ରାସ୍ତାକଡ଼ରେ ଜୋତା ହସ୍ପିଟାଲକୁ ଦେଖି ଆନନ୍ଦ ମହିନ୍ଦ୍ରା କାହିଁକି ପ୍ରଭାବିତ ହେଲେ ଜାଣନ୍ତୁ

ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କୁ ଆଇଆଇଏମରେ ପଢାଇବାକୁ ସୁଯୋଗ ଦିଆଯାଉ ବୋଲି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିଜ ଟୁଇଟରେ ଲେଖିଛନ୍ତି। ଏକଥା କହିବା ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଛି । ଗତ କିଛି ଦିନ ପୂର୍ବେ ଆନନ୍ଦ ମହିନ୍ଦ୍ରା ଜଣେ ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କର ଫଟୋ ସେୟାର କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ହୋଇଥିବା ଫଟୋରେ ନରସିରାମ ନାମକ ଜଣେ ବ୍ୟକ୍ତି ଜୋତା ମରାମତି କରୁଥିବାର ନଜର ଆସୁଛନ୍ତି । ଏବଂ ସବୁଠୁ ମଜାଦାର କଥା ହେଲା ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ପଛରେ ଏକ ପୋଷ୍ଟର ଲାଗିଛି । ଯାହା ଜୋତା ମରାମତି କରିବାକୁ ଆସୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ପୋଷ୍ଟରରେ ନିଜକୁ ଜୋତା ମରାମତି କରୁଥିବା ଡାକ୍ତର ଭାବେ ଚିତ୍ରଣ କରିବା ସହ ଦୋକାନକୁ ଖରାପ ଜୋତାର ଡାକ୍ତରଖାନା ବୋଲି ଦର୍ଶାଇଛନ୍ତି । ପୂରା ମେଡିକାଲ ଷ୍ଟାଇଲରେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ଏହା ଖୋଲା ରହିବ ତାହା ମଧ୍ୟ ଲେଖାଯାଇଛି । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନରସିରାମଙ୍କ ଏହି ଦୋକାନ ଖୋଲା ରହୁଥିବା ବେଳେ ମଝିରେ ୧ ଘଣ୍ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିଥାଏ । ଏଠାରେ ଜର୍ମାନୀ ଜ୍ଞାନକୌଶଳରେ ଜୋତା ମରାମତି କରାଯାଇଥାଏ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ବ୍ୟବସାୟ ପାଇଁ ନରସିରାମଙ୍କ ଏହି ଚିନ୍ତାଧାରା ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ ପ୍ରଭାବିତ କରିଥିଲା । ତେଣୁ ସେ ଟୁଇଟର ପେଜରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ଦେଇ ତାଙ୍କୁ ଆଇଆଇଏମରେ ମାକେଟିଂ ବିଷୟରେ ପଢାଇବାକୁ ସୁଯୋଗ ଦେବାକୁ କହିଛନ୍ତି । କାରଣ ନରସିରାମ ଯେଉଁଭଳି ଭାବେ କେଉଁଆଡକୁ ନ ଯାଇ ମଧ୍ୟ ନିଜ ବ୍ୟବସାୟର ମାକେଟିଂ କରୁଛନ୍ତି ତାହା ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏପରିକି ତାଙ୍କ ଦୋକାନରେ ଆନନ୍ଦ ମହିନ୍ଦ୍ରା ଟଙ୍କା ନିବେଶ କରିବା କଥା କହିଛନ୍ତି। ଏହାସହ ନରସିରାମଙ୍କୁ ମହିନ୍ଦ୍ରା ଟ୍ରାକ୍ଟରରେ ବୁଲାଇବା ସହ ଫୁଲତୋଡା ଦେଇ ସମ୍ମାନିତ କରାଯାଇଛି ।

 

ସମ୍ବନ୍ଧିତ ଖବର