ଭାରତର ପ୍ରଥମ ମହିଳା ଉବେର ଡ୍ରାଇଭର୍‌ : ଲାଇସେନ୍ସ ପାଇଁ ୪୦ ବର୍ଷରେ ପାସ୍‌ କଲେ ଦଶମ

ନୂଆଦିଲ୍ଲୀ : ଜୀବନର ସମସ୍ତ କଷ୍ଟ ଏବଂ ଅସୁବିଧାକୁ ଦୃଢ଼ତାର ସହ ସାମ୍ନା କରିବା ବ୍ୟକ୍ତି ହିଁ ପ୍ରକୃତରେ ଜୀବନରେ ସଫଳତା ହାସଲ କରିଥାଏ । ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ନୂଆଦିଲ୍ଲୀର ସାନୁ ବେଗମ । ସେ ଭାରତର ପ୍ରଥମ ମହିଳା ଉବେର ଚାଳକ ହେବା ସହ ୪୦ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଦଶମ ପରୀକ୍ଷା ପାସ କରିଛନ୍ତି । ତେବେ ଜୀବନର ଏହି ସ୍ତରରେ ନିଜକୁ ସକ୍ଷମ କରିବା ସହ ଅନ୍ୟମାନଙ୍କ ପ୍ରେରଣା ସାଜିଛନ୍ତି ବେଗମ୍‌ । ଆସନ୍ତୁ ଜାଣିବା କ’ଣ ରହିଥିଲା ସାନୁଙ୍କ କାହାଣୀ ଏବଂ କାହିଁକି ସେ ନେଲେ ଉବେର ଡ଼୍ରାଇଭର ହେବାର ନିର୍ଣ୍ଣୟ ।

ତିନୋଟି ସନ୍ତାନର ମା’ ସାନୁ ବେଗମ ଏକୁଟିଆ ତାଙ୍କ ସନ୍ତାନମାନଙ୍କର ଲାଳନପାଳନ କରିଛନ୍ତି । ତାଙ୍କର ବୈବାହିକ ଜୀବନ ସେତେତା ଭଲ ନ ଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ନିର୍ମମ ଭାବେ ମାରପିଟ କରୁଥିଲେ । ଏଣୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇ ଯାଇଛି । ଏଣୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଭଲ ମଣିଷ କରି ଗଢ଼ିବା ପାଇଁ ସାନୁ ରୋଷେୟା ଠାରୁ ଆରମ୍ଭ କରି କେୟାର ଟେକର ପର୍ଯ୍ୟନ୍ତ ସମସ୍ତ ପ୍ରକାରର କାମ କରିଛନ୍ତି । କିନ୍ତୁ ଅନେକ ପ୍ରକାରର କାମ କରିଥିଲେ ହେଁ ତାଙ୍କର ଭଲ ରୋଜଗାର ହେଉ ନ ଥିଲା ।

punjabkesari

ଥରେ ସାନୁ ଏକ ଫାଉଣ୍ଡେସନ୍‌ ଦ୍ୱାରା ମାଗଣା ଗାଡ଼ି ଚାଳନା ଶିକ୍ଷା ପ୍ରଦାନ କରାଯାଉଥିବାର ଶୁଣିଥିଲେ । ଏହା ଅଧିକ କଷ୍ଟକର ବୋଲି ଭାବିଥିଲେ ମଧ୍ୟ ଅଧିକ ଅର୍ଥ ଉପାର୍ଜନ ଆଶାରେ ସେ ଗାଡ଼ି ଚାଳନା ଶିକ୍ଷା ଆରମ୍ଭ କରିଥିଲେ । ଏହାପରେ ସେ କ୍ୟାବ ସର୍ଭିସଗୁଡ଼ିକରେ କରିଥିଲେ । ସେ ଦଶମ ଶ୍ରେଣୀ ପାସ୍‌ କରି ନ ଥିବାରୁ ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିଲା। ଏଥିପାଇଁ ସେ ପାଠ ପଢ଼ି ଦଶମ ଶ୍ରେଣୀ ପାସ କରିବା ସହ କ୍ୟାବ ଚାଳକ ହେବା ଳାଗି ଡ଼୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିଥିଲେ । କିଛି ଦିନ ଅନ୍ୟମାନଙ୍କର ଗାଡ଼ି ଚଳାଇବା ପରେ ସେ ନିଜର ସଖା ନାମକ କ୍ୟାବ ସର୍ଭିସ ଆରମ୍ଭ କରିଥିଲେ । ଏହି ସେବା ଖାସ କରି ମହିଳାଙ୍କ ପାଇଁ ଆରମ୍ଭ କରାଯାଇଥିଲା। ତେବେ ବର୍ତ୍ତମାନ ସାନୁ ଉବେର କ୍ୟାବରେ ଭାରତର ପ୍ରଥମ ମହିଳା ଡ଼୍ରାଇଭର ଭାବେ କାମ କରୁଛନ୍ତି । ଦେଶରେ ସମସ୍ତ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ସାନୁ ନିଜର ଏହି ଯାତ୍ରା ବିଷୟରେ କହିଛନ୍ତି ମୁଁ ଯଦି ଚେଷ୍ଟା କରିନଥାନ୍ତି ତେବେ ଏବେ ମଧ୍ୟ ଘରେ ବସି ଅନ୍ୟମାନଙ୍କ ଭଳି ରୋଷେଇ କରୁଥାନ୍ତି । ଏଣୁ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ ଏବଂ ଶିକ୍ଷାର ସମସ୍ତ ସ୍ଥାନରେ ମହତ୍ତ୍ୱ ରହିଛି। ଏଣୁ ଶିକ୍ଷିତ ହୋଇ ନିଜ ଜୀବନକୁ ନୂଆ ଦିଗ ପ୍ରଦାନ କରନ୍ତୁ ,ବୋଲି କହିଛନ୍ତି ସାନୁ ।

ସମ୍ବନ୍ଧିତ ଖବର