କାହିଁକି ଖାଇବା ଥାଳିର ଚାରିପାଖରେ ପାଣି ଛିଞ୍ଚା ଯାଇଥାଏ? କ’ଣ ଏହାର ତାତ୍ପର୍ଯ୍ୟ

ହିନ୍ଦୁ ଧର୍ମ ପୃଥିବୀର ଅନ୍ୟତମ ପ୍ରାଚୀନତମ। ହିନ୍ଦୁ ଧର୍ମରେ ଏମିତି କିଛି ନୀତି ନିୟମ ରହିଛି ଯାହା ପଛରେ ବୈଜ୍ଞାନିକ ତାତ୍ପର୍ଯ୍ୟ ମଧ୍ୟ ରହିଛି । ଆପଣ ଦେଖିଥିବେ ଯେ ଘରେ ବୟସ୍କ ଲୋକମାନେ ଭୋଜନ ଗ୍ରହଣ କରିବା ସମୟରେ ପ୍ରଥମେ ଖାଇବା ପୂର୍ବରୁ ଥାଳିର ଚାରିପାଖରେ ପାଣି ପକେଇଥାଆନ୍ତି । ଏହା ବ୍ୟତୀତ ଘରେ ଯେତେବେଳେ କୌଣସି ବରିଷ୍ଠ ବ୍ରାହ୍ମଣଙ୍କୁ ଖାଇବା ଲାଗି ଆମନ୍ତ୍ରିତ କରାଯାଏ, କିଛି ଗ୍ରହଣ କରିବା ପୂର୍ବରୁ ଥାଳି ଚାରିପାଖରେ ପାଣି ଛିଞ୍ଚିଥାଆନ୍ତି । ଏହି ପରମ୍ପରା ଭାରତର ଅଧିକାଶ ଅଞ୍ଚଳରେ ଦେଖାଯାଇଥାଏ। ତେବେ ଉତ୍ତର ଓ ଦକ୍ଷିଣ ଭାଗରେ ଏହାର ପ୍ରଚଳନ ଜାରି ରହିଛି । ଉତ୍ତର ଭାରତରେ ଏହାକୁ ‘ଚିତ୍ରଆହୁତି’ ଏବଂ ଦକ୍ଷିଣ ଭାରତରେ ‘ପରିସେଶନମ୍‌’ କୁହାଯାଏ । ଜଣେ ଜଣେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ପାଣି ଛିଞ୍ଚିଥାଆନ୍ତି ।

ଏହାର ବୈଜ୍ଞାନିକ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରାଯାଉ। ପୂର୍ବରୁ ଲୋକମାନେ ପତ୍ରରେ ଭୋଜନ କରୁଥିଲେ , ପୁଣି ଭୂମିରେ ବସି ଖାଉଥିଳେ। କାରଣ ଚଟାଣରେ ବସିି ଭୋଜନ ଗ୍ରହଣ କରିବା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ସାଧାରଣ ଭାବେ ତଳେ ବସି ଖାଇବା ଦ୍ୱାରା ଧୂଳି ଖାଦ୍ୟରେ ପଡ଼ିପାରେ । ସେଥିପାଇଁ ଥାଳିର ଚାରିପଟେ ପାଣି ଛିଞ୍ଚି ଦିଆଗଲେ ଧୂଳି ଉଡି ନ ଥାଏ। ଫଳରେ ଧୂଳି ଉଡିି ଖାଦ୍ୟରେ ପଡ଼ି ନ ଥାଏ । ପୋକଜୋକ ମଧ୍ୟ ପାଣି ପକେଇବା ଦ୍ୱାରା ଖାଦ୍ୟ ପାଖରେ ପଂହଚି ପାରନ୍ତି ନାହିଁ । ସହରରେ ଟେବୁଲ ଚେୟାର ଖାଉଥିଲେ ମଧ୍ୟ ଗାଁରେ ଏହି ପରମ୍ପରା ରହିଛି । ଏମିତି ଭୂମି ଉପରେ ଚକା ପକେଇ ଖାଇବା ଦ୍ୱାରା ଦେହ ସୁସ୍ଥ ମଧ୍ୟ ରହିଥାଏ ।

ସମ୍ବନ୍ଧିତ ଖବର