ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ଖବର ପରେ ସମ୍ବଲପୁରର କୁଟୀର ଶିଳ୍ପ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ!

ଦେଶରେ ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାରେ ବ୍ୟାନ ହେବାକୁ ଯାଉଛି ପ୍ଲାଷ୍ଟିକ। ଏଭଳି ସମୟରେ ବ୍ୟବସାୟର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା। ସମ୍ବଲପୁରର ଷ୍ଟେସନପଡା ଅଞ୍ଚଳରେ ରହୁଥିବା ୧୫ରୁ ଅଧିକ ପରିବାରର ମହିଳା ଏହି ପେପର୍‌ ଦ୍ୱାରା ନିର୍ମିତ ଠୁଙ୍ଗା ବ୍ୟବସାୟ କରି ଆତ୍ମର୍ନିଭରଶୀଳ ହୋଇପାରିଛନ୍ତି। ଆଉ ସମ୍ବଲପୁରର କୁଟୀର ଶିଳ୍ପ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ।

ଆମ ପାଇଁ ଅଦରକାରୀ ପେପର, ଆଉ କାହାର ପେଟ ପୁଷୁଛି। ସମ୍ବଲପୁର ଷ୍ଟେସନପଡା ଅଞ୍ଚଳରେ ୧୫ରୁ ଅଧିକ ପରିବାର କାଗଜ ଠୁଙ୍ଗା ତିଆରି କରି ଆତ୍ମର୍ନିଭର ଶୀଳ ହୋଇପାରିଛନ୍ତି। ମହିଳାମାନେ ବିଭିନ୍ନ ସ୍ଥାନରୁ ପେପର ସଂଗ୍ରହ କରି କାଗଜ ଠୁଙ୍ଗା ତିଆରି କରିଥାନ୍ତି। ଘର କାମ ସାରିବା ପରେ ଏହି ମହିଳାମାନେ କାଗଜ କାଟିବା ଠାରୁ ଆରମ୍ଭ କରି ଅଠା ଲଗାଇ ଠୁଙ୍ଗା କରିବା କାମରେ ଲାଗି ପଡନ୍ତି।

କାଗଜ ଠୁଙ୍ଗା ବ୍ୟବସାୟକୁ ପରୋକ୍ଷରେ ଲାଭ ଦେଉଛି ସରକାରଙ୍କ ପଲିଥିନ୍‌ ବ୍ୟାନ୍‌ ନିଷ୍ପତି। ଦିନକୁ ଜଣେ ମହିଳା ୨୦୦ ରୁ ୩୦୦ କାଗଜ ଠୁଙ୍ଗା ତିଆରି କରୁଥିବା ବେଳେ କେଜି ପ୍ରତି ୪୦ ଟଙ୍କାରେ ବିଭିନ୍ନ ଦୋକାନୀଙ୍କୁ ବିକ୍ରି କରୁଛନ୍ତି । ପେପର କିଲୋକୁ ୮ରୁ ୧୮ ଟଙ୍କାରେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥାନ୍ତି ଷ୍ଟେସନପଡାର ମହିଳା ଆଉ ଦିନକୁ ୧୦୦ରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ଘର ପ୍ରତିପୋଷଣରେ ଏକ ମୂଖ୍ୟ ଭୂମିକା ନେଇ ପାରିଛନ୍ତି। ଆଗାମୀ ଦିନରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଠୁଙ୍ଗାର ଚାହିଦା ବଢିବା ସହ ଏମାନଙ୍କ ରୋଜଗାର ବଢିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର