ରାଜଧାନୀ ପ୍ରତିଷ୍ଠା ସମୟରେ ମା’ ସତ୍ୟକାଳୀଙ୍କ ମନ୍ଦିର ଓ ରାଜଧାନୀବାସୀଙ୍କ ପାଇଁ ଶ୍ମଶାନ ଥିଲା ସତ୍ୟନଗର। ମା’ ସତ୍ୟକାଳୀଙ୍କ ନାଁ ଅନୁସାରେ ସେହି ଅଞ୍ଚଳର ନାମକରଣ ହୋଇଥିଲା। ଧୀରେ ଧୀରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ରହିବା ପାଇଁ ସତ୍ୟନଗରକୁ ବାଛିଥିଲେ। ସଂଗୀତକାର ପ୍ରଫୁଲ୍ଲ କରଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର, ଆଇପିଏସ୍ ସୌମେନ୍ଦ୍ର ପାଣିଗ୍ରାହୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ପଟେଲ ଓ ବ୍ୟବସାୟୀ ସଂଜୟ ହଂସଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘର ରହିଛି ସତ୍ୟନଗରରେ। ଏହାସହ ଏଠାରେ ଥିବା ତୋଷାଳୀ ପ୍ଲାଜା ମିନି ସଚିବାଳୟ ହୋଇଗଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ଏତିକିରେ ଅଟକି ଯାଇନାହିଁ ସତ୍ୟନଗରର ପରିଚୟ। ବିଗତ କିଛିବର୍ଷ ମଧ୍ୟରେ ନୂଆ ରୂପରେ ନିଜକୁ ପ୍ରତିଷ୍ଠା କରିପାରିଛି ଏହି ଅଞ୍ଚଳ। ସତ୍ୟନଗର ଏବେ ପାଲଟି ଯାଇଛି କୋଚିଂନଗର। ଏଠାରେ ରାଜଧାନୀର ଜଣାଶୁଣା ଓ ଆଗଧାଡ଼ିର କୋଚିଂ ସେଣ୍ଟର ଖୋଲିଛି। ଯେକୌଣସି ଗଳିକୁ ଚାଲିଗଲେ ତିନିରୁ ଚାରୋଟି କୋଚିଂ ସେଣ୍ଟର ଦେଖିବାକୁ ମିଳିବ। ମେଡିକାଲ, ଇଞ୍ଜିନିୟରିଂ, ଆଇଆଇଟି, ଏମ୍ସ ଭଳି ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସତ୍ୟନଗର ଏକ ପରିଚିତ ସ୍ଥାନ। ପାଢ଼ୀ ଟ୍ୟୁଟୋରିଆଲ, ଆଇ ବୁକ୍ସ, ଏକଲବ୍ୟ, ଟର୍କ କ୍ଲାସେସ୍, ଅଜିତ୍ସ ବାଇଓଲୋଜି, ଏବି ମେଡିକାଲ ଏକାଡେମି, ସୁବାସ କ୍ଲାସେସ୍, ମାଟ୍ରିକ୍ସ, ଅରୋମା ଇନ୍ଷ୍ଟିଚ୍ୟୁଟ୍, ବିନାୟକ ଇନ୍ଷ୍ଟିଚ୍ୟୁଟ୍ସ, ସାମଲ୍ସ ଫିଜିକ୍ସରୁ ଆରମ୍ଭ ୪୦ରୁ ଅଧିକ କୋଚିଂ ସେଣ୍ଟର ଖୋଲିଛି ସତ୍ୟନଗରରେ। ଆରମ୍ଭରୁ ପାଢ଼ୀ ଟ୍ୟୁଟୋରିଆଲ ଖୋଲିଥିବା ବେଳେ ପରବର୍ତୀ ସମୟରେ ଗୋଟିଏ ପରେ ଗୋଟିଏ କୋଚିଂ ସେଣ୍ଟର ଖୋଲିଥିଲା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।
କେବଳ ଯେ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛି ତା ନୁହେଁ, ଏହା ଯୋଗୁଁ ସତ୍ୟନଗର ଅଞ୍ଚଳ ଏବେ ବହୁ ଲୋକଙ୍କ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଘର ଭଡ଼ା, ହଷ୍ଟେଲ ଓ ହଷ୍ଟେଲକୁ ଖାଇବା ଯୋଗାଉଥିବା କ୍ୟାଟେରିଂ ସଂସ୍ଥାକୁ ରୋଜଗାର ମିଳିପାରୁଛି। ସବୁ ସୁବିଧାରୁ ମିଳୁଥିବାରୁ ସତ୍ୟନଗରରେ ଛତୁ ଫୁଟିଲା ଭଳି ହଷ୍ଟେଲ ଖୋଲିଛି। ଉଭୟ ପୁରୁଷ ଓ ମହିଳା ହଷ୍ଟେଲକୁ ମିଶାଇଲେ ଏହି ସଂଖ୍ୟା ୧୦୦ରୁ ଅଧିକ ହୋଇଯିବ। ହଷ୍ଟେଲ ଯୋଗୁଁ ସ୍ଥାନୀୟ ବାସିନ୍ଦା ଘରଭଡ଼ା ବାବଦରେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। କେବଳ ଘରଭଡ଼ା ନୁହେଁ କୋଚିଂ ସେଣ୍ଟର ବାବଦରେ ମଧ୍ୟ ଘର ମାଲିକମାନେ ମାସକୁ ଭଲ ରୋଜଗାର କରିପାରୁଛନ୍ତି। କୋଚିଂ ସେଣ୍ଟର ଖୋଲିବା ଯୋଗୁଁ ସତ୍ୟନଗରରେ ଏକାଧିକ ଇଣ୍ଟରନେଟ୍ କାଫେ ମଧ୍ୟ ରୋଜଗାରର ଅନ୍ୟ ପନ୍ଥା ପାଲଟିଛି।