ପରିବେଶକୁ ସବୁଜମୟ କରିବା ପାଇଁ ନୂତନ ଜ୍ଞାନ କୌଶଳରେ ଉଦ୍ଭାବନ ହେଲା ‘ବୀଜ ବମ୍‌’!

ପରିବେଶକୁ ସବୁଜମୟ କରିବା ପାଇଁ ବୈଜ୍ଞାନିକମାନେ ଏକ ନୂତନ ଜ୍ଞାନ କୌଶଳ ଉଦ୍ଭାବନ କରିଛନ୍ତି। ଏହି ନୂତନ ଜ୍ଞାନ କୌଶଳକୁ ଆଧାର କରି ଏକ ବମ ତିଆରି କରିଛନ୍ତି। ଏହି ବମ୍‌ର ନାମ ହେଉଛି ବୀଜ ବମ୍‌। ଏହି ବମ୍‌କୁ ଖାଲି ଜାଗାରେ ପକାଇ ଗଛ ରୋପଣ କରାଯାଇ ପାରିବ।

ମଧ୍ୟପ୍ରଦେଶ ସଂଗମରମର ନଗରୀ ଜବଲପୁରରେ ପରିବେଶକୁ ସବୁଜମୟ କରିବା ପାଇଁ ବୈଜ୍ଞାନିକମାନେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଏହି ବୀଜ ବମ୍‌ ଉଦ୍ଭାବନ କରିଛନ୍ତି। ପୂର୍ବରୁ ଖାଲି ସ୍ଥାନ ମାନଙ୍କରେ ଗଛ ରୋପଣ କରିବାକୁ ହେଲେ ପ୍ରଥମେ ଗାତ ଖୋଳି ଗଛ ଲଗାଇବାକୁ ପଡୁଥିଲା। ଗଛ ରୋପଣ କରିବା ପୂର୍ବରୁ ମଧ୍ୟ ନର୍ସରୀରେ ଦେଢ ମାସ କିମ୍ବା ଦୁଇ ମାସ ମଞ୍ଜି ପୋତି ଗଛ ତିଆରି କତରିବା ପାଇଁ ଅପେକ୍ଷା କରିବାକୁ ପଡୁଛିଲା। କିନ୍ତୁ ଏବେ ବୈଜ୍ଞାନିକମାନଙ୍କ ନୂତନ ଜ୍ଞାନ କୌଶଳ ଅନୁଯାୟୀ ଖାଲି ସ୍ଥାନରେ ଗୋଟିଏ ବମ ପକାଇ ଗଛ ରୋପଣ କରାଯାଇ ପାରିବ। ଏହି ବମକୁ ଆପଣ ଟ୍ରେନ, ବସ, କାର ଏବଂ ବାଇକରେ ଯାଉଥିବା ବେଳେ ମଧ୍ୟ ଯେକୌଣସି ଖାଲି ସ୍ଥାନରେ ପକାଇ ବୃକ୍ଷ ରୋପଣ କରିପାରିବେ।

ବର୍ଷା ଦିନେ ଏହି ବମ ସାହାଯ୍ୟରେ ଜବଲପୁର ନିବାସୀ ନର୍ମଦା ନଦୀ, ରାସ୍ତା କଡ ଏବଂ ଖାଲି ହୋଇଯାଇଥିବା ସ୍ଥାନମାନଙ୍କରେ ବୃକ୍ଷ ରୋପଣ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାରରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବାର ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁଯାୟୀ, ଜବଲପୁର ସ୍ଥିତ ଗାୟତ୍ରୀପିଠର ସଦସ୍ୟ ୯ ବର୍ଷରୁ ଗାତ ଖୋଳି ବୃକ୍ଷ ରୋପଣ କରିଆସୁଛନ୍ତି। ଏହି କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ ସହିତ ଅନେକ ସମୟ ମଧ୍ୟ ଲାଗୁଥିଲା। ଏଥିରେ ଅଧିକ ଖର୍ଛ ମଧ୍ୟ ହେଉଥିଲା। ଏତେ ପରଶ୍ରମ ଏବଂ ଖର୍ଚ୍ଚ କରିବା ସତ୍ୱେ ମଧ୍ୟ ବାର୍ଷିକ ମାତ୍ର ୧୫ ଶହ ବୃକ୍ଷ ରୋପଣ କରାଯାଇ ପାରୁଥିଲା। କିନ୍ତୁ ଏବେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଖୁବ କମ ସମୟ ଏବଂ ଖୁବ କମ ଖର୍ଚ୍ଚରେ ଅଧିକ ବୃକ୍ଷରୋପଣ କରାଯାଇପାରିବ।

ଏହି ବମ୍‌ଟିକୁ ମାଟିରେ ତିଆରି କରାଯାଉଛି। ଏଥିରେ ଦୁଇ ତୃତୀୟାଂଶ ମାଟି ଏବଂ ଏକ ତୃତୀୟାଂଶ ଜୈବିକ ଖତ ମିଶାଯାଇ ଏହି ବମକୁ ତିଆରି କରାଯାଉଛି। ମାଟି ଏବଂ ଜୈବିକ ଖତ ମିଶ୍ରୀତ ଏହି ବମରେ ନିମ୍ବ, ଜାମ୍ମୁ, କପାସ, ଶୀତାଫଳ ଇତ୍ୟାଦି ମଞ୍ଜିକୁ ଏହି ବମ ମଝିରେ ସ୍ଥାପନ କରାଯାଇଥାଏ। ବମଟି ସମ୍ପୁର୍ଣ୍ଣ ଭାବେ ତିଆରି ହୋଇଯିବା ପରେ ଏହାକୁ ବର୍ଷା ଦିନେ ବ୍ୟବହାର କରାଯାଇଥାଏ। ଜବଲପୁରରେ ଆରମ୍ଭ ହୋଇଥିବା ଏହି ଜ୍ଞାନ କୌଶଳ ଭବିଷ୍ୟତରେ ପରିବେଶକୁ ସବୁଜମୟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର