ଏଣିକି ବିନା ଆଇଏସଆଇ ମାର୍କା ବାଲା ହେଲମେଟ୍‌ ବ୍ୟବହାର କିମ୍ବା ନିମ୍ନମାନର ହେଲମେଟ୍‌ ବିକ୍ରି କଲେ ଜରିମାନା ସହ ଭୋଗିବାକୁ ପଡ଼ିବ ୨ ବର୍ଷ ଜେଲଦଣ୍ଡ!

ଦିନକୁ ଦିନ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରୁ ବିନା ହେଲମେଟ୍‌ରେ ଗାଡି ଚଳାଉଥିବା ଲୋକଙ୍କର ସବୁଠାରୁ ଅଧିକ ମାତ୍ରାରେ ମୃତ୍ୟୁ ଘଟୁଥିବା ଜଣାପଡିଛି। ତେଣୁ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ନିମନ୍ତେ ଏଣିକି ସାରା ଦେଶରେ ଆଇଏସଆଇ ମାର୍କ ବାଲା ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ବର୍ଷ ଜାନୁୟାରୀ ମାସରୁ ଏହାକୁ ସାରା ଦେଶରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାଛଡ଼ା ନିମ୍ନମାନର ହେଲମେଟ୍‌ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୁଇ ଚକିଆ ଗାଡି ତଥା ବାଇକ୍‌ ଚାଳକଙ୍କୁ ବିନା ଆଇଏସଆଇ ମାର୍କ ବାଲା ହେଲମେଟ ବିକ୍ରି କରୁଥିବା ଦୋକାନୀମାନଙ୍କ ବିରୋଧରେ ଖୁବ ଶୀଘ୍ର ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଣିକି ଏଭଳି ହେଲମେଟ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଜେଲର ହାୱା ଖାଇବାକୁ ପଡିବ। ଏହାଛଡା ଏଭଳି ହେଲମେଟ ପ୍ରସ୍ତୁତ କରିବା ଏବଂ ବିକ୍ରି କରିବା ମଧ୍ୟ ଆଇନଗତ ଦଣ୍ଡନୀୟ ଅପରାଧ ବୋଲି ଗଣାଯିବ।

ପ୍ରଥମ ଥର ଲାଗିବ ୨ ଲକ୍ଷ ଟଙ୍କାର ଜରିମାନା : ତେବେ ଯଦି କୌଣସି ବ୍ୟକ୍ତି ତଥା ଦୋକାନୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ୨ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ବର୍ଷ କାଳ ଜେଲ ଦଣ୍ଡାଦେଶ ହେବ। ସେହିପରି ଦ୍ୱିତୀୟ ଥର ପାଇଁ ଧରା ପଡିଲେ ଜରିମାନାର ରକମ ଏବଂ ଜେଲଦଣ୍ଡାଦେଶକୁ ମଧ୍ୟ ବଢାଇ ଦିଆଯିବ। ତେବେ ଏହି କଟକଣା ଆସନ୍ତା ବର୍ଷରୁ ସାରା ଦେଶରେ କାର୍ଯ୍ୟକାରୀ କରିଦିଆଯିବ।

ସାଧାରଣ ଜନତାଙ୍କ ମତାମତ : ସଡକ ପରିବହନ ମନ୍ତ୍ରାଳୟ ଏସଂପର୍କରେ ନିର୍ଦ୍ଦେଶାବଳୀ ଜାରି କରିବା ସହିତ ସାଧାରଣ ଜନତାଙ୍କ ମତାମତ ଲୋଡିଛନ୍ତି। ଆସନ୍ତା ବର୍ଷ ୧୫ ଜାନୁଆରୀରୁ ଏହି ନିୟମ ସାରା ଦେଶରେ ଲାଗୁ କରିଦିଆଯିବ। ଯାହାଦ୍ୱାରା କେବଳ ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ହିଁ ବିକ୍ରି କରାଯାଇପାରିବ।

photo by : deccanchronicle.com

କାହିଁକି ନିଆଗଲା ନିଷ୍ପତ୍ତି : ସରକାରଙ୍କ ତରଫରୁ ଏଭଳି ନିଷ୍ପତି ଏଥିପାଇଁ ନିଆଯାଇଛି, କାରଣ ସାରା ଦେଶରେ ଘଟୁଥିବା ସଡକ ଦୁର୍ଘଟଣାରୁ ବିନା ହେଲମେଟ ପିନ୍ଧିଥିବା ଲୋକଙ୍କର ହିଁ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, କେବଳ ୨୦୧୭ରେ ୧୫ ହଜାର ଲୋକଙ୍କର ମୃତ୍ୟୁ ବିନା ହେଲମେଟ ପିନ୍ଧି ଗାଡି ଚଲାଉଥିବା କାରଣରୁ ହିଁ ଘଟିଛି। ତେଣୁ ଏହାକୁ ରୋକିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ଭଲ କ୍ୱାଲିଟିର ହେଲମେଟ କିଣିବାକୁ ପ୍ରୋତ୍ସାହିତ କରାଯିବ। ସେହିପରି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି କି, ନିମ୍ନମାନର ହେଲମେଟ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିପାରେ, ଏପରିକି ଏହା ବଢି ୧୦ ଗୁଣା ଅଧିକ ବି ହୋଇପାରେ।

ସମ୍ବନ୍ଧିତ ଖବର