ଘରୁ ଲୁଚି ସାଉଦି ଆରବରୁ ନେପାଳ ବାଟେ କାହିଁକି ଭାରତରେ ପ୍ରବେଶ କଲେ ୨୭ ବର୍ଷୀୟ ଯୁବତୀ

ହାଇଦ୍ରାବାଦ: ସାଉଦି ଆରବର ଜଣେ ଯୁବତୀ ତାଙ୍କ ବାପାଙ୍କ ଡ୍ରାଇଭର ଭାବେ କାମ କରୁଥିବା ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ସେଠାରୁ ନେପାଳ ଏବଂ ନେପାଳରୁ ଲୁଚି ଲୁଚି ଆସି ନିଜାମାବାଦରେ ପହଞ୍ଚିଛନ୍ତି ପ୍ରେମିକଙ୍କୁ ଭେଟି ବାହା ହେବା ପାଇଁ।

୨୭ ବର୍ଷୀୟ ସେ ଥିଲାବାଲା ଯୁବତୀଙ୍କ ଘରେ ତାଙ୍କ ବାପାଙ୍କର ଡ୍ରାଇଭର୍‌ ଭାବେ ନିଜାମାବାଦର ୩୦ ବର୍ଷିୟ ଯୁବକ କାମ କରୁଥିଲେ।

ତାଙ୍କ ଡ୍ରାଇଭର୍‌ ପ୍ରେମିକ ଫେବ୍ରୁଆରି ମାସରେ ଭାରତ ଫେରି ଆସିଥିଲେ।

କିଛି ଦିନ ତଳେ ସେ ଯୁବତୀଙ୍କ ବାପା ତାଙ୍କୁ ଖୋଜି ଖୋଜି ଆସି ହାଇଦ୍ରାବାଦରେ ପହଞ୍ଚିବା ପରେ ସେ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଶନିବାର ଦିନ ସେ ଯୁବତୀ ହାଇଦ୍ରାବାଦ ସେଣ୍ଟ୍ରାଲ୍‌ କ୍ରାଇମ୍‌ ଷ୍ଟେସନ୍‌ରେ ବୟାନ ଦେଇ କହିଛନ୍ତି ଯେ ସେ ନିଜ ସ୍ୱାମୀଙ୍କ ସହ ଭାରତରେ ରହିବାକୁ ଚାହୁଁଛନ୍ତି।

ଫେବ୍ରୁଆରି ମାସରେ ସେ ଯୁବକ ନିଜ ଜନ୍ମସ୍ଥାନ ନିଜାମାବାଦରେ ପହଞ୍ଚିବା ପରେ ସେ ଯୁବତୀ ଜଣାଇଥିଲେ କି ସେ ବିଚ୍ଛେଦ ସହ୍ୟ କରି ପାରୁ ନାହାନ୍ତି। ଖୁବ୍‌ ଶୀଘ୍ର ତାଙ୍କ ନିକଟରେ ପହଞ୍ଚିବେ।

ମେ ମାସରେ ଯୁବତୀଜଣକ ସାଉଦି ଆରବରୁ ଖସି ଆସି ଭାରତ-ନେପାଳ ସୀମା ବାଟେ ବେଆଇନ୍‌ ଭାବେ ଭାରତକୁ ପ୍ରବେଶ କରିଥିଲେ। ତା’ପରେ ସେ ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ସେ ଯୁବକ ତାଙ୍କୁ ନେଇ ନିଜାମାବାଦରେ ପହଞ୍ଚିବା ବିବାହା କରିଥିଲେ ବୋଲି ଡେପୁଟି ପୁଲିସ କମିସନର୍‌ ଅବିନାଶ ମହାନ୍ତି କହିଛନ୍ତି।

କିଛି ଦିନ ତଳେ ସାଉଦି ଆରବ ଦୂତାବାସ କର୍ମଚାରୀଙ୍କୁ ସାଥିରେ ନେଇ ସେ ଯୁବତୀଙ୍କ ପିତା ହାଇଦ୍ରାବାଦରେ ପହଞ୍ଚିଥିଲେ। ଝିଅ ବାହା ହୋଇ ସାରିଛି ବୋଲି ନ ଜାଣି ପାରି ସେ ଏତଲା ଦେଲେ କି, ତାଙ୍କ ପୁରୁଣା ଡ୍ରାଇଭର୍‌ ଝିଅକୁ ଅପହଣ କରି ନେଇଛି।

ଶୁକ୍ରବାର ଦିନ ଗୁଇନ୍ଦା ନିଜାମାବାଦରେ ଯୁବତୀଙ୍କ ସନ୍ଧାନ ପାଇଲେ। କିନ୍ତୁ, ଯୁବତୀ ଫେରିଯିବାକୁ ମନା କଲେ। ଶନିବାର ଦିନ ତାଙ୍କ ବୟାନ୍‌ ରେକର୍ଡ କରାଗଲା।

ଯୁବତୀଜଣକ ବେଆଇନ୍‌ ଭାବେ ଭାରତରେ ପ୍ରବେଶ କରିଥିବାରୁ ଭାରତରେ ରହିବାକୁ ଅନୁମତି ପ୍ରଦାନ କରିବାକୁ ସେ ଭାରତ ସକାରଙ୍କୁ ଆବେଦନ କରିଛନ୍ତି।

ସେ କହିଛନ୍ତି କି, ସ୍ୱେଚ୍ଛାକୃତ ଭାବେ ସେ ଭାରତକୁ ଆସିଛନ୍ତି। ତେଣୁ ଅପହରଣ ମାମଲା ଚାଲୁ କରାଯାଇ ପାରିବ ନାହିଁ। ଅର୍ଥାତ୍‌ ମାମଲା ରଦ୍ଦ କରାଯାଉ।

ସମ୍ବନ୍ଧିତ ଖବର