ଭଗବାନ ଶିବଙ୍କ ଦୁଇ ଅକ୍ଷରର ନାମ ଅଜ୍ଞାତସାରରେ ବି ଜିଭରେ ଆସିଲେ ସମସ୍ତ ପାପ ନାଶ ହୋଇଯାଏ –ଏକଥା କାହାକୁ କାହିଁକି ସତୀ କହିଥିଲେ

ଭଗବାନ ଶିବଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଦକ୍ଷ ଏକ ବିଶାଳ ଯଜ୍ଞର ଆୟୋଜନ କରିଲେ, ଯେଉଁଥିରେ ସେ ନିଜ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିଲେ ନାହିଁ।ଆକାଶମାର୍ଗରୁ ବିମାନରେ ବସି ସମସ୍ତ ଦେବତା,ବିଦ୍ୟାଧର ଓ କିନ୍ନରଗଣଙ୍କୁ ସେହି ଯଜ୍ଞକୁ ଯାଉଥିବାର ଦେଖି ସତୀ ଭଗବାନ ଶିବଙ୍କୁ ପଚାରିଲେ,‘ପ୍ରଭୁ !ଏମାନେ କୁଆଡ଼େ ଯାଉଛନ୍ତି?’’ଭଗବାନ ଶିବ ଉତ୍ତର ଦେଲେ,‘‘ଏମାନେ ସମସ୍ତେ ତୁମ ପିତାଙ୍କ ଆୟୋଜିତ ଯଜ୍ଞରେ ସମ୍ମିଳିତ ହେବା ଉଦ୍ଦେଶ୍ୟରେ ଯାଉଛନ୍ତି।’’ସତୀ କହିଲେ,‘‘ପ୍ରଭୋ! ପିତାଙ୍କର ଏହି ଯଜ୍ଞରେ ମୋର ଅନ୍ୟ ଭଉଣୀମାନେ ତ ନିଶ୍ଚିତ ରୂପେ ଯାଉଥିବେ,ମୁଁ ବି ବହୁଦିନ ହେବ ବାପ ଘରକୁ ଯାଇ ନାହିଁ।ଯଦି ଆପଣ ଅନୁମତି ଦେବେ ,ତେବେ ଆମେ ଦୁହେଁ ଯଜ୍ଞ ସ୍ଥଳକୁ ଯିବା।’’
ଭଗବାନ ଶିବ କହିଲେ,‘‘ଦେଖ ସତୀ ! ପିତା ଆମ ଦୁହିଁଙ୍କୁ ନିମନ୍ତ୍ରଣ କରିନାହାଁନ୍ତି,ଆମେ ସେଠାକୁ ଯିବା କ’ଣ ଉଚିତ ହେବ?
ସତୀ ବୁଝେଇବା ଢ଼ଙ୍ଗରେ କହିଲେ,‘‘ପ୍ରଭୋ! ଏହା ସତ୍ୟ ଯେ ପିତା ଆମ ଦୁହିଁଙ୍କୁ ନିମନ୍ତ୍ରଣ ଦେଇନାହାଁନ୍ତି,କିନ୍ତୁ ପିତା-ମାତା ଓ ଗୁରୁଙ୍କ ଘରକୁ ବିନା ନିମନ୍ତ୍ରଣରେ ଯିବା ଦୋଷଯୁକ୍ତ ନୁହେଁ।
ପୁଣି ଭଗବାନ ଶିବ ଯୁକ୍ତି କରିବା ଢ଼ଙ୍ଗରେ କହିଲେ ,ଏଥିରେ ସନ୍ଦେହ ନାହିଁ ଯେ,ଗୁରୁଜନଙ୍କ ନିମନ୍ତ୍ରଣ ବିନା ଯିବାରେ କିଛି ଦୋଷ ନାହିଁ,କିନ୍ତୁ ଯେଉଁଠି କୌଣସି ବିରୋଧ ହୁଏ,ସେଠାକୁ ଯିବା ଦ୍ୱାରା କୌଣସି ମଙ୍ଗଳ ହେବ ନାହିଁ। ଏଣୁ ତୁମେ ସେଠାକୁ ଯିବାର ବିଚାର ତ୍ୟାଗ କରିବା ଠିକ୍‌ ହେବ।’’
ଭଗବାନ ଶିବଙ୍କର ପରାମର୍ଶ ମାନିବାକୁ ପ୍ରସ୍ତୁତ ହେଲେନି ସତୀ। ସେ ଜୋରଜୋରରେ କାନ୍ଦିବାକୁ ଲାଗିଲେ। ତା’ପରେ ଭଗବାନ ଶିବ ସତୀଙ୍କ ଜିଦ୍‌ ଆଗରେ ମଥା ନୁଆଁଇ ତାଙ୍କର ପ୍ରମୁଖ ଗଣମାନଙ୍କ ସହିତ ତାଙ୍କୁ ବିଦାୟ ଦେଲେ। ଦକ୍ଷ ଯଜ୍ଞରେ ପହଞ୍ଚବାପରେ ମଧ୍ୟ ସତୀଙ୍କର ସତ୍କାର କରିଲେନି ପିତା। ତାଙ୍କ ଭଉଣୀମାନେ ମଧ୍ୟ ସତୀଙ୍କୁ ଅଣଦେଖା କରି ବ୍ୟଙ୍ଗପୂର୍ଣ୍ଣ କଥା କହିଲେ। କେବଳ ତାଙ୍କ ମାତା ସତୀଙ୍କୁ ଦେଖି ଖୁସି ହେଲେ ଏବଂ ମଧୁର କଥା କହିଲେ।


ଭଗବାନ ଶିବଙ୍କର ଅପମାନ ଦେଖି ସତୀଙ୍କର ମନରେ କ୍ରୋଧ ଜାତ ହେଲା। ସେ ପିତା ଦକ୍ଷଙ୍କୁ କହିଲେ,‘ପିତା ଯେଉଁ ଭଗବାନ ଶିବଙ୍କ ଦୁଇ ଅକ୍ଷରର ନାମ ଅଜ୍ଞାତ ସାରରେ ଜିଭରେ ଆସିଲେ ବି ସମସ୍ତ ପାପ ନାଶ ହୋଇଯାଏ,ଆପଣ ସେହି ଶିବଙ୍କ ସହିତ ବିଦ୍ୱେଷ କରୁଛନ୍ତି। ଏଣୁ ଆପଣଙ୍କ ଅଙ୍ଗର ସଂସର୍ଗରୁ ଉତ୍ପନ୍ନ ଏହି ଶରୀରକୁ ମୁଁ ତତ୍‌କ୍ଷଣାତ୍‌ ତ୍ୟାଗ କରିବି।କାରଣ ଏହା ମୋ’ ପାଇଁ କଳଙ୍କ ରୂପ ଅଟେ। ’

ସମ୍ବନ୍ଧିତ ଖବର