ସପ୍ତ ରଥକାର : ତ୍ରିରଥ ନିର୍ମାଣର କାରିଗର

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀର ଏହି ରଥଯାତ୍ରା ପାଇଁ ତିନିଟି ନୂଆ ରଥ ନିର୍ମିତ ହୋଇଥାଏ। ତେବେ ରଥର ସବୁ ଅଙ୍ଗ ପ୍ରତିବର୍ଷ ନିର୍ମିତ ହୁଏନାହିଁ। ସାରଥି, ସଖୀ, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ ଓ ରଥର ବ୍ରେକ୍‌ ଆଦି ନବକଳେବର ବର୍ଷରେ ନୂଆକରି ନିର୍ମିତ ହୋଇ ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ରହିଥାନ୍ତି। କିନ୍ତୁ ରଥର ଅନ୍ୟ ପ୍ରମୁଖ ଅଙ୍ଗ ପ୍ରତିବର୍ଷ ନୂଆକରି ନିର୍ମିତ ହୋଇଥାଏ।
ଏହି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଶ୍ରୀପଞ୍ଚମୀ ତିଥିରେ ପ୍ରଥମ ରଥକାଠର ପୂଜା ଓ ସଂସ୍କାର ହେବା ସହିତ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥାଏ। ନିର୍ଦ୍ଦିଷ୍ଟ ଭାଗ-ମାପ ଓ ବିଧିରେ ଏବଂ ନିର୍ଦ୍ଧାରିତ ଅବଧି ମଧ୍ୟରେ ଏହି ରଥ ନିର୍ମାଣ ସଂପନ୍ନ ହୋଇଥାଏ।
ଶ୍ରୀମନ୍ଦିରର ‘ଛତିଶା ନିଯୋଗ’ ପରି ଏହି ରଥ ନିର୍ମାଣ ପାଇଁ ମଧ୍ୟ ‘ରଥ-ଛତିଶା ନିଯୋଗ’ ରହିଛି ବୋଲି କୁହାଯାଇଥାଏ। କିନ୍ତୁ ରଥ ନିର୍ମାଣରେ ନିଯୁକ୍ତ ସେବକଙ୍କ କିସମ ଓ କାମର ପ୍ରକାର ଏହାଠାରୁ ଅନେକ ବେଶି। ସେ ଦୃଷ୍ଟିରୁ କେତେକ ୪୧ କିସମର ରଥସେବାର ସୂଚୀ ପ୍ରସ୍ତୁତ କରିଥିବାବେଳେ, ଆଉ କେତେକ ୬୪ କିସମର ରଥସେବାର ସୂଚୀ ପ୍ରସ୍ତୁତ କରିଛନ୍ତି। କିନ୍ତୁ ସଂପ୍ରତି ରଥ ନିର୍ମାଣ ସହ ସଂପୃକ୍ତ ସେବକଙ୍କୁ ମୁଖ୍ୟ ସାତଭାଗରେ ବିଭକ୍ତ କରାଯାଉଛି। ସେମାନଙ୍କୁ କୁହାଯାଉଛି ‘ସପ୍ତ ରଥକାର’। ସେମାନେ ହେଲେ- ୧. ବଢ଼େଇ ମହାରଣା, ୨. ଓଝା ମହାରଣା, ୩. ରଥ ଭୋଇ, ୪. ତାମରା ବିଶୋଇ, ୫. ଦରଜି, ୬. ରୂପକାର ଓ ୭. ଚିତ୍ରକାର। ସେହି ସପ୍ତରଥକାରଙ୍କ ସେବାର ସୂଚନା ଏବଂ ସେହି ସେବା ସହ ସଂପୃକ୍ତ ମୁଖ୍ୟ ସେବକଙ୍କ ଅନୁଭୂତି ଆଧାରରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଉପସ୍ଥାପନା ‘ରଥ ପଥ ଜଗନ୍ନାଥ’।
                                                                        ପ୍ରସ୍ତୁତି: ଗଦାଧର ପଣ୍ଡା ଓ ସୁମନ୍ତ ପରିଡ଼ା, ପୁରୀ, (ଫଟୋ: ଜୟଦେବ ପାତ୍ର)

ବଢ଼େଇ ମହାରଣା (ବିଶ୍ୱକର୍ମା)

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ- ୧୦୫ରେ ବଢ଼େଇ ମହାରଣାଙ୍କ ସେବା ସଂପର୍କରେ ଉଲ୍ଲେଖ ରହିଛି। ବିଶ୍ୱକର୍ମାମାନେ ରଥ ନିର୍ମାଣ କରିଥାନ୍ତି। ତିନି ରଥ ପାଇଁ ତିନି ଜଣ ବିଶ୍ୱକର୍ମାଙ୍କୁ ଦାୟିତ୍ଵ ଦିଆଯାଇଥାଏ। ତେବେ ଏହି ବଢ଼େଇ ମହାରଣା ସେବକଙ୍କ ମଧ୍ୟରେ ସୂତାର, ତଳି ମହାରଣା, ମହାରଣା, ରଥ ଅମିନ ସଂପୃକ୍ତ ରହିଥାନ୍ତି। ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡ଼ା ଯାତ୍ରା ଶେଷ ଯାଏ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାମରେ ନିୟୋଜିତ ରହିଥାନ୍ତି। ୩୪ ଗୋଟି ଅଙ୍ଗ ବିଶିଷ୍ଟ ତିନିଟି ରଥ ନିର୍ମିତ ହୋଇଥାଏ। ପ୍ରତି ରଥରେ ଜଣେ ଲେଖାଏ ମୁଖ୍ୟ ମହାରଣା(ବିଶ୍ୱକର୍ମା)ଙ୍କ ତତ୍ତ୍ଵାବଧାନରେ ଏହା ସଂପନ୍ନ ହୋଇଥାଏ। ସେହି ଭଳି ଜଣେ ଲେଖାଏଁ ସୂତାର ମହାରଣା, ତଳି ମହାରଣା କର୍ମରେ ନିୟୋଜିତ ହୋଇଥାନ୍ତି। ରଥ କାଠର ମାପଚୁପ ପାଇଁ ରଥ ଅମିନ ରହିଥାନ୍ତି।

ଓଝା ମହାରଣା

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ- ୧୦୧ରେ ଓଝା ମହାରଣା ସେବା ବିଷୟରେ ଉଲ୍ଲେଖ ରହିଛି। ତିନି ରଥର ବାଡଗ୍ରାହୀ ଭାବେ ତିନି ମହାରଣା କାମ କରନ୍ତି। ରଥ ନିର୍ମାଣରେ ପ୍ରୟୋଜନ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା, ପନ୍ଦାରି ଆଦି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବଦିନ ରଥଖଳାରୁ ସିଂହଦ୍ଵାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକମାନେ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟ ଠାରୁ ପରମ୍ପରା ମୁତାବକ ଓଝା ମହାରଣା ସେବକମାନେ ଶାଢି ବନ୍ଧାଇ, ପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦିଠାରେ ଶାଳର ଅନୁକୂଳ କରନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକୂଳ ନିମନ୍ତେ ଏହି ସେବକ ତିନିଟି ଟାଙ୍ଗିଆ ଯୋଗାଇଥାନ୍ତି। ଏହାର ତିନି ଦିନ ପରେ କାମ ଆରମ୍ଭ ହୋଇ, ଭଉଁରି ଦିନ ପନ୍ଦାରି, ଜୋକିଆ, ହୁକର ଅନୁକୂଳ କରାଯାଇଥାଏ। ଏ ସମସ୍ତ କାର୍ଯ୍ୟ ଦୋଳବେଦି କୁଞ୍ଜରେ ହୋଇଥାଏ। ପ୍ରତିଦିନ ୧୮ଜଣ ଓଝା ମହାରଣା କାମ କରିଥାନ୍ତି ଏବଂ ତାଙ୍କୁ ଏହି କାର୍ଯ୍ୟରେ ଅନ୍ୟାନ୍ୟ ଶ୍ରମିକ ନିୟୋଜିତ ହୋଇ ସହାୟତା କରନ୍ତି। ନିଜ ନିଜ ରଥର ବାଡଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ଵାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟି, ପନ୍ଦାରି ୨ଟି ଏବଂ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଇ ଦିଆଯାଇଥାଏ। ଅଖ ଦଣ୍ଡାରେ କଣ୍ଟା ଲଗାଇବା ପାଇଁ ନନ୍ଦିଘୋଷ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ଗଣ୍ଡା ୨ଟା ଓ ଦେବଦଳନ ରଥ ପାଇଁ ୭ଗଣ୍ଡା ୨ଟା ବାଡ଼ିଆ କଣ୍ଟା ଶାଳରେ ପ୍ରସ୍ତୁତ କରିଥାନ୍ତି। ଏତତ୍‌ବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ( ଦୁଇପଟ ମୁନିଆ ଥିବା ଲୁହାକଣ୍ଟା) ବାଡ଼େଇଥାନ୍ତି। ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗ କଣ୍ଟା, ଚାର ପରିଛା କଣ୍ଟା, ଦୁଆର ବେଢା କଣ୍ଟା, ବେଢ଼ା କଣ୍ଟା, ଜଙ୍ଘା, ନାରାଜ କଣ୍ଟା, ଗୋଡିଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥାଏ। ରଥ ଟଣା ସମୟରେ ମଧ୍ୟ ଆବଶ୍ୟକ ଲୁହାକଣ୍ଟା ଓ କ୍ଲାମ୍ପ୍‌ ଏହି ସେବକ ଯୋଗାଇଥାନ୍ତି। ଅଣସର ସମୟରେ ଅଣସର ଗୃହକୁ ଯିବା ପାଇଁ ଶହସ୍ର(ଲୁହାରେ ନିର୍ମିତ ଅସ୍ତ୍ର) ନିର୍ମିତ କରି ପତନି ଶାଢିରେ ବାନ୍ଧି ଏହି ସେବକ ଦଇତାପତିଙ୍କ ଜିମାରେ ଦେଇଥାନ୍ତି।

ରଥଭୋଇ

ସ୍ୱତ୍ଵଲିପିର କ୍ରମ- ୯୭ରେ ରଥ ଭୋଇ ସେବା ସଂପର୍କରେ ଉଲ୍ଲେଖ ରହିଛି। ରଥକାମରେ ଯେତେ ମୂଲିଆ ଦରକାର ହୁଏ, ଭୋଇ ସର୍ଦାର ଏହାର ତଦାରଖ କରିଥାନ୍ତି। ରଥଖଳାରେ ଛାମୁଣ୍ଡିଆ ତିଆରି, ରଥକାଠ ବୁହା, ରଥ ନିିର୍ମାଣ ଆଦି କାମ କରିବା ସହିତ ରଥଟଣାରେ ମଧ୍ୟ ସେମାନେ ଅଂଶ ଗ୍ରହଣ କରିଥାନ୍ତି।

ତାମରା ବିଶୋଇ

ସ୍ୱତ୍ଵଲିପିର କ୍ରମ- ୯୦ରେ ଏହି ସେବା ସଂପର୍କରେ ଉଲ୍ଲେଖ ରହିଛି। ଉକ୍ତ ସେବକ ରଥଯାତ୍ରା ଓ ବାହୁଡା ନୀତି ଅନୁସାରେ ତାମ୍ର ପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାଲାଗି ପାଇଁ ଯୋଗାଇ ଥାଆନ୍ତି।

ଦରଜି ସେବା

ସ୍ୱତ୍ଵଲିପିର କ୍ରମ- ୯୫ରେ ଦରଜି ସେବକଙ୍କ ସେବା ସଂପର୍କରେ ଉଲ୍ଲେଖ ରହିଛି। ତିନି ରଥ ପାଇଁ ଜଣେ ଦରଜି ସର୍ଦାର ରହିଥାନ୍ତି। ଏହି ଦରଜି ସର୍ଦାର ଅନ୍ୟ ଦରଜିଙ୍କୁ ଲଗାଇ କାମ କରିଥାନ୍ତି। ଏବେ ଦରଜି ସର୍ଦାର ଭାବେ ପ୍ରକାଶ ମହାପାତ୍ର ରହିଛନ୍ତି। ସ୍ନାନ ପୂଣ୍ଣିମା ପରଠାରୁ ଦରଜି ସେବକମାନେ ରଥ ପାଇଁ ଆବଶ୍ୟକ କପଡ଼ା ସିଲେଇ କାମ କରିଥାନ୍ତି। ଦରଜି ସେବକଙ୍କ କହିବା କହିବା ଅନୁସାରେ, ସେମାନେ ଅତି ନିଷ୍ଠାର ସହିତ ଏହି କାମ କରିଥାନ୍ତି। ରଥ ପାଇଁ ଆବଶ୍ୟକ ବତା, ବିଳାସପଟୀ, ଦୁଆର ବେଢା, ଚନ୍ଦ୍ରଶାଳି, ଅଁଳାଶ୍ରୀ, ମେଣ୍ଢାମୁଣ୍ଡିଆ, ପୋଲବତା, ପୋଲ ଚାଦର, ଗୋଲମୁଦ୍ରା, ପୁଲିସ ପତାକା, ଭୋଇ ପତାକା, ଧ୍ୱଜା, ସାରଥି ପୋଷାକ ଓ ୬୪ଟି ଛୋଟ ପତାକା, ରଥଘେର, ସିଂହାସନ, ଚାନ୍ଦୁଆ, ସେନାପଟା ଓ ବାହୁଟ ଲାଗି ଲୁଗା, ଚକାଅପସର ବସିବା ପାଇଁ ଲୁଗା, କଳା ଛତି, ଧଳା ଛତି, କନକମୁଣ୍ଡି ଓ ଚାନ୍ଦୁଆ ଉଡା ଏହି ଭଳି ଅନେକ ସାମଗ୍ରୀ ଯୋଗାଇଥାନ୍ତି।

ରୂପକାର

ସ୍ୱତ୍ଵଲିପିର କ୍ରମ- ୮୮ରେ ଏହି ସେବକଙ୍କ ସେବାର ଉଲ୍ଲେଖ ଅଛି। ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ଆବଶ୍ୟକ, ତାହା ଏହି ସେବକମାନେ କରିଥାନ୍ତି। ନବକଳେବର ସମୟରେ ଏମାନେ ସାରଥୀ, ସଖୀ, ଓଲଟ ଶୁଆ, କଳସ, ପାର୍ଶ୍ୱ ଦେବଦେବୀ, ଘୋଡା, ତିନି ରଥଙ୍କ ଆୟୁଧ,ଅଁଳା, ଧ୍ୱଜାମୂର୍ତ୍ତିି ନିର୍ମାଣ କରନ୍ତି। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାମ ଏହି ସେବକମାନେ କରିଥାନ୍ତି। ତିନି ରଥର ତିନି ରୂପକାର ଭାବେ ରହିଛନ୍ତି। ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ରୂପକାର ଭାବେ ଲିଙ୍ଗରାଜ ମହାପାତ୍ର ରହିଛନ୍ତି। ସେହିପରି ବଳଭଦ୍ରଙ୍କ ରଥର ଗଶେଶ୍ୱର ମହାପାତ୍ର ଓ ସୁଭଦ୍ରାଙ୍କ ରଥର ମନମୋହନ ମହାପାତ୍ର ମୁଖ୍ୟ ରୂପକାର(ବାଡଗ୍ରାହୀ) ରହିଛନ୍ତି। ତିନି ରଥର ସମସ୍ତ ରୂପ କାର୍ଯ୍ୟ ଏମାନଙ୍କ ତତ୍ତ୍ଵାବଧାନରେ ହୋଇଥାଏ। ରୂପକାର ସେବକମାନେ ରଥ ସମୟରେ ପଟାଗୁଜ, କୋଣଗୁଜ, ନାଟଗୋଡ, ପ୍ରଭା ଓ ସିଂହାସନର ନିର୍ମାଣ ସହ, ଚାରପଡିଶା ଓ ଘୋଡାବନ୍ଧାକରିଥାନ୍ତି।

ଚିତ୍ରକାର

ସ୍ୱତ୍ଵଲିପି କ୍ରମ- ୮୭ରେ ଏହି ସେବକଙ୍କର ଉଲ୍ଲେଖ ଅଛି। ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟଶୁଆ, କଳସ ଓ ରଥରେ ଏମାନେ ଚିତ୍ର କାମ କରିଥାନ୍ତି। ତିନି ରଥ ପାଇଁ ତିନି ଜଣ ମୁଖ୍ୟ ଚିତ୍ରକାର ଥିବା ବେଳେ ଏବେ ଦୁଇ ଜଣ ଚିତ୍ରକାର ତିନି ରଥର କାମ କରୁଛନ୍ତି। ନନ୍ଦିଘୋଷ ରଥ ପାଇଁ ନାରାୟଣ ମହାରଣା ରହିଛନ୍ତି। ମାତ୍ର, ପୁଅ ଦେବ ମହାରଣା ପ୍ରତ୍ୟକ୍ଷ ଭାବେ ସମସ୍ତ କାର୍ଯ୍ୟ କରୁଛନ୍ତି। ସେହି ଭଳି ବଡ ଠାକୁରଙ୍କ ତାଳଧ୍ୱଜ ଓ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ଚିତ୍ରକାର ଭାବେ ରବି ଶଙ୍କର ମହାରଣା ଦାୟିତ୍ଵ ନିର୍ବାହ କରୁଛନ୍ତି। ଏମାନେ ବାଳୁତ ବୟସରୁ ଏହି କାମ ଶିକ୍ଷା କରିଥାନ୍ତି। ବାପାଙ୍କ ପରେ ପୁଅ ଶାଢି ବାନ୍ଧିବା ପରେ ଏହି ସେବା କରିଥାନ୍ତି। ଏଣୁ ସେବା ବଂଶାନୁକ୍ରମିକ। ପଟିଦିଅଁଙ୍କ ଚିତ୍ର ମଧ୍ୟ ଏହି ସେବକମାନେ କରିଥାନ୍ତି। ଘୋଡା, ସିଂହାସନ, ପ୍ରଭା ଚିତ୍ର କାମ ମଧ୍ୟ ଏମାନେ ସଂପାଦନ କରନ୍ତି।

ସମ୍ବନ୍ଧିତ ଖବର