ଏହି ଶୈବପୀଠରେ ପାଣ୍ଡବମାନେ ବସବାସ କରୁଥିଲେ

ଶ୍ରୀଓଙ୍କାରେଶ୍ୱରରେ ପାଣ୍ଡବମାନେ ମଧ୍ୟ ବସବାସ କରୁଥିବାର ପ୍ରମାଣ ରହିଛି। ଏଠାରେ ଥିବା ଓଙ୍କାର ପର୍ବତର ପୂର୍ବ ଭାଗରେ ‘ଅର୍ଜୁନ ଦ୍ୱାର’ ନାମକ ଏକ ବିଶାଳ ଦ୍ୱାର ରହିଛି। ଏହି ଦ୍ୱାରର ଉଭୟ ପାର୍ଶ୍ୱରେ ଭୀମ ଓ ଅର୍ଜୁନଙ୍କର ମୂର୍ତ୍ତି ରହିଛି। ଓଙ୍କାରେଶ୍ୱରଙ୍କ ନିକଟରେ ସମଲେଶ୍ୱର ମନ୍ଦିର ରହିଛି। ଯେଉଁମାନେ ସମଲେଶ୍ୱର ମନ୍ଦିର ଦର୍ଶନ କରିବାକୁ ଇଚ୍ଛା କରନ୍ତି,ସେମାନଙ୍କ ନୌକା ବିହାର କରି ନଦୀପାର ହେବାକୁ ପଡ଼େ। ତା’ଛଡା ନଦୀ ଉପରେ ଝୁଲାପୋଲ ମଧ୍ୟ ରହିଛି। କଥିତ ଅଛି ଯେ ଓଙ୍କାରେଶ୍ୱର ଏବଂ ସମଲେଶ୍ୱର ଉଭୟଙ୍କୁ ଦର୍ଶନ କରିଲେ ହିଁ ଜ୍ୟୋତିର୍ଲିଙ୍ଗ ଦର୍ଶନର ସୁଫଳ ମିଳିଥାଏ। ଓଙ୍କାରେଶ୍ୱରଙ୍କ ଲିଙ୍ଗ ତଳେ ପବିତ୍ର ନର୍ମଦା ନଦୀର ଏକ କ୍ଷୁଦ୍ର ଜଳସ୍ରୋତ ପ୍ରବାହମାନ ହେଉଛି। ଏହି ଜଳକୁ ପାନ କରିଲେ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ଏଠାକାର ଜନସାଧାରଣ ଙ୍କର ବିଶ୍ୱାସ ରହିଛି।


‘ଓଙ୍କାରେଶ୍ୱର’ ଧାମରେ ପବିତ୍ର ଶିବ ରାତ୍ରି ଓ ଶ୍ରାବଣ ମାସ ସୋମବାରରେ ପ୍ରବଳ ଜନସମାଗମ ହୋଇଥାଏ। ଏଠାକୁ ବର୍ଷର ଯେକୌଣସି ସମୟରେ ଯାଇ ହେବ। ମଧ୍ୟପ୍ରଦେଶର ଖଣ୍ଡଓ୍ଵାରେ ପହଞ୍ଚି ଏଠାକୁ ଯିବା ପାଇଁ ବସ୍‌,କାର୍‌, ସେବା ରହିଛି। ସେଠାରେ ରହିବା ପାଇଁ ମଧ୍ୟ ଯାତ୍ରୀଙ୍କ ପାଇଁ ସୁବନ୍ଦୋବସ୍ତ କରିଛନ୍ତି ମଧ୍ୟପ୍ରଦେଶ ସରକାର। ଶିବଙ୍କ ପୀଠ ‘ଓଙ୍କାରେଶ୍ୱର’ ପର୍ଯ୍ୟଟନରେ ଗଲେ,ଭକ୍ତିଭାବ ସ୍ୱତଃ ଜାଗ୍ରତ ହେବ,ଏଥିରେ ଦ୍ୱିମତ ନାହିଁ।

ସମ୍ବନ୍ଧିତ ଖବର