୍ଲୀବାସୀଙ୍କୁ କିମିଆ କରିଥିବା ମିଠେଇ ପ୍ରସ୍ତୁତ କରନ୍ତୁ ନିଜ ହାଣ୍ଡିଶାଳରେ। ନିଜେ ଖାଆନ୍ତୁ ଏବଂ ସମସ୍ତଙ୍କୁ ଖୁଆନ୍ତୁ ପ୍ରସିଦ୍ଧ ସାହି ଟୁକଡା।

ସାହି ଟୁକଡା :
ଚିନି – ୩ କପ୍‌ (୬୦୦ ଗ୍ରାମ୍‌)
ପାଆଁରୁଟି – ୧୨ରୁ ୧୫ ଟି
ଫୁଡକଲର୍‌
ଦେଶୀ କିମ୍ବା ଡାଲଡା ଘିଅ – ୬୦୦ ଗ୍ରାମ୍‌
ଫିଟିକରି ଗୁଣ୍ଡ – ୩ ଚୁଟକି
କ୍ଷୀର – ୧ ଲିଟର
ଖୁଆଗୁଣ୍ଡ – ୨୦୦ ଗ୍ରାମ୍‌
ଆରାରୁଡ୍‌ ପାଉଡର -୧/୨ କପ୍‌
କିଛି ରଙ୍ଗବେରଙ୍ଗ ଚେରି

ପ୍ରସ୍ତୁତି ବିଧି :

ଏକ ପାତ୍ରରେ ୩ କପ୍‌ ଚିନି ପକାଇ ଏଥିରେ ୧/୨ ଲିଟର ପାଣି ପକାନ୍ତୁ ଏବଂ ଏହି ମିଶ୍ରଣକୁ ଗ୍ୟାସରେ ଫୁଟାନ୍ତୁ। ୩୦ ମିନିଟ୍‌ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଫୁଡକଲର୍‌ ମିଶାନ୍ତୁ। ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ ତିନି ଚୁଟକି ଫିଟିକରି ଗୁଣ୍ଡ ମିଶାନ୍ତୁ। ଗୋଟିଏ ଥାଳିରେ ବ୍ରେଡ୍‌ ନିଅନ୍ତୁ। ବ୍ରେଡର ଚାରିପାଖେ ଥିବା କଳା ଅଂଶକୁ କାଟି ଦିଅନ୍ତୁ। ଏବେ ଏକ କଡ଼େଇରେ ୬୦୦ ଗ୍ରାମ୍‌ ଦେଶୀ କିମ୍ବା ଡାଲଡା ଘିଅ ନେଇ ଏହାକୁ ଗରମ କରନ୍ତୁ। ଘିଅ ବାଦାମୀ ରଙ୍ଗର ହୋଇଯିବା ପରେ ଏଥିରେ କଟା ବ୍ରେଡ୍‌ ପକାଇ ଛାଣନ୍ତୁ। ବ୍ରେଡ୍‌ ହାଲକା ବାଦାମୀ ରଙ୍ଗର ହୋଇଗଲା ପରେ ଏହାକୁ ବାହାର କରି ସିରାରେ ପକାନ୍ତୁ। ଗୋଟିଏ କଥା ମନେରଖନ୍ତୁ ଘିଅରୁ ବ୍ରେଡ୍‌ କାଢ଼ିଥିବା ସମୟରେ ଯେଉଁ ଚାଲୁଣି ବ୍ୟବହାର କରୁଛନ୍ତି ଏହାକୁ ଆପଣ ସିରାରେ ମିଶାଇପାରନ୍ତି। କିନ୍ତୁ ସିରା ଲାଗିଥିବା ଚାଲୁଣିକୁ ଘିଅରେ ପୂରାନ୍ତୁ ନାହିଁ। ମିଠେଇ ଖରାପ ହୋଇଯିବ। ଏବେ ସିରା ମିଶା ବ୍ରେଡକୁ ଥାଳିରେ ବିନା ଚିପି ଆରାମରେ ଦୁଇଟି ଲେଖାଁ ରଖିଦିଅନ୍ତୁ। ଏହାପରେ ଗୋଟିଏ ଉପରେ ଗୋଟିଏ ସବୁ ସିରା ଲାଗିଥିବା ବ୍ରେଡକୁ ଥାଳିରେ ଭଲଭାବରେ ସେଟ୍‌ କରିଦିଅନ୍ତୁ। ଏହା ଉପରେ କିଛି ସିରା ମଧ୍ୟ ପକାଇଦିଅନ୍ତୁ।

ଏବେ ଗୋଟିଏ କରେଇରେ ଏକଲିଟର କ୍ଷୀର ଗରମ କରି ଫୁଟାନ୍ତୁ। କ୍ଷୀର ଫୁଟିବା ସମୟରେ ଏଥିରେ ଖୁଆଗୁଣ୍ଡ କରି ପକାନ୍ତୁ। ଖୁଆ ପକାଇବା ପୂର୍ବରୁ ଏହାକୁ ଥରେ ଚାଖିନିଅନ୍ତୁ ଯଦି ଖୁଆ ଖଙ୍କା ହେଲା ତାହେଲେ ଆପଣଙ୍କ କ୍ଷୀର ଫାଟିଯିବାର ସମ୍ଭାବନା ଅଛି। ଏକାଥରେ ନ ପକାଇ ଧିରେ ଧିରେ କ୍ଷୀରରେ ଖୁଆ ପକାନ୍ତୁ। ଏବେ ଗୋଟିଏ କପରେ ଅଧାକପ୍‌ ଆରାରୁଡ୍‌ ପାଉଡର ପକାନ୍ତୁ। ଏଥିରେ ଅଧାକପରୁ ଅଧିକ ପାଣି ଦିଅନ୍ତୁ ଏବଂ ଏହି ମିଶ୍ରଣକୁ ଭଲଭାବରେ ମିଶାନ୍ତୁ। ଏବେ କ୍ଷୀରରେ ଏହି ମିଶ୍ରଣକୁ ପକାନ୍ତୁ। ଏହି ମିଶ୍ରଣକୁ ଖୁବ୍‌ ଧ୍ୟାନର ସହ ଭଲଭାବରେ ଗୋଳାନ୍ତୁ। ଏହି ମିଶ୍ରଣ ମୋଟା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହାପରେ ଥାଳିରେ ରଖିଥିବା ସୀରାଲଗା ବ୍ରେଡରେ ଏହି କ୍ଷୀରକୁ ପକାନ୍ତୁ। ଗ୍ୟାସରୁ ବାହାର କରିବା ପରେ ମଧ୍ୟ କ୍ଷୀରକୁ ଗୋଳାନ୍ତୁ ନହେଲେ କ୍ଷୀର ପତଳା ହୋଇଯିବାର ସମ୍ଭାବନା ଅଛି। ଏବେ ଗରମ କ୍ଷୀରକୁ ସୀରାଲଗା ବ୍ରେଡରେ ଭଲଭାବରେ ପକାଇବା ପରେ ଚାରିଆଡୁ ଏହି କ୍ଷୀରକୁ ଥାଳିକୁ ବୁଲାଇ ବୁଲାଇ ପକାନ୍ତୁ ଏବଂ ଏଥିରେ ଚାମଚ ଆଦୌ ମାରନ୍ତୁ ନାହିଁ। ଏବେ ଏଥିରେ ଚେରି କିମ୍ବା ବିଭିନ୍ନ ରଙ୍ଗର ଚେରି ଦାନା ପକାନ୍ତୁ। ଏହାକୁ ଫ୍ୟାନ୍‌ ତଳେ ୨ ଘଣ୍ଟା ଶୁଖିବାକୁ ରଖିଦିଅନ୍ତୁ। ଏଥିରେ ଏବେ ଚାନ୍ଦିର ଜରି ଲଗାଇଦିଅନ୍ତୁ । ଏବେ ଏହାକୁ ଆଉଥରେ କମ୍‌ ଆଞ୍ଚରେ ଚୁଲାରେ ବସାଇଦିଅନ୍ତୁ। ଏବେ ଏଥିରେ ପତଳା ଦେଶୀ ଘିଅ ଉପରୁ ପକାନ୍ତୁ। ଦେଶୀ ଘିଅ ମିଠେଇରେ ଚମକ ଆଣିଥାଏ। ଏହାପରେ ପ୍ରସ୍ତୁତ ହୋଇଗଲା ସୁସ୍ୱାଦୁ ସାହି ଟୁକଡ଼ା।

ସମ୍ବନ୍ଧିତ ଖବର