ପୂଜାର୍ଚ୍ଚନା ବେଳେ ଦିଅଁଙ୍କୁ ଦୂବ ଲାଗି କରାଯାଏ କାହିଁକି?

ତୁଳସୀ ପରେ ଦ୍ୱିତୀୟ ପବିତ୍ର ହେଉଛି ଦୂବଘାସ। ଦିଅଁଙ୍କୁ ଦୂବଘାସ ଅର୍ପଣ ବିନା ହିନ୍ଦୁ ରିତିରେ କୌଣସି ପୂଜାନୁଷ୍ଠାନ ସମାପନ ହୁଏ ନାହିଁ। ବିଶେଷ କରି ଗଣେଶପୂଜାରେ ଦୂବଘାସର ମହତ୍ତ୍ୱ ଅଧିକ।

ଦୂବର ନାଁ ‘ଦୂବ’ କାହିଁକି ହେଲା? ଦୁଃ ଏବଂ ଅବମ୍‌- ଏ ଦୁଇଟି ଶବ୍ଦର ମିଶ୍ରଣରୁ ଜାତ ‘ଦୂବ’ ଶବ୍ଦ। ଦୂରରୁ ଦେବାଦେବୀଙ୍କର ଠାରୁ ଏହା ପବିତ୍ର ଅଧ୍ୟାତ୍ମିକ କଣିକା ଭକ୍ତଙ୍କ ପାଖକୁ ଆଣିଥାଏ। ଦୂବର ତିନି ପତ୍ର ଶିବ, ଶକ୍ତି ଓ ଗଣେଶଙ୍କର ପ୍ରତିରୂପ ବୋଲି ବିଚାର କରାଯାଏ।

ଗଣେଶଙ୍କ ଆଭା ଆକର୍ଷିତ କରିବାର ସବୁଠୁ ଅଧିକ କ୍ଷମତା ଅଛି ଦୂବଘାସରେ। ତେଣୁ ଗଣେଶଙ୍କୁ ଦୂବ ଅର୍ପଣ କରିବାର ବିଧି ରହିଛି। ସାଧାରଣତଃ ଦୁବଘାସର କଅଁଳିଆ ଅଗ ବା ଦୁବାଙ୍କୁର ପୂଜାର୍ଚ୍ଚନାରେ ଲାଗେ। କାକର ଟୋପାରେ ଥିବା ଦିଅଁଙ୍କର ଆଭାକୁ କଅଁଳ ଦୂବ ହିଁ ଶୋଷଣ କରି ରଖିଥାଏ। ଏହା ଭକ୍ତଙ୍କୁ ଉପକୃତ କରେ।

ଦୂବଘାସ ବିଷୟରେ କିଂମ୍ବଦନ୍ତିଟିଏ ରହିଛି। ଏକଦା ଅନଳାସୁର ନାମକ ଦୈତ୍ୟଟାଏ ସ୍ୱର୍ଗରେ ବଡ଼ ଉତ୍ପାତ କଲା। ଆଖିରୁ ଅନଳ ବା ନିଅାଁ ସ୍ଫୁଲିଙ୍ଗ କାଢ଼ି ତା’ ହାବୁଡ଼ରେ ଯାହା ପଡ଼ିଲା ସବୁ ଜାଳିପୋଡ଼ି ପାଉଁଶ କରିଦେଲା। ଅସୁର କବଳରୁ ରକ୍ଷା ପାଇବା ପାଇଁ ଦିଅଁ ଦେବତାମାନେ ଗଣେଶଙ୍କ ଶରଣ ପଶିଲେ। ଦୈତ୍ୟକୁ ମାରି ଶାନ୍ତି ଫେରାଇ ଆଣିବାକୁ ଗଣେଶ ସେମାନଙ୍କୁ ପ୍ରତିଶ୍ରୁତି ଦେଲେ।

ରଣକ୍ଷେତ୍ରରେ ଅନଳାସୁର ଗଣେଶଙ୍କୁ ଅଗ୍ନିପିଣ୍ଡୁଳା ନିକ୍ଷେପ କରନ୍ତେ ସେ ତାକୁ ଗିଳି ପକାଇଲେ। ତା’ପରେ ଗଣେଶ ନିଜର ବିରାଟ ରୂପ ପ୍ରକଟ କରି ଅନଳାସୁରକୁ ଗିଳି ପକାଇଲେ। ଗଣେଶଙ୍କ ପେଟରେ ଜ୍ୱାଳା ହେଲାରୁ ସେ ଅଥୟ ହେଲେ।

ଏତିକିବେଳେ ଚନ୍ଦ୍ର ଆସି ଉଭାହେଲେ ଗଣେଶଙ୍କ ମୁଣ୍ଡ ଉପରେ। ଉତ୍ତାପ କମାଇବା ପାଇଁ ଭଗବାନ ବିଷ୍ଣୁ ତାଙ୍କୁ ଦେଲେ ପଦ୍ମଫୁଲ। ଶିବ ତାଙ୍କ ପେଟରେ ବାନ୍ଧି ଦେଲେ ନାଗ ସର୍ପ। କିନ୍ତୁ ଉତ୍ତାପ କମିଲା ନାହିଁ।

ଶେଷକୁ କେତେଜଣ ମୁନି ୨୧ଟି ଦୂବଘାସ ଆଣି ଗଣେଶଙ୍କ ମୁଣ୍ଡରେ ସ୍ଥାପନା କଲେ। କିମିଅାଁ କଲା ଭଳି ଗଣେଶଙ୍କ ଜ୍ୱାଳା କମିଗଲା। ସେଇଠୁ ଗଣେଶ କହିଲେ: ମତେ ଯିଏ ଦୂବ ଦେଇ ପୂଜିବ ସେ ମୋ ଆଶିଷ ଲଭିବ।

ବାର୍ଦ୍ଧକ୍ୟର ସଙ୍କେତ ହୋଇଥିବାରୁ ଫୁଲ ଆସିଯାଇଥିବା ଦୂବଘାସ ପୂଜା କର୍ମରେ ଲାଗେ ନାହିଁ। ପୂଜା ବେଳେ ସର୍ବନିମ୍ନ ୨୧ଟି ଦୁବାଙ୍କୁର କେରା ବନ୍ଧା ଯାଇ ଜଳରେ ବୁଡ଼ା ଯାଇ ଦିଅଁକୁ ଲାଗି କରାଯାଏ।

ସମ୍ବନ୍ଧିତ ଖବର