ଗୋଟିଏ ଭିଡ଼ିଓ ବଦଳାଇଲା ଶିବାଙ୍ଗୀଙ୍କ ଜୀବନ: ୧୬ବର୍ଷରେ ଏଭରେଷ୍ଟ ଚଢ଼ି ରଚିଲେ ଇତିହାସ

ପାନିପତ୍‌ : ଗୋଡ଼ ନ ଥିଲେ ବି ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲେ ଅରୁଣିମା ସିହ୍ନା । ତାଙ୍କର ଏହି ଯାତ୍ରାର ଭିଡ଼ିଓ ଦେଖି ଏବେ ଜଣେ ନାବାଳିକା ସେପରି କାର୍ଯ୍ୟ କରି ଦେଖାଇଛନ୍ତି। ଅରୁଣିମାଙ୍କ ଭିଡ଼ିଓ ଦେଖିବା ପରେ ପୃଥିବୀର ଉଚ୍ଚତମ ଶୃଙ୍ଗରେ ପହଁଞ୍ଚିବା ପାଇଁ ନିଷ୍ପତି ନେଇଥିଲେ ସେ । ନିଜ ସାହସ ବଳରେ ମାତ୍ର ୧୬ବର୍ଷ ବୟସରେ ଶିବାଙ୍ଗୀ ପାଠକ୍‌ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଏଭରେଷ୍ଟ ଆରୋହଣ କରି ସେ ଏବେ ରଚିଛନ୍ତି ଇତିହାସ । ଏଭରେଷ୍ଟ ଚଢ଼ିବା ସମୟର ଅଭିଜ୍ଞତା ବଖାଣିଛନ୍ତି ଶିବାଙ୍ଗୀ ।

DNA India

ତାଙ୍କ କହିବା ଅନୁଯାୟୀ, ଏଭରେଷ୍ଟର ଉଚ୍ଚକୁ ଛୁଇଁବା ପାଇଁ କିଛି ସମୟ ଥିବା ବେଳେ ତାଙ୍କର ଓ୍ଵାକିଟକି ତଳକୁ ଖସି ପଡ଼ିଥିଲା, । ଯାହା ଫଳରେ ତାଙ୍କୁ ଉପରକୁ ଚଢ଼ିବା ପାଇଁ ପଠାଇଥିବା ସଂସ୍ଥା ସହ ସେ ୫ଘଣ୍ଟା ପର୍ଯ୍ୟନ୍ତ ସଂପର୍କ କରି ପାରି ନଥିଲେ । ଏତେ ସମୟ ଧରି ସଂପର୍କ ନ ହୋଇ ପାରିବାରୁ ସଂସ୍ଥାର କର୍ମଚାରୀମାନେ ଶିବାଙ୍ଗି ଆଉ ନାହାନ୍ତି ବୋଲି ଭାବି ନେଇଥିଲେ । କିନ୍ତୁ କାହାଣୀରେ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ୫ ଘଣ୍ଟା ପରେ ଶିବାଙ୍ଗି କମ୍ପାନୀର କର୍ମଚାରୀମାନଙ୍କ ସହ ସଂପର୍କ କରିଥିଲେ । ଅନ୍ୟ ଏକ ଦଳର ଓ୍ଵାକିଟକି ବ୍ୟବହାର କରି ଶିବାଙ୍ଗି ନିଜ ସଫଳତା ବିଷୟରେ ତାଙ୍କୁ ପଠାଇଥିବା ସଂସ୍ଥାକୁ ଜଣାଇଥିଲେ । ୮୮୪୮ମିଟରର ଉଚ୍ଚତାକୁ ସେ ୪୫ଦିନରେ ପୂରା କରିଥିବା ବେଳେ ଏଭରେଷ୍ଟରେ ପହଁଞ୍ଚିବା ପରେ ସେ ପ୍ରଥମେ ଆଖି ବନ୍ଦ କରି ତାଙ୍କ ମାଙ୍କୁ ମନେ ପକାଇଥିଲେ ବୋଲି କହିଛନ୍ତି । ଏପ୍ରିଲ ୬ରୁ ଶିବାଙ୍ଗୀ ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ମେ ୧୬ରେ ଏଭରେଷ୍ଟରେ ପହଞ୍ଚି ତ୍ରିରଙ୍ଗା ପତକା ଉଡ଼ାଇଥିଲେ । ଏହି ଯାତ୍ରା ତାଙ୍କ ପାଇଁ ସହଜ ନଥିବା ବେଳେ ଗୋଟେ ଗୋଟେ ଦିନ ପାଣି ପିଇବାକୁ ମିଳୁ ନଥିଲା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର