ଏହି ସହରର ନାମ ଜଣେ ଦେବତାଙ୍କ ନାଆଁରେ , ଯାହାର ଶାଢ଼ି ଖୁବ୍‌ ପ୍ରସିଦ୍ଧ

ମହାଦେବଙ୍କ ଅନ୍ୟତମ ନାମ ହେଲା ମହେଶ୍ୱର । ହେଲେ ଆପଣ କ’ଣ ଜାଣନ୍ତି ଯେ ମଧ୍ୟପ୍ରଦେଶରେ ଏହି ନାମରେ ଏକ ସହର ଅଛି । ଏହା ସେହି ରାଜ୍ୟର ଏକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳ । ଆସନ୍ତୁ ଅଧିକ ଜାଣିବା ଏହି ପର୍ଯ୍ୟଟନ ସ୍ଥଳ ସଂପର୍କରେ…
ନର୍ମଦା ନଦୀର ପାଦ ଦେଶରେ ଏକ ଛୋଟ ସହର, ନାଆଁ ଯାହାର ମହେଶ୍ୱର । ଏହି ସହରଟି ମଧ୍ୟପ୍ରଦେଶରେ ଅବସ୍ଥିତ । ଏହା ଇନ୍ଦୋରଠାରୁ ମାତ୍ର ଶହେ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ପହଞ୍ଚିବାକୁ ହେଲେ ଇନ୍ଦୋରରୁ ହିଁ ଟ୍ୟାକ୍ସି କିମ୍ବା ବସ୍‌ ଯୋଗେ ଯିବାକୁ ହେବ । ତା’ବ୍ୟତୀତ ଏଠାକୁ ଟ୍ରେନ୍‌ରେ ମଧ୍ୟ ପହଞ୍ଚି ହେବ ।

‘ମହେଶ୍ୱର’ର ନାମକରଣ ଭଗବାନ ଶିବଙ୍କ ନାମ ଅନୁଯାୟୀ ହୋଇଛି । ଏଠାରେ ଥିବା ଶିବ ମନ୍ଦିର ବେଶ୍‌ ବିଖ୍ୟାତ ଏବଂ ଏଠାକାର ମହେଶ୍ୱର ଶାଢି ମଧ୍ୟ ଖୁବ୍‌ ପ୍ରସିଦ୍ଧ । ଲୋକକଥା ଅନୁଯାୟୀ ନର୍ମଦା ନଦୀ ଖୁବ୍‌ ଅଶାନ୍ତ ରହୁଥିବା ଯୋଗୁଁ ଏହାର ନିକଟବର୍ତ୍ତୀ ଏହି ଅଞ୍ଚଳର ଲୋକେ ଶାନ୍ତ କରିବା ପାଇଁ ଭଗବାନ ଶିବଙ୍କର ଉପାସନା କରନ୍ତି । ଅବଶେଷରେ ଏହି ସ୍ଥାନର ନାମକରଣ ମଧ୍ୟ ଶିବଙ୍କ ନାମରେ ‘ମହେଶ୍ୱର’ ରଖାଗଲା । ରାଣୀ ଅହଲ୍ୟା ବାଈ ଏହି ସହରର ପୁନରୁଦ୍ଧାର କରିଥିଲେ । ୧୭୬୭ ରୁ ୧୭୯୫ ମଧ୍ୟରେ ମହେଶ୍ୱରର ରୂପରେଖ ବଦଳିଯାଇଥିଲା ।


‘ ମହେଶ୍ୱର’ର ଦୁର୍ଗ ଦେଖିବା ଭଳି । ଏହି ଦୁର୍ଗଟି ମୋଗଲ ସମ୍ରାଟ୍‌ ଆକବରଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ଅହଲ୍ୟାବାଇ ଏହି ଦୁର୍ଗର ସୌନ୍ଦର୍ଯ୍ୟକରଣ କରାଇଥିଲେ । ଏହି ଦୁର୍ଗ ନିକଟରେ ବେଶ୍‌ କେତୋଟି ଦର୍ଶନୀୟ ଶିବ ମନ୍ଦିର ରହିଛି । ଯଦି ଆପଣ ଶାଢିର ସଉକିନ୍‌, ତେବେ ସେଠାକାର ଶାଢି କିଣିପାରନ୍ତି । କାରଣ ଏଠାକାର ଶାଢି ଖୁବ୍‌ ପ୍ରସିଦ୍ଧ । ସନ୍ଧ୍ୟା ସମୟରେ ନର୍ମଦା ନଦୀ ଘାଟରେ ଆରତୀର ଦୃଶ୍ୟ ଅତ୍ୟନ୍ତ ମନଲୋଭା ।

ରାଣୀ ଅହଲ୍ୟାବାଈଙ୍କ ଜନ୍ମଦିନରେ ଏଠାରେ ମହେଶ୍ୱର ଉତ୍ସବର ଆୟୋଜିତ ହୋଇଥାଏ । ଏତଦ୍‌ବ୍ୟତୀତ ମହାଶିବରାତ୍ରିରେ ଏଠାକୁ ଦେଶରୁ ବହୁ ଶିବ ଭକ୍ତଙ୍କର ଆଗମନ ହୋଇଥାଏ ।

ସମ୍ବନ୍ଧିତ ଖବର