ଲଙ୍କାରେ ରାବଣ ସହ ଯୁଦ୍ଧରେ ବିଜୟ ଲାଭ କରି ରାମ, ଲକ୍ଷ୍ମଣ, ସୀତା ଅଯୋଧ୍ୟା ଫେରି ସାରିଥାନ୍ତି। ପୁତ୍ରକୁ ଝୁରି ଝୁରି ରାଜା ଦଶରଥଙ୍କର ଦେହାନ୍ତ ହୋଇ ସାରିଥାଏ। ରାଜା ଦଶରଥଙ୍କର ଶ୍ରାଦ୍ଧ ଦିନ ରାମ, ଲକ୍ଷ୍ମଣ ଓ ସୀତା ଗୟାଧାମର ଫାଲ୍ଗୁନି ନଦୀକୂଳକୁ ଗଲେ। ସେଠାରେ ସେମାନେ ପିତାଙ୍କ ଶ୍ରାଦ୍ଧ ପାଇଁ ସବୁ ପ୍ରକାର ଆୟୋଜନ କଲେ। ବ୍ରାହ୍ମଣ ବି ଡାକିଲେ। ମାତ୍ର କିଛି ଗୋଟାଏ ଅଭାବ ରହିଯିବାରୁ ରାମ, ଲକ୍ଷ୍ମଣ ସୀତାଙ୍କୁ ବ୍ରାହ୍ମଣଙ୍କ ସହ ସେହି ନଦୀକୂଳରେ ଛାଡ଼ି ତାହାକୁ ଆଣିବାକୁ ଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏପଟେ ଶ୍ରାଦ୍ଧ ଦେବାର ମୁହୂର୍ତ୍ତ ଗଢ଼ି ଯାଉଥାଏ। ୨ ଭାଇ ଫେରିଲେ ନାହିଁ। ଶ୍ରାଦ୍ଧ ସମୟ ଗଡ଼ିଯିବା ପରେ ଶ୍ରାଦ୍ଧ ଦେବାକର କୌଣସି ମୂଲ୍ୟ ରହେ ନାହିଁ ବୋଲି ମାଆ ସୀତା ବ୍ରାହ୍ମଣଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ କହିଲେ। ବ୍ରାହ୍ମଣ ବି ପୂଜା ଆରମ୍ଭ କଲେ। ଦୁଇ ଭାଇ ଆସି ପହଞ୍ଚିବା ପୂର୍ବରୁ ଶ୍ରାଦ୍ଧ କାର୍ଯ୍ୟ ସଂପନ୍ନ ହୋଇ ସାରିଥାଏ।
ମାଆ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ସବୁ କଥା କହିଲେ। ମାତ୍ର ରାମଚନ୍ଦ୍ର ସୀତାଙ୍କ କଥାରେ କ୍ରୋଧାନ୍ଵିତ ହେଲେ। ସେ ତାଙ୍କ ବାପାଙ୍କ ଶ୍ରାଦ୍ଧ କରିଛନ୍ତି ବୋଲି ରାମଚନ୍ଦ୍ର ଆଦୌ ବିଶ୍ୱାସ କଲେ ନାହିଁ। ସୀତା ବିବଶ ହୋଇ ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ, ଫାଲ୍ଗୁନି ନଦୀ, ବାଛୁରୀ ଓ ଏକ କୁଆକୁ ତାଙ୍କ ସମର୍ଥନରେ ସାକ୍ଷୀ ଦେବାକୁ କହିଲେ। ମାତ୍ର ରାମଚନ୍ଦ୍ରଙ୍କ କ୍ରୋଧ ଦେଖି କେହି ବି ସାହାସ କଲେ ନାହିଁ। ସମସ୍ତେ ଚୁପ୍ ରହିଲେ। ସେହି ସମୟରେ ରାଜା ଦଶରଥ ଉପରୁ ଶୂନ୍ୟବାଣୀ କଲେ ଯେ ସୀତା ତାଙ୍କ ଶ୍ରାଦ୍ଧ ସଂପନ୍ନ କରିଛନ୍ତି।
ରାମଚନ୍ଦ୍ର ସେତେବେଳେ ଥଣ୍ଡା ପଡ଼ିଗଲେ କିନ୍ତୁ ଅପମାନର ନିଆଁରେ ମାଆ ସୀତା ଜଳୁଥିଲେ। ସେ ସେଠାରେ ଥିବା ସେହି ୪ ଜଣଙ୍କୁ ଅଭିଶାପ ଦେଇ ବସିଲେ। ବ୍ରାହ୍ମଣକୁ ଅଭିଶାପ ଦେଲେ ତୁମକୁ ଯେତେ ଦାନ କଲେ ବି ତୁମେ କେବେ ସନ୍ତୁଷ୍ଟ ହେବ ନାହିଁ। ଫାଲ୍ଗୁନି ନଦୀକୁ ଅଭିଶାପ ଦେଲେ କି ତୁମ ଦେହରେ ଯେତେ ବି ପାଣି ପଡ଼ିଲେ ତୁମେ ସଦା ଶୁଖିଲା ହିଁ ରହିବ। କୁଆକୁ ଅଭିଶାପ ଦେଲେ କି ସାମ୍ନାରେ କୁଢ଼ କୁଢ଼ ଖାଇବା ରହିଲେ ବି ତୁମ ଭୋକ ମରିବ ନାହିଁ। ଆଉ ଶେଷରେ ବାଛୁରୀକୁ ଅଭିଶାପ ଦେଲେ କି ଗାଈ ପାଖରୁ ଯେତେ ଖିର ଖାଇଲେ ବି ତୁମ ମନ ଅଶାନ୍ତି ରହିବ।