ଏମିତି ଏକ ଦଣ୍ଡ ଓଡ଼ିଶାରେ ଲାଗୁ ହୁଅନ୍ତା କି ? ଛାତ୍ରଛାତ୍ରୀଙ୍କ ଦଣ୍ଡ ପାଇଁ ସବୁଜ ପାଲଟିଛି ବିଶ୍ୱବିଦ୍ୟାଳୟ 

ଭୁବନେଶ୍ବର ( ବୋୖଦ୍ଧାୟନ ଆଚାର୍ଯ୍ୟ ):  ଭୁଲ କଲେ ଏମିତି ଦଣ୍ଡ ମିଳିବା ଦରକାର, କାହିଁକି ଏମିତି କୁହାଗଲା ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ | ତେବେ ଦଣ୍ଡ କ’ଣ ପ୍ରଥମେ ଜାଣନ୍ତୁ | ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ଏବେ ଏହି ଦଣ୍ଡର ଏକ ବଡ଼ ପ୍ରଭାବ ପଡିଛି | ବିଶ୍ୱବିଦ୍ୟାଳୟର ଯେ କୌଣସି ଛାତ୍ର ବା ଛାତ୍ରୀ କୌଣସି ଭୁଲ କଲେ ସେମାନଙ୍କୁ ଦଣ୍ଡ ଭାବରେ ଗୋଟିଏ ଗଛ ଲଗାଇବାକୁ କୁହାଯାଇଥାଏ | ଯଦି କୌଣସି ଛାତ୍ର ନିଜର ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିପାରିନଥାଏ ବା କୌଣସି ଭୁଲ କରିଦେଇଥାଏ ତେବେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତି ଭୁଲ ପିଛା ଗୋଟିଏ ଗଛ ଲଗାଇବାକୁ କୁହାଯାଇଥାଏ | ଯାହାକୁ ନେଇ କିଛି ଛାତ୍ରଛାତ୍ରୀ ଭୁଲ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି |

ଛାତ୍ରଛାତ୍ରୀଙ୍କ ଭୁଲ ଯୋଗୁଁ ଏବେ ସମଗ୍ର ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟାରେ ଗଛ ଦେଖିବାକୁ ମିଳିଛି | ବଡ କଥା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସମୟରେ ପରିବେଶ ସୁରକ୍ଷା ସମ୍ପର୍କିତ ଉପଦେଶ ଦିଆଯାଇ ବୃକ୍ଷରୋପଣ କରିବାକୁ କୁହାଯାଉଛି | ଯେଉଁ ଛାତ୍ରଛାତ୍ରୀ ଦଣ୍ଡ ପାଇ ଗଛ ଲଗାଇଥିଲେ ପ୍ରତି ବର୍ଷ ବିଶ୍ୱବିଦ୍ୟାଳୟ ଆସିଥାନ୍ତି | ଯେଉଁ କଲେଜରେ ପାଠ ପଢିଥିଲେ ସେହି କଲେଜର ସ୍ମୃତିକୁ ସେମାନେ ଏହି ଗଛରେ ଉଜ୍ଜୀବିତ ଥିବାର ଅନୁଭବ କରିଥାନ୍ତି | ନିଜ ପରିବାରର ସଦସ୍ୟଙ୍କୁ କହିଥାନ୍ତି ‘ ଦଣ୍ଡ ବି ଆଉ ଥରେ ମିଳନ୍ତା କି, କଲେଜ ପରିସରରେ ପୁଣି ଗଛଟିଏ ଲଗାନ୍ତୁ କି? ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ. ପଟେଲ କୁହନ୍ତି ଯେ ଭିନ୍ନ ଭିନ୍ନ କାରଣରୁ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥାଏ ତେବେ ପାରମ୍ପରିକ ଦଣ୍ଡ ବଦଳରେ ଗଛ ଲଗାଇବା ଭଳି ଦଣ୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା | ଯାହାକୁ ଛାତ୍ରଛାତ୍ରୀ ମଧ୍ୟ ବିନା ସଙ୍କୋଚରେ ଆପଣେଇଥିଲେ |

ତେବେ ଓଡ଼ିଶା ପରିପ୍ରେକ୍ଷୀରେ କହିବାକୁ ଗଲେ ବାତ୍ୟା ଫନି ଦ୍ୱାରା ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗଛ ଉପୁଡିଯାଇଥିବାବେଳେ ଭୁବନେଶ୍ୱରର ସବୁଜିମା ହଜିଯାଇଛି | ବହୁ ବଡ ବଡ ଗଛ ଉପୁଡିପଡିଥିବାବେଳେ ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ରିପୋର୍ଟ କଥା ଦେଖିବାକୁ ଗଲେ ୧୦୯ କୋଟି ଟଙ୍କାର କ୍ଷତି ହୋଇଛି | ଅନେକ ପୁରୁଣା ଗଛ ଭାଙ୍ଗିଯାଇଥିବା ବେଳେ ସବୁଜିମା ମଧ୍ୟ ହ୍ରାସ ପାଇଛି | ଯଦି ବୃକ୍ଷରୋପଣ ଭଳି ଦଣ୍ଡ ଦିଆଯାଇ ପରିବେଶକୁ ସବୁଜିମା କରାଯାଇପାରୁଛି ତେବେ ଓଡିଶାର ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ଏଭଳି ଦଣ୍ଡର ଆବଶ୍ୟକତା ରହିଛି |

ସମ୍ବନ୍ଧିତ ଖବର